ଦାବି ପୂରଣ ନହେଲେ କଟକ ଚାନ୍ଦବାଲି ରାସ୍ତା ଅବରୋଧ ପାଇଁ ନିଷ୍ପତ୍ତି ।
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଢଙ୍ଗି :କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢ଼ୀ ଏବଂ ତହସିଲ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ଅଭିଯୋଗ ମୁତାବକ ଗତ ୧୮-୦୨-୨୨ ତାରିଖରେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବେଆଇନ ବାଲି ଚାଲାଣ ଗାଡ଼ି ଚେକିଙ୍ଗ ଚାଲିଥିବାବେଳେ ଡ୍ରାଇଭର ବିଜୟ ଦାସ ଙ୍କ ଗାଡି ଅଟକାଇବା ସହ ଅନ୍ୟ ସବୁ ବାଲିଗାଡିଗୁଡିକୁ ଅଟକାଇଥିଲେ। ଅତିରିକ୍ତ ତହସିଲଦାରଙ୍କ ସହ ନିୟୋଜିତ ଥିବା ଅନ୍ୟ କର୍ମଚାରୀମାନେ ଉକ୍ତ ଡ୍ରାଇଭର ବିଜୟ ଦାସ ଓ ହେଲ୍ଫରଙ୍କୁ ଅଶାଳୀନ ବ୍ୟବହାର କରିବାସହ ଗାଡ଼ିର କାଗଜପତ୍ର, ଡ୍ରାଇଭର ମୋବାଇଲ ଏବଂ ପଇସାପତ୍ର ନେଇଯାଇଥିବାର ଡ୍ରାଇଭର ବିଜୟ ଅଭିଯୋଗ କରିଛନ୍ତି ।
ଏପଟେ ଚାରି ଦିନ ବିତିଯାଇଥିଲେ ମଧ୍ୟ ଅତିରିକ୍ତ ତହସିଲଦାର ଡ଼୍ରାଇଭରଙ୍କ ମୋବାଇଲ ଓ ଟଙ୍କା ଫେରସ୍ତ କରୁନାହାନ୍ତି ବୋଲି ଡ୍ରାଇଭର ଭାଇମାନେ ଏହା ବିରୁଦ୍ଧରେ ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । ନିଶ୍ଚିନ୍ତକୋଇଲି ଥାନା କର୍ମଚାରୀ ଧାରଣାରେ ବସିଥିବା ଡ୍ରାଇଭରମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ତେବେ ଆଜି ଧାରଣା ରେ ସକାଳୁ ବସିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ତହସିଲ ପ୍ରଶାସନ ପକ୍ଷରୁ ନିଆଯାଇନାହିଁ । ଯାହାକୁ ନେଇ ଡ୍ରାଇଭର ମହାସଂଘ ଭାଇମାନେ ଅସନ୍ତୋଷ ପ୍ରକାଶ କରିବା ସହ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିବା ପାଇଁ ପ୍ରକାଶ କରିଛନ୍ତି । ତହସିଲ ପ୍ରଶାସନ ର ଏପରି କାର୍ଯ୍ୟକଳାପ କୁ ଡ୍ରାଇଭର ମହାସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।