୯୪ଟି ଗ୍ରାମ ପଂଚାୟତରେ ୧୦,୦୦୦ରୁ ଅଧିକ ଗ୍ରାମବାସୀ ଉପକୃତ
ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍)ର ପ୍ରଥମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରି (ଏମ୍ଏଚ୍ଡି)କୁ ଶୁଭାରମ୍ଭ କରାଯିବାର ପ୍ରଥମ ଚାରି ମାସ ମଧ୍ୟରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୯୪ଟି ଗ୍ରାମ ପଂଚାୟତର ୧୦,୦୦୦ ରୁ ଅଧିକ ଗ୍ରାମବାସୀ ଉପକୃତ ହୋଇପାରିଛନ୍ତି ।
ଗ୍ରାମବାସୀମାନଙ୍କ ମଧ୍ୟରେ ସକାରାତ୍ମକ ପ୍ରଭାବ ପକାଇବାରେ ଏହି ଏମ୍ଏଚ୍ଡି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ପୂର୍ବରୁ, ମୌଳିକ ସ୍ୱାସ୍ଥ୍ୟ ସେବା ସୁବିଧା ପାଇବା ଲାଗି ଲୋକମାନଙ୍କୁ ୧୫-୨୦ କିମି ଯାତ୍ରା କରିବାକୁ ପଡ଼ୁଥିଲା । ମାତ୍ର, ଏମ୍ଏଚ୍ଡି ଜରିଆରେ ସେମାନେ ନିଜ ଦୁଆର ମୁହଁରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପରାମର୍ଶ ପାଉଛନ୍ତି । ମୌଳିକ ମେଡିକାଲ୍ ସମସ୍ୟା ଯଥା ଡାଇବେଟିସ୍, ଥଣ୍ଡା, କାଶ, ଆନେମିଆ ଇତ୍ୟାଦି ଯାହା ପୂର୍ବରୁ ଶେଷ ପର୍ଯ୍ୟାୟରେ ନିଦାନ ହେଉଥିଲା ତାହା ଏବେ ଆଗୁଆ ଚିହ୍ନଟ ହେଉଛି ଏବଂ ଉପଯୁକ୍ତ ପ୍ରତିଷେଧମୂଳକ ପଦକ୍ଷେପ ବିଷୟରେ ଗ୍ରାମବାସୀମାନଙ୍କୁ ପରାମର୍ଶ ଦିଆଯାଉଛି ।
ଶ୍ରମ କମିସନଙ୍କ ଅନୁରୋଧକ୍ରମେ ଢେଙ୍କାନାଳ ଜିଲ୍ଲାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ କଙ୍କଡ଼ାହାଡ଼ ବ୍ଲକ୍ ସମେତ କନ୍ତୋଳ ଗ୍ରାମ ପଂଚାୟତର ଦୁର୍ଗମ ଗ୍ରାମଗୁଡ଼ିକ ଯଥା ପୁଟିପାଳ, ଏକୁଳୁ, କୋଟା ଏବଂ ସିକୁଳୁ ଗ୍ରାମକୁ ଏଥିରେ ସାମିଲ କରାଯାଇଛି । ଏହି ଗ୍ରାମଗୁଡ଼ିକରେ ସମ୍ବେଦନଶୀଳ ଆଦିବାସୀ ଗୋଷ୍ଠୀ ବାସ କରୁଛନ୍ତି ଯେଉଁମାନଙ୍କ ପାଇଁ ସଡ଼କ ଓ ପରିବହନ ଭଳି ମୌଳିକ ଭିତିଭୂମି ସୁବିଧା ନାହିଁ । ଏମ୍ଏଚ୍ଡି ଦ୍ୱାରା ସୃଷ୍ଟି ହୋଇଥିବା ସକାରାତ୍ମକ ପ୍ରଭାବକୁ ଶ୍ରମ କମିସନର ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପ୍ରଶଂସା କରିଛନ୍ତି ।
“ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅନୁରୋଧକୁ ଗ୍ରହଣ କରିବା ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ଟିପିସିଓଡିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଶାଖାର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି । ମୁଁ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଛି ଯିଏ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରି ସେବାକୁ ସୀମାରେ ଥିବା ସବୁଠୁ ଦୁର୍ଗମ ଗ୍ରାମ ଇ ପୁଟିପାଳ ଗ୍ରାମ ପର୍ଯ୍ୟନ୍ତ ବିସ୍ତାର କରିଛନ୍ତି ଏବଂ ଯାହାକୁ ଢେ଼ଙ୍କାନାଳର ମାନ୍ୟବର ଜିଲ୍ଲାପାଳ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଟିପିସିଓଡିଏଲ୍ ଠାରୁ ଏଭଳି ଆହୁୁରି ସିଏସ୍ଆର୍ ଅଭିଯାନକୁ ଆମେ ଚାହିଁରହିଛୁ ବୋଲି ଢେ଼ଙ୍କାନାଳର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଏସ୍ ଏନ୍ ଆଚାର୍ଯ୍ୟ କହିଛନ୍ତି ।’’
ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ସପ୍ତାହକୁ ଛଅ ଦିନ କାର୍ଯ୍ୟକ୍ଷମ ରହୁଛି ଏବଂ ସେଥିରେ ଜଣେ ଏମ୍ବିବିଏସ୍ ଡାକ୍ତର, ଫାର୍ମାସିଷ୍ଟ୍ ଓ ନର୍ସ ରହିଛନ୍ତି । ଏହା ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ପରାମର୍ଶ, ଔଷଧ ଓ ପରିମଳ ସଚେତନତା ପ୍ରଦାନ କରୁଛି । ପରାମର୍ଶ ସମ୍ପର୍କିତ ସାରଣୀକୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି), ଆଶା / ଅଙ୍ଗନବାଡ଼ି ସଦସ୍ୟ ଏବଂ ଚିହ୍ନଟ ହୋଇଥିବା ଅଂଚଳର ସ୍ଥାନୀୟ ଡିଭିଜନାଲ୍ ସଦସ୍ୟମାନଙ୍କ ଜରିଆରେ ବଂଟନ କରାଯାଉଛି । ନିଦାନ ଓ ମାଗଣାରେ ଔଷଧ ପ୍ରଦାନ କରିବା ବ୍ୟତୀତ, ସେମାନେ କିଛି ଅନ୍ୟ ଲକ୍ଷଣ ଚିହ୍ନଟ କଲେ ଯାହା ଅଧିକ ଯତ୍ନ ଓ ଚିକିତ୍ସା ଦରକାର ହେଉଥିବ ସେଭଳି ମାମଲାରେ ରୋଗୀଙ୍କୁ ଜିଲ୍ଲା ହସ୍ପିଟାଲ୍ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ପରାମର୍ଶ ଦିଆଯାଉଛି । ଏହା ବ୍ୟତୀତ, ବିଶୁଦ୍ଧ ପାନୀୟ ଜଳ, ପାରିପାଶ୍ୱିର୍କ ସ୍ୱଚ୍ଛତା ଆଦି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗ୍ରାମାଚଂଳରେ ସ୍ୱାସ୍ଥ୍ୟ ଓ ପରିମଳକୁ ନେଇ ସଚେତନତା ସୃଷ୍ଟି କରିବାରେ ଏମ୍ଏଚ୍ଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
“ରାଜ୍ୟର ଦୁର୍ଗମ ଅଂଚଳରେ କମ୍ କିମ୍ବା ବିନା କୌଣସି ମୌଳିକ ମେଡିକାଲ୍ ସୁବିଧାରେ ବାସ କରୁଥିବା ସ୍ଥାନୀୟ ଗୋଷ୍ଠୀ ର ଉପେକ୍ଷୀତ ବର୍ଗଙ୍କ ଦୁଆର ମୁହଁରେ ବିନା ମୂଲ୍ୟର ମେଡିକାଲ୍ ସେବା ପହଂଚାଇବାକୁ ଆମେ ପ୍ରତିବଦ୍ଧ ରହିଛୁ । ଗ୍ରାମାଚଂଳରେ ଉତମ ସ୍ୱାସ୍ଥ୍ୟକୁ ଉତମ ଓ ସହଜରେ ପହଂଚାଇବାକୁ ନିଶ୍ଚିତ କରି, ବିଗତ ଚାରି ମାସରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରି ଆମର ଅଭିପ୍ରାୟକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ରାଜ୍ୟରେ ଏକ ସୁ୍ସ୍ଥକର ଗୋଷ୍ଠୀ ଗଠନ କରିବା ଏବଂ ତାହାକୁ ଆମର ସହାୟତା ଦେବାକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତରେ ଆମେ ଏଭଳି ଆହୁରି ଅନେକ ଅଭିଯାନ ଆଣିବୁ ବୋଲି ଟିପିସିଓଡିଏଲ୍ର ସିଇଓ ଏମ୍ ସେନ୍ବାଗମ୍ କହିଛନ୍ତି ।’’
ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଏମ୍ଏଚ୍ଡିର ସଫଳତା ପରେ ଟିପିସିଓଡିଏଲ୍ ପକ୍ଷରୁ ଗତ ମାସରେ ଦ୍ୱିତୀୟ ଏମ୍ଏଚ୍ଡିକୁ କଟକ ଜିଲ୍ଲାର ଗ୍ରାମୀଣ ଗୋଷ୍ଠୀ ଙ୍କ ଲାଭ ପାଇଁ ଉନ୍ମୋଚନ କରାଯାଇଛି ।