-
ଓଡିଶା ବିଜେପି କରେ ତୋ କ୍ୟା କରେ : ବାରମାସର ତପସ୍ୟା ଯାଉଛି ଶୁଖୁଆ ପୋଡ଼ାରେ
-
ଏଠି ଗର୍ଜନ ତର୍ଜ୍ଜନ କରୁଛି ବିଜେପି, ସେଠି ଓଡିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ "ପ୍ୟାର କି ଝପ୍ପୀ"
ଭୁବନେଶ୍ୱର (ଶାସକ ପ୍ରଶାସକ) ସତରେ ଓଡିଶା ବିଜେପିର କଥା ଭାବିଲା ବେଳକୁ ଉପା ସରକାର ବେଳେ ଓଡିଶା କଂଗ୍ରେସର ଦୟନୀୟ ସ୍ଥିତି କଥା ମାନେ ପଡିଯାଉଛି | ସେତେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଓଡିଶା କଂଗ୍ରେସ ନେତା ମାନେ ଗର୍ଜ୍ଜନ ତର୍ଜ୍ଜନ କରୁଥିବା ବେଳେ କେନ୍ଦ୍ରରୁ ମନ୍ତ୍ରୀ ବା ସଚିବ ଆସି ଓଡିଶା ସରକାରଙ୍କୁ ଓଡ଼ିଶାରେ ପ୍ରଶଂସାରେ ପୋତି ପକାଇ କଂଗ୍ରେସ ନେତାଙ୍କୁ ଵ୍ୟାକଫୁଟକୁ ନେଇଯାଉଥିଲେ ଏବେ ତା ଠାରୁ ବତ୍ତର ଅବସ୍ଥା ବା ଦୟନୀୟ ସ୍ଥିତି ଓଡିଶା ବିଜେପିର | ବିଭିନ୍ନ ପ୍ରସଙ୍ଗରେ ଓଡିଶା ବିଜେପି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଲା ବେଳେ କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ରୀୟ ସଚିବ, କେନ୍ଦ୍ରୀୟ ପଦାଧିକାରୀ ପ୍ରଶଂସା କରିବା ସହ ପ୍ରଶସ୍ତି ପତ୍ର ପ୍ରଦାନ କରୁଛନ୍ତି | ଯେଉଁଠି ପାଇଁ ବିଜେପି "ଗୋଦର କୋଡେ ଯେତେ ମାଡ଼େ ସେତେ" ଭଳି | ସେ ଯାହା ଥିଲା ଥିଲା , ସଂସଦରେ ଅନ ରେକର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲା ପରେ ଏବେ ରାଜ୍ୟ ବିଜେପିର ଅବସ୍ଥା "ଚୋର ମା ଯଦି କାନ୍ଦେ ଦୁଆର ଦେଇ କାନ୍ଦେ" ଭଳି ହୋଇଯାଇଛି | ରାଜ୍ୟ ସରକାରଙ୍କୁ ଖଣିଚୋର ଆଖ୍ୟା ଦେଇ ବିଜେପି ନେତାଏ ହାଇ ଭୋଲ୍ଟେଜ ବିବୃତି ଦେଲାବେଳେ ସେପଟେ ଖୋଦ ପ୍ରଧାନମନ୍ତ୍ରୀ ପବିତ୍ର ଗୃହରେ ମୁକ୍ତ କଣ୍ଠରେ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ପ୍ରଶଂସା ଅଜାଡି ଦେବା ଆଉ ଖଣି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଓଡିଶା ଏକମାତ୍ର ରାଜ୍ୟ ସ୍ୱଚ୍ଛତା ଓ ଦକ୍ଷତାର ସହ କାର୍ଯ୍ୟ କରିଛି ବୋଲି ସାର୍ଟିଫିକେଟ ଦେବା ରାଜ୍ୟ ବିଜେପିକୁ କଟା ଘାରେ ଚୂନ ଦେଇଛି | ବାରମାସର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ପରି ହୋଇଯାଇଛି | ଯେଉଁ ଦୁର୍ନୀତିକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଆକ୍ରମଣ କରି ଆସୁଥିଲା ସେଇ ଅଭିଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପଦିଏ କଥା ଭାଏଁ ଭାଏଁ ଉଡେଇ ଦେଇଛି | ଆଉ ରାଜ୍ୟ ସରକାର ଓ ନବୀନ ବାବୁଙ୍କୁ ଦେଇଛି କ୍ଲିନ ଚିଟ | ତେଣୁ ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଙ୍କ ମୁଖ ନିସୃତ ବାଣୀ ବିଜେଡ଼ିକୁ ଊତ୍ସହିତ ତଥା ମୁଖର କରିଥିବା ବେଳେ ବିଜେପିନେତାଙ୍କ ଲାଗି ଅପଦସ୍ତ ପରିସ୍ଥିତି ସୃଷ୍ଟି କରିଛି | ଚୋର ମା ଯଦି କାନ୍ଦେ ଦୁଆର ଦେଇ କାନ୍ଦିଲା ଭଳି ରାଜ୍ୟ ବିଜେପି ଯନ୍ତ୍ରଣା ସହି ପାରୁନି କି କାହାକୁ କହିପାରୁନି | ତଥାପି ଏତେବଡ ଝଟକା ପରେ ଡ୍ୟାମେଜେ କଣ୍ଟ୍ରୋଲ ପାଇଁ ବିଜେପି ବାଟ ଖୋଜିବା ଆରମ୍ଭ କରିଦେଇଛି |
ଲଗାତାର ଭାବେ ବିଜେଡ଼ି ସରକାର ବିରୋଧରେ ରାଜ୍ୟ ବିଜେପି ଖଣି ଦୁର୍ନୀତିକୁ ବଡ଼ ପ୍ରସଙ୍ଗ କରି ନବୀନ ସରକାରକୁ ଘେରି ଆସୁଛି । ଏବେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହାକୁ ଅନ୍ୟତମ ଅସ୍ତ୍ର ଭାବେ ବ୍ୟବହାର କରୁଛି | ହେଲେ ଖଣି ପ୍ରସଙ୍ଗରେ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଭାଷଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖଣି ଓ କୋଇଲା କ୍ଷେତ୍ରରେ ନୂଆ ସଂସ୍କାର ଆଣିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ଗତ ବର୍ଷକରେ ଦେଶରେ ଖଣି ରାଜସ୍ୱ ୧୪ ହଜାର କୋଟିରୁ ବୃଦ୍ଧି ପାଇ ୩୫ ହଜାର କୋଟିରେ ପହଞ୍ଚିଛି । ଏହାଦ୍ୱାରା ରାଜ୍ୟ ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି । ଏହି ଖଣିଜ ସଂସ୍କାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ପ୍ରଶଂସନୀୟ । କେନ୍ଦ୍ର ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଓଡିଶା ଏକମାତ୍ର ରାଜ୍ୟ ସ୍ୱଚ୍ଛତା ଓ ଦକ୍ଷତାର ସହ କାର୍ଯ୍ୟ କରିଛି | ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।"
ଏତକ ଶୁଣିଲା ପରେ ବିଜେପି ନେତାଙ୍କ ମୁହଁ ଅବସ୍ଥା ଲାଜକୁଳୀ ଲତା ପରି ହୋଇଯାଇଛି | ବିଜେଡି ପାଇଁ ଏହା ବୁଷ୍ଟର ଡୋଜ ଭଳି ହୋଇଛି | ଏହାକୁ ନିଜର ମାନପତ୍ର ଭାବେ ବ୍ୟବହାର କରି ଲୋକଙ୍କ ପାଖକୁ ଯିବାର ବାଟ ଖୋଲି ଦେଇଥିବା ବେଳେ ରାଜ୍ୟ ବିଜେପିକୁ ସଙ୍ଗ ରୋଧକୁ ଠେଲି ଦେଇଛି | ଆଉ ସୋସିଆଲ ମେଡିଆରେ ରାଜ୍ୟ ବିଜେପି ଏବେ ବେଶୀ ଟ୍ରଲ ହେଉଥିବା ଦେଖୁବାକୁ ମିଳିଛି |
ଏ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଙ୍କ ପ୍ରତିକ୍ରିୟା ଆସି ନ ଥିଲେ ମଧ୍ୟ ବିଜେଡ଼ି ମହଲକୁ କିନ୍ତୁ ଏହା ବିଶେଷ ଉତ୍ସାହିତ କରିଛି । ପ୍ରଧାନମନ୍ତ୍ରୀଙ୍କଠାରୁ ରାଜ୍ୟ ବିଜେପି କିଛି ଶିଖୁ ବୋଲି ଦଳୀୟ ନେତାମାନେ କଟାକ୍ଷ କରିଛନ୍ତି । କେବଳ ଖଣିଜ ସଂସ୍କାର ନୁହେଁ, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ରଣୀ ଭୂମିକାରେ ଅଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ରୋଲ୍ ମଡେଲ ବୋଲି ବାରମ୍ବାର ପ୍ରମାଣିତ ହୋଇସାରିଥିବା ବିଜେଡି କହିଛି |