ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ମାନର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ମୋ’କଲେଜ ଅଭିଯାନ ନିରନ୍ତର ପ୍ରୟାସ କରିଚାଲିଛି। ଏହି ଅଭିଯାନ ଅଧୀନରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇ ନିଜେ ପାଠ ପଢ଼ିଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ସହଯୋଗର ହାତ ବଢ଼ାଉଛନ୍ତି। ଏହି କ୍ରମରେ ରାଜ୍ୟର ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କ ପରିବାର ଲୋକେ ମୋ’କଲେଜ ଅଭିଯାନ ଅଧୀନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ମୋଟ ୧୭ ଲକ୍ଷ ଟଙ୍କା ଅର୍ଥରାଶି ଦାନ କରିଛନ୍ତି।
ମୋ’କଲେଜ ଅଭିଯାନ ଅଧୀନରେ ଶ୍ରୀମତୀ ଶ୍ୱେତପଦ୍ମା ଦାଶ ନିଜର ପରଲୋକଗତ ମାତା ତଥା ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ମନୋରମା ମହାପାତ୍ରଙ୍କ ସ୍ମୃତିରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରାଶିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମନୋରମା ସ୍ମାରକୀ ହଲ୍ ନିର୍ମାଣ କରାଯିବ।
ସେହିପରି ପ୍ରଭାତି ମିଶ୍ର, ଡକ୍ଟର ପ୍ରଣତି ମିଶ୍ର, ରଞ୍ଜନ ମିଶ୍ର ଓ ପ୍ଲାଜ୍ମନ ମିଶ୍ର ନିଜର ପରଲୋକଗତ ପିତା ତଥା ବୈଜ୍ଞାନିକ ପ୍ରଫେସର ପତିତପାବନ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୭ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ସ୍ମାର୍ଟ କ୍ଲାସ୍ରୁମ୍ ନିର୍ମାଣ କରାଯିବ।
“ପୁରାତନ ଛାତ୍ରଛାତ୍ରୀମାନେ ପାଠ ପଢ଼ିଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ସହ ପୁଣି ଥରେ ଯୋଡ଼ିହୋଇ ସମାଜ ପ୍ରତି ନିଜର ଅବଦାନ ଦେବାରେ ଏକ ପ୍ଲାଟଫର୍ମ ହେଉଛି ମୋ’କଲେଜ। ଶିକ୍ଷାନୁଷ୍ଠାନ ତଥା ଛାତ୍ରଛାତ୍ରୀଙ୍କ ମଙ୍ଗଳ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଅର୍ଥରାଶି, ସେବା, ସମୟ କିମ୍ବା ଅନ୍ୟ ଯେକୌଣସି ଆକାରରେ ନିଜର ଅବଦାନ ଦେଇପାରିବେ। ମୋ’କଲେଜ ଅଭିଯାନ ଅଧୀନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ନିଜେ ପାଠ ପଢ଼ିଥିବା କଲେଜ ଏବଂ ବିଶ୍ୱବିଦ୍ୟାଳୟ ସହ ଯୋଡ଼ିହୋଇ ନିଜର ଅବଦାନ ରଖୁଛନ୍ତି”, କହିଛନ୍ତି ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ।
ତେଣୁ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦତ୍ତ ମୋଟ ୧୭ ଲକ୍ଷ ଟଙ୍କାର ଅନୁଦାନ ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିରେ ନିର୍ମାଣ ହେବାକୁ ଥିବା ଭିତ୍ତିଭୂମି ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ଦୁଇଗୁଣା ଅନୁଦାନ ଯୋଗାଇଦେବେ।
ଶ୍ରୀମତୀ ମନୋରମା ମହାପାତ୍ର ଓଡ଼ିଶାର ଜଣେ ସଶକ୍ତ ନାରୀ ସ୍ୱର ଥିଲେ। ସେ ଏକାଧାରରେ ପ୍ରତିଷ୍ଠିତ ଲେଖିକା, ବକ୍ତା, ସ୍ତମ୍ଭକାର ତଥା ‘ସମାଜ’ଖବରକାଗଜର ପୂର୍ବତନ ସମ୍ପାଦିକା ଥିଲେ। ନିଜର ସାହିତ୍ୟ କୃତୀ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, ସୋଭିଏତ୍ ନେହେରୁ ସମ୍ମାନ, କ୍ରିଟିକ୍ ସର୍କଲ ଅଫ୍ ଇଣ୍ଡିଆ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ସମ୍ମାନ, ରୂପାମ୍ବରା ସମ୍ମାନ ଆଦିରେ ଭୂଷିତ ହୋଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ସମ୍ମାନଜନକ ରେଭେନ୍ସା ଗୌରବ ସମ୍ମାନ ମଧ୍ୟ ହାସଲ କରିଥିଲେ।
ସେହିପରି ପ୍ରଫେସର ପତିତପାବନ ମିଶ୍ର ଜଣେ ବିଶିଷ୍ଟ ବୈଜ୍ଞାନିକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଥିଲେ। ୧୯୫୬ ମସିହାରେ ଅଧ୍ୟାପକ ଭାବରେ ସେ ପ୍ରଥମେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ସେ ରିଡର, ତତ୍କାଳୀନ ରେଭେନ୍ଶା କଲେଜରେ ପ୍ରଫେସର ତଥା ଖଲ୍ଲିକୋଟ କଲେଜର ଅଧ୍ୟକ୍ଷ ହୋଇଥିଲେ। ନିଜର ଅଧ୍ୟାପନା ପାଇଁ ରେଭେନ୍ସା ଓ ଏହାର ଛାତ୍ରଛାତ୍ରୀଙ୍କର ସେ ପ୍ରିୟଭାଜନ ହୋଇପାରିଥିଲେ।