କ୍ରୀଡ଼ାରେ ମଧ୍ୟ ଭବିଷ୍ୟତ ଅଛି: ଦୂତି ଚାନ୍ଦ
ଭୁବନେଶ୍ୱର: ପ୍ରଥମଥର ଲାଗି ଓଡ଼ିଶାରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍ସିପ୍ କିଟ୍ ବିଶ୍ୱବିଦ୍ୟାଳୟରେ ସୋମବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିସ୍ ବିଶ୍ୱବିଦ୍ୟାଳୟ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହେଉଛି। ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବାକୁ ଏହି ଚାମ୍ପିଅନ୍ସିପରେ ୨୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨୦୦୦ରୁ ଊର୍ଦ୍ଧ୍ୱ ଖେଳାଳି, କୋଚ୍ ଓ ଅଫିସିଆଲ୍ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଖେଳାଳି ଏବଂ ପ୍ରତିଷ୍ଠିତ କୋଚ୍ ରହିଛନ୍ତି। ଏହି ଚାମ୍ପିଅନ୍ସିପ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଅର୍ଜ୍ଜୁନ ପୁରସ୍କାରପ୍ରାପ୍ତ, ଅଲିମ୍ପିଆନ୍ ଦୌଡ଼ରାଣୀ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦ କହିଲେ କ୍ରୀଡ଼ାରେ ମଧ୍ୟ ଭବିଷ୍ୟତ ଉଜ୍ଜ୍ୱଳ। ଦୂତି କହିଲେ ଛାତ୍ରଛାତ୍ରୀମାନେ କ୍ରୀଡ଼ାକୁ ମଧ୍ୟ କ୍ୟାରିଅର୍ କରି ଭବିଷ୍ୟତ ଗଢ଼ି ପାରିବେ। ତେଣୁ ବାପା-ମାଆମାନେ ସେମାନଙ୍କ ପିଲାଙ୍କୁ କ୍ରୀଡ଼ା ପାଇଁ ଉତ୍ସାହିତ କରିବା ଉଚିତ୍। ଏହି ଚାମ୍ପିଅନ୍ସିପରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୫୦୦୦ ଏବଂ ୧୦୦୦୦ମିଟର ଦୌଡ,୧୦୦ ଏବଂ ୪୦୦ମିଟର ବାଧାଦୌଡ଼, ହାଫ୍ ମାରାଥାନ୍, ୨୦ କିଲୋମିଟର ରେସ୍ ୱାକ୍, ଲଙ୍ଗ୍ ଜମ୍ପ୍, ଟ୍ରିପଲ୍ ଜମ୍ପ୍, ହାଇ ଜମ୍ପ୍, ପୋଲ୍ ଭଲ୍ଟ, ସଟ୍ପୁଟ୍, ଡିସକସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ହାମର୍ ଥ୍ରୋ, ହେପ୍ଟାଥଲନ୍, ୩୦୦୦ମିଟର ଷ୍ଟିପଲ୍ ଚେଜ୍, ୪ x ୧୦୦, ୪x ୪୦୦ ମିଟର ରିଲେ ଏବଂ ୪x ୪୦୦ମିଟର ମିକ୍ସଡ୍ ରିଲେ ଆଦି ୨୪ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଏହି ଚାମ୍ପିଅନ୍ସିପ୍ରୁ ଚୀନ୍ର ଚେଙ୍ଗଡୁଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୨ ପାଇଁ ଖେଳାଳି ଚୟନ କରାଯିବ। ଏହି ଚାମ୍ପିଅନ୍ସିପରେ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ୮ କ୍ରୀଡ଼ାବିତ୍ ବାଙ୍ଗାଲୋରଠାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୨ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଲାମାରୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏଲ୍.ବି. ଲକ୍ଷ୍ମୀକାନ୍ତ, କୋଟାୟାମ୍ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ତଥା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୨ ଚୟନ କମିଟି ଅଧ୍ୟକ୍ଷ ଡ. ବିନୁ ଜର୍ଜ ଭର୍ଗିସ୍, ଦ୍ରୌଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ସାଇର ବରିଷ୍ଠ କୋଚ୍ ନାଗପୁରି ରମେଶ, ଓସମାନିଆ ବିଶ୍ୱବିଦ୍ୟାଳୟ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର, ଭାରତୀୟ ବିଶ୍ୱବିଦ୍ୟାଳୟ ଆଥଲେଟିକ ଟିମ ଚୟନ କମିଟି ସଦସ୍ୟ ସଞ୍ଜୟ ଗଡନାୟକ, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।