ପଦ୍ମପୁର,(ନୀଳ ଦୀପ )
ବରଗଡରୁ ନୁଆପଡାକୁ ଭାୟା ପଦ୍ମପୁର ରେଲ ଲାଇନ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବୀ ହେଇ ଆସୁଥିଲେ ଏଥି ପ୍ରତି କୌଣସି କୌଣସି ସରକାର ଆନ୍ତରିକତା ଦେଖାଉ ନ ଥିବା ଅଭିଯୋଗ ହୋଇ ଆସୁଛି । ଏହି ରେଲ ଲାଇନ ନିର୍ମାଣ ହେଲେ ବରଗଡ ଓ ରାୟପୁର ମଧ୍ୟରେ ଶହେ କିଲୋମିଟରରୁ ଉଦ୍ଧ୍ୱର୍ ଦୁରତା କମିଯିବା ସହିତ ଏହି ରେଲଲାଇନ ଫଳରେ ଅପେକ୍ଷାକୃତ ଅନୁନ୍ନତ ତଥା ଅବହେଳିତ ପଦ୍ମପୁର ଅଂଚଳର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଏଣୁ ଏହି ଦାବୀକୁ ପୁଣି ଥରେ ଜୋରସୋର ଭାବରେ ଉପସ୍ଥାପନ କରିବା ପାଇଁ ପଦ୍ମପୁର ନାଗରୀକ କମିଟୀ ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ଅବସରରେ ପଦ୍ମପୁର ନାଗରୀକ କମିଟୀର ସମ୍ପାଦକ ଅଜିତ ଶତପଥିଙ୍କ ଆବାହକତ୍ୱରେ ରବିବାର ଦିନ ସ୍ଥାନୀୟ ମାରୱାଡି ଧର୍ମସାଳା ପରିସରରେ ପଦ୍ମପୁରର ବିଭିନ୍ନ ଅନୁଷ୍ଠାନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାଇକମାଲ ନାଗରୀକ କମଟୀର ସଦସ୍ୟମାନେ ମଧ୍ୟ ଏହି ଦାବୀକୁ ସମର୍ଥନ ଜଣାଇ ଏହି ବୈଠକରେ ସାମିଲ ହୋଇଥିଲେ । ବରିଷ୍ଠ ସଦସ୍ୟ ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଏକ ମିଳିତ କାର୍ଯାନୁଷ୍ଠାନ କମିଟୀ ଗଠନ କରାଯାଇ ଏଥିରେ ପଦ୍ମପୁର ନାଗରୀକ କମିଟୀର ସଭାପତି ରାମଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ଅଜିତ ଶତପଥି, ବଣିକ ସଙ୍ଘ ସଭାପତି ପ୍ରତାପ ମିଶ୍ର, ଓକିଲ ସଙ୍ଘ ସଭାପତି ଯୋଗେନ୍ଦ୍ର ଭୋଇ, ବସ ମାଲିକ ସଙ୍ଘରୁ ସାମୁଏଲ ହୁସେନ, ଟ୍ରକମାଲିକ ସଙ୍ଘରୁ ରମେଶ ଅଗ୍ରୱାଲ, ଧରମ ପାଢୀ, ସାମ୍ବାଦିକ ବିଜୟ ସାହୁଙ୍କୁ ମନୋନିତ କରାଯାଇଥିଲା । ଏଥି ସହିତ ଏହି ରେଲ ଲାଇନ ଆସୁଥିବା ବିଜେପୁର, ମେଲଛାମୁଣ୍ଡା ଓ ମାଣ୍ଡୋସିଲ ଗ୍ରାମର ଜନସାଧାରଣଙ୍କୁ ଏହି ଆନେ୍ଦାଳନରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ଉକ୍ତ ଗ୍ରାମମାନଙ୍କରେ ବୈଠକର ଆୟୋଜନ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ କମିଟୀରେ ସଦସ୍ୟ ଭାବରେ ଜଡିତ କରିବା ପାଇଁ ସ୍ଥିର କରାଯାଇଥିଲା । ଆହୁରି ମଧ୍ୟ ଆସନ୍ତା ଦିନରେ ଏହି କମିଟୀ ଦିଲ୍ଲୀ ଯାଇ କେନ୍ଦ୍ରୀୟ ରେଲ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ ଏହି ଦାବୀକୁ ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଭା ଶେଷରେ ଗୋବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।












