ହେଡଲାଇନସ୍:

ବ୍ୟକ୍ତିକୁ ସବୁ ବେଳେ ଈଶ୍ୱରଙ୍କ ସ୍ମରଣ କରିବା ଉଚିତ୍- ରାଷ୍ଟ୍ରପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ବିଶ୍ୱ ବୈଷ୍ଣବ ସମ୍ମିଳନୀ’କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ

ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ବାର୍ତାକୁ ଏକବିଂଶ ଶତାବ୍ଦୀରେ ମାନବ କଲ୍ୟାଣ ପାଇଁ ଉପଯୋଗ କରିବା-ଧର୍ମେନ୍ଦ୍ର ପ୍ରଧାନ

ପୁରୀ - ମାନବତାକୁ ଆସ୍ଥା ଆଧାରରେ ବାଂଟି ହେବନାହିଁ । ସତ୍ୟ ଏକ୍, ଏହାକୁ ବାଂଟି ହେବ ନାହିଁ । ବ୍ୟକ୍ତିକୁ ସବୁ ବେଳେ ଈଶ୍ୱରଙ୍କ ସ୍ମରଣ କରିବା ଉଚିତ ବୋଲି ପୁରୀର ଶରଧାବାଲି ଠାରେ ଆୟୋଜିତ ‘ବିଶ୍ୱ ବୈଷ୍ଣବ ସମ୍ମିଳନୀ’କୁ ଉଦ୍ଘାଟନ କରିବା ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉଦବୋଧନ ଦେଇଛନ୍ତି ।
ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ତିନି ବର୍ଷିଆ ଜୟନ୍ତୀ ସମାରୋହର ଉଦଘାଟନୀ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି କହିଛନ୍ତି ଇଶ୍ୱରଙ୍କ ପ୍ରତି ନିରନ୍ତର ପ୍ରେମ-ଭାବ ତଥା ସମାଜକୁ ସମାନତାର ଡୋରିକୁ ଯୋଡ଼ିବାରେ ଚୈତନ୍ୟ ମହାପ୍ରଭୁଙ୍କ ଅଭିଯାନ ତାଙ୍କୁ ଭାରତୀୟ ସଂସ୍କୃତି ଓ ଭାରତୀୟ ଇତିହାସରେ ଅଦ୍ୱିତୀୟ କରୁଛି । ଚୈତନ୍ୟ ମହାପ୍ରଭୁଙ୍କ ଶକ୍ତି । ଯେଉଁ ମହାନ ବଟ୍ଟବୃକ୍ଷକୁ ସେ ବିକଶିତ କରିଥିଲେ, ତାହାରର ବିଭିନ୍ନ ଶାଖା ପ୍ରଶାଖା ଗୁଡ଼ିକ ଦେଶ ବିଦେଶରେ ପ୍ରସ୍ଫୁଟିତ ହୋଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।
ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀଳ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସାଧୁସନ୍ଥ, ଶ୍ରୀଚୈତନ୍ୟ ମହାପ୍ରଭୁ ଓ ଶ୍ରୀଳ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ବାର୍ତା ହେଉଛି “ସମାଜ ଜାଗ୍ରତ ହେଲେ ଦେଶ ଜାଗ୍ରତ ହେବ ଓ ଦେଶ ଜାଗ୍ରତ ହେଲେ ମାନବ କଲ୍ୟାଣ ହେବ” । ସମସ୍ତେ ଏ ମହତ ବାର୍ତାକୁ ଏକବିଂଶ ଶତାବ୍ଦୀରେ ମାନବ କଲ୍ୟାଣ ପାଇଁ ଉପଯୋଗ କରିବା ଓ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।
ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ବାର୍ତା, ସାହିତ୍ୟ ଓ ବିଚାରଧାରା ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ରେ ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଏହି ଶିକ୍ଷା ନୀତିର ଗୋଟିଏ ଗୋଟିଏ ପୃଷ୍ଠାରେ ଶିକ୍ଷାକୁ ଆଧୁନିକ ସହ ଆତ୍ମନିର୍ଭର ନାଗରିକ ତିଆରି କରିବାର ଲକ୍ଷ୍ୟ ରହିଛି ।
ଭାରତବର୍ଷରେ ମୋଗଲ ସାମ୍ରାଜ୍ୟ ଶେଷ ହେବା ସମୟରେ ଏବଂ ବ୍ରିଟିଶ ଶାସନର ପଦଧ୍ୱନୀ ଭାରତ ଆଡ଼କୁ ମାଡ଼ି ଆସୁଥିବା ବେଳେ, ଏଭଳି ଏକ ମୁହୂର୍ତରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପ୍ରେମମୟ ଓ ସ୍ନେହପୂର୍ଣ୍ଣ ବାର୍ତାର ଉତ୍ପତି ହୋଇଥିଲା ଏବଂ ଏହି ବୈଶ୍ୱିକ ବିଚାର ଲୋକମାନଙ୍କ ମଧ୍ୟରେ ନୂଆ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିଥିଲା । ବର୍ତମାନର ମହାମାରୀ ସମୟରେ ବିଶ୍ୱ ଦୋ’ ଛକିରେ ଛିଡ଼ା ହୋଇଥିବା ବେଳେ ଭାରତ ଏକବିଂଶ ଶତାବ୍ଦୀରେ ନୂଆ ଦିଗକୁ ଅଗ୍ରସର ହେଉଛି । ଦେଶରେ ଅର୍ଥନୀତିର ଅଭିବୃଦ୍ଧି ସହ ସମାଜ ନୀତି, ବୈଶ୍ୱିକ ଦାୟିତ୍ୱକୁ ପୂରଣ କରିବା ଦେଶର ଦାୟିତ୍ୱ ହୋଇଛି । ଏହି ସମୟରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ହରେକୃଷ୍ଣ ମହାମନ୍ତ୍ରର ପ୍ରସାର ଏବଂ ଶ୍ରୀଳ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୌସ୍ୱାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଗୌଡ଼ୀୟ ମିଶନର ବିଚାରଧାରା ପ୍ରାସଙ୍ଗିକତା ରଖୁଛି ।
ଶ୍ରୀ ପ୍ରଧାନ କହିଛନ୍ତି ଆଜିର ‘ବିଶ୍ୱ ବୈଷ୍ଣବ ସମ୍ମିଳନୀ'ରେ ମହାମହିମ ରାଷ୍ଟ୍ରପତି ଏବଂ ସାଧୁସନ୍ଥଙ୍କ ସହ ଅଂଶଗ୍ରହଣ ଅଭୁତପୂର୍ବ ଉତ୍ସାହ ଓ ଆନନ୍ଦ ଦେଇଛି । ଏଥିପାଇଁ ମହାମହିମ ରାଷ୍ଟ୍ରପତି ଓ ଉପସ୍ଥିତ ସମସ୍ତଙ୍କୁ ଓଡ଼ିଶା ମାଟିରୁ କେନ୍ଦ୍ରମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଶ୍ରୀ ଗୋପିନାଥ ଗୌଡ଼ୀୟ ମଠର ଆଚାର୍ଯ୍ୟ ଶ୍ରୀମଦ୍ ଭକ୍ତିବିଭୂଧ ବୋଧୟାନ ମହାରାଜ, ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ଆଚାର୍ଯ୍ୟ ଶ୍ରୀମଦ ଭକ୍ତିବିଚାର ବିଷ୍ଣୁ ମହାରାଜ, ଗୌଡ଼ୀୟ ମିଶନର ଆଚାର୍ଯ୍ୟ ଭକ୍ତିସୁନ୍ଦର ସନ୍ନ୍ୟାସୀ ମହାରାଜ ଏବଂ ଶ୍ରୀକ୍ଷେତ୍ର ସାରସ୍ୱତ ଗୌଡ଼ୀୟ ବୈଷ୍ଣବ ସଂଘର ଅନେକ ସାଧୁସନ୍ଥ ଯୋଗଦେଇଥିଲେ ।
ସୂଚନାଯୋଗ୍ୟ, ପୁରୀ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ପ୍ରଥମେ ପୁରୀ ରାଜଭବନ ପ୍ରାଙ୍ଗଣରେ ମହାମହିମ ରାଷ୍ଟ୍ରପତି ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ଚତୁର୍ଦ୍ଧାମୂର୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗୋଡୀୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ସମ୍ମୁଖରୁ ନୀଳଚକ୍ର ପତିତପାବନ ବାନାଙ୍କ ଦର୍ଶନ କରିଥିଲେ ।

0
0
0
s2sdefault