ହେଡଲାଇନସ୍:

କୃଷି ବିକାଶ ପଥେ ଗଜପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସବୁଜ ବିପ୍ଲବର ଆଗମନ ପରେ ସମସ୍ତ ଭାରତୀୟଙ୍କ ଖାଦ୍ୟସୁରକ୍ଷା ପ୍ରତି ଯଥାସମ୍ଭବ ଦୃଷ୍ଟି ଦେବାକୁ ଦେଶ ସର୍ବଦା ହୋଇଛି ଚେଷ୍ଟିତ । ମୁଖ୍ୟତଃ ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶାର ସ୍ଥାନ ଦେଶରେ ସ୍ବତନ୍ତ୍ର । ବାରମ୍ବାର କୃଷିକର୍ମଣ ପୁରସ୍କାର ପାଇବା ଏହାର ଜ୍ବଳନ୍ତ ନିଦର୍ଶନ ।
କୃଷିଭିତ୍ତିକ ନୂଆ ନୂଆ ଲୋକାଭିମୁଖୀ ଯୋଜନାର ପ୍ରଣୟନ ଓ ସଫଳ ରୂପାୟନ କ୍ଷେତ୍ରରେ ଗଜପତି ଜିଲ୍ଲା ଗ୍ରହଣ କରିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହା ସେହି ଅଳ୍ପ କିଛି ଜିଲ୍ଲା ମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ଗତ ୫ ରୁ ୧୦ ବର୍ଷ ମଧ୍ୟରେ କୃଷିକ୍ଷେତ୍ରରେ ଲାଭ କରିଛି ଅଭୂତପୂର୍ବ ଉନ୍ନତି ଏବଂ ଅନ୍ୟ ଜିଲ୍ଲାମାନଙ୍କ ପାଇଁ ସାଜିଛି ପ୍ରେରଣାର ଉତ୍ସ ।
ବିଗତ ବର୍ଷ ମାନଙ୍କ ତୁଳନାରେ , ଚଳିତବର୍ଷ ଗଜପତି ଜିଲ୍ଲାରେ ମଣ୍ଡିରେ ଧାନକ୍ରୟ ପ୍ରକ୍ରିୟାରେ ଆଖିଦୃଶିଆ ପ୍ରଗତି ପରିଲକ୍ଷିତ ହୋଇଛି । ୨୦୨୧-୨୨ ଖରିଫ ଋତୁ ପାଇଁ ୧୨୭୪୨ ପଂଜୀକୃତ କୃଷକ ମାନଙ୍କ ଠାରୁ ୫୬୧୧୯.୪୦୨ ମେଟ୍ରିକ ଟନ୍ ଧାନ ଓ ୩୭୬୦୦.୦୦୦ ମେଟ୍ରିକ ଟନ୍ ଚାଉଳ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସ୍ଥଳେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ପ୍ରତି କୁଇଣ୍ଟାଲ ଓ ଗ୍ରେଡ୍-ଏ ପାଇଁ ୧୯୬୦ ପ୍ରତି କୁଇଣ୍ଟାଲ୍ ସ୍ଥିର କରାଯାଇଛି ।
କେବଳ ସେତିକି ନୁହେଁ , ଜିଲ୍ଲାରେ "କୃଷକ କ୍ୟାଣ୍ଟିନ୍ " ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ଯେଉଁଥିରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ଖାଦ୍ୟ ପ୍ରସ୍ତୁତ କରାଯାଇ କୃଷକମାନଙ୍କୁ ଧାନକ୍ରୟ ସମୟରେ ବିତରଣ କରାଯାଉଛି ଯଦ୍ଵାରା କୃଷିକ୍ଷେତ୍ରରେ ମନୋନିବେଶ ପାଇଁ ସେମାନଙ୍କ ଆଗ୍ରହ ବଢିବା ସହ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି ।
ଯେଭଳି ରାଜ୍ୟ ସରକାରଙ୍କ "ମିଶନ ଶକ୍ତି " କାର୍ଯ୍ୟକ୍ରମ ମହିଳାମାନଙ୍କୁ ଅର୍ଥନୈତିକ ସ୍ତରରେ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆତ୍ମସମ୍ମାନ ଫେରାଇଆଣିବାରେ ସର୍ବଶ୍ରେଷ୍ଠ ମାଧ୍ୟମ ସାଜିଛି , ସେହି ସମାନ ଧାରାରେ ଗଜପତି ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଣ୍ଡି ରେ ଧାନକ୍ରୟ ପ୍ରକ୍ରିୟାରେ ନିୟୋଜିତ କରି ସେମାନଙ୍କୁ ଆହୁରି ଅଧିକ ସଶକ୍ତ କରିଛି । ଚାରୋଟି ବ୍ଲକ୍ ରେ ପ୍ରାୟ ୪୪ ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ଭାଗ ନେଇ ରାଜ୍ୟ ଅର୍ଥନୀତିକୁ ଆହୁରି ଅଧିକ ସୁଦୃଢ କରିଛନ୍ତି ।
ସେହିପରି ଧାନମଣ୍ଡିର ସୁପରିଚାଳନା କରି ମହିଳା ମାନେ ବିକାଶର ମହାଧାରାରେ ଆପଣାକୁ ସାମିଲ କରିବା ସହ ଦୃଢ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଛନ୍ତି । ଏସଏଚଜି ଓ ଜିପିଏଲଏଫ ( ଗ୍ରାମପଞ୍ଚାୟତ ମହାସଂଘ ) ମଧ୍ୟରେ ୪୦:୬୦ ଅନୁପାତରେ ଲାଭାଂଶ ବଣ୍ଟନ ସମସ୍ତଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରେ ।
ଧାନସଂଗ୍ରହ , ମାନପରୀକ୍ଷଣ , ମିଲର୍ ମାନଙ୍କ ସହ ଯୋଗାଯୋଗ ଠାରୁ ଆରମ୍ଭ କରି ଭବିଷ୍ୟତ ପାଇଁ ଖାଦ୍ୟଶସ୍ୟ ସଂରକ୍ଷଣ କରି ରଖିବା ଆଦି ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ନିୟୋଜିତ ହୋଇଛନ୍ତି । ଏଭଳି ନିୟୋଜନ କେବଳ ଯେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିଛି ତାହା ନୁହେଁ , ପରନ୍ତୁ ଚାଷୀମାନଙ୍କ ହତାଶା ଭାବ ଦୂର କରିବା ସହ ସେମାନଙ୍କ ମୁଖରେ ହସ ଫୁଟାଇପାରିଛି । ଏହିପରି ଗୋଟିକ ପରେ ଗୋଟିଏ ଅଭିନବ ଯୋଜନା ଓ ପ୍ରୟାସ ନିଶ୍ଚିତ ରୂପେ ଗଜପତି ଜିଲ୍ଲାକୁ କୃଷିକ୍ଷେତ୍ରରେ ସଫଳତାର ଶୀର୍ଷସ୍ତରରେ ଉପନୀତ କରାଇବ , ଏଥିରେ ସନ୍ଦେହର ଅବକାଶ ନାହିଁ।

0
0
0
s2sdefault