ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ 

ବିଜ୍ଞାନ ଓ ସମାଜ ମୁଖ୍ୟ ବସ୍ତୁ ଉପରେ ଆଧାରିତ ଜିଲ୍ଲାର ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଗଜପତି ଜିଲ୍ଲାରେ ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟାର ଅଭିବୃଦ୍ଧି ପାଇଁ ହାଇସ୍କୁଲ ସ୍ତରରେ ଛାତ୍ରଛାତ୍ରୀ ମାନେ ଏହାର ପ୍ରଚାର ଓ ପ୍ରସାର ଦିଗରେ କିଭଳି ସହାୟକ ହୋଇପାରିବେ ଏବଂ ବିଭିନ୍ନ କୌଶଳ ମାଧ୍ୟମରେ ବିଜ୍ଞାନ ଭିତ୍ତିକ ନାଟକ ପ୍ରଦର୍ଶନ କରାଇବେ ଏହା ହିଁ ପ୍ରତିଯୋଗିତାରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନୋରଞ୍ଜନ ଦଳାଇ ଯୋଗଦେଇ ସମାଜରେ ସ୍ୱଚ୍ଛ ବାତାବରଣ ପାଇଁ ଏକ ସଠିକ ବାର୍ତ୍ତା ଏବଂ ଦିଗଦର୍ଶନ ଦେଲାଭଳି ବିଜ୍ଞାନ ଭିତ୍ତିକ ନାଟକ ପରିବେଷଣ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ କୁମାର ସ୍ୱାଇଁ ଜିଲ୍ଲା ବିଜ୍ଞାନ ଫୋରମର ସଭାପତି ବାଳକୃଷ୍ଣ ମାଝୀ ଏବଂ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପାଢୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ୩ଜଣ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ବିଚିତ୍ରାନନ୍ଦ ବେବର୍ତ୍ତା, ବାଲନନ୍ଦ ରଥ ଏବଂ ପ୍ରଫୁଲ ପାଣିଗ୍ରାହୀ ନାଟକ ପ୍ରତିଯୋଗିତା ର ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଏହି ପ୍ରତିଯୋଗିତାରେ ୧୧ଟି ବିଦ୍ୟାଳୟର ୧୧ଟି ଦଳରେ ୮୮ଜଣ ପ୍ରତିଯୋଗୀ ଦଳଗତ ଭାବେ ସ୍ୱଚ୍ଛ ଭାରତ, ଡିଜିଟାଲ ଇଣ୍ଡିଆ, ନିଶା ନିବାରଣ, ସ୍ୱାସ୍ଥ୍ୟ ସୁରକ୍ଷା, ବୃକ୍ଷ ହିଁ ଜୀବନ ଓ ଜଙ୍ଗଲ ସୁରକ୍ଷା ଓ ପରିବେଶ ପ୍ରଦୁଷଣ ପ୍ରଭୃତି ବିଷୟ ଉପରେ ସମାଜକୁ ଏକ ବାର୍ତ୍ତା ଦିଗ ଦର୍ଶନ ଦେବାଭଳି ନାଟକ ପରିବେଷଣ କରିଥିଲେ । ପ୍ରତିଯୋଗିତାରେ ପ୍ରଥମ ପାରଳା ମୁନିସିପାଲଟି ହାଇସ୍କୁଲ ଦ୍ୱିତୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ତୃତୀୟ ମାର୍ଲବା ହାଇସ୍କୁଲ ହୋଇଥିଲେ । ପ୍ରଥମ ହୋଇଥିବା ପାରଳା ମୁନିସପାଲଟି ହାଇସ୍କୁଲ ଦଳ ଆସନ୍ତା ଅଗଷ୍ଟ ମାସ ୧ ଓ ୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ପ୍ରତିଯୋଗିତା ପାଇଁ ନବରଙ୍ଗପୁର ଯିବାକୁ ମନୋନୀତ ହୋଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦଳାଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।

 

 

0
0
0
s2sdefault