ହେଡଲାଇନସ୍:

ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜର ଚୋରା ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନର ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର(ଶାସକ ପ୍ରଶାସକ ) : ଖୋର୍ଦ୍ଧା ଜିଲ୍ଲା ଏହାର ଭୌଗୋଳିକ ସ୍ଥିତିକୁ ନେଇ ଲଘୁ ଖଣିଜ ସମ୍ପଦରେ ଭରପୁର ଅଟେ । ଏହି ଜିଲ୍ଲାର ଖୋର୍ଦ୍ଧା,ବେଗୁନିଆ,ଟାଙ୍ଗୀ, ନିକଟବର୍ତ୍ତୀ ଅଞ୍ଚଳ ମୋରମ,ମାଙ୍କଡା ପଥର ଏବଂ ବ୍ଲାକ ମେଟାଲ ଷ୍ଟୋନରେ ସମୃଦ୍ଧ ଥିବା ବେଳେ ଭୁବନେଶ୍ଵର ଏବଂ ଏହାର ନିକଟବର୍ତ୍ତୀ ବାଲିପାଟଣା ଏବଂ ବାଲିଅନ୍ତା ବାଲି ଭଳି ଏକ ଲଘୁ ଖଣିଜ ସମ୍ପଦରେ ଭରପୁର ଅଟେ । କିନ୍ତୁ ଅନ୍ୟ ଜିଲ୍ଲା ଭଳି ଏହି ଜିଲ୍ଲାରେ ମଧ୍ୟ ଏହି ସବୁ ଖଣିଜ ସମ୍ପଦର ଚୋରା ଚାଲାଣକୁ ଜିଲ୍ଲା ପ୍ରଶାସନ ସମ୍ମୁଖୀନ ହୋଇଥାଏ ଏବଂ ଏହା ଜିଲ୍ଲା ପ୍ରଶାସନ ପାଇଁ ଏକ ଆହ୍ଵାନ ମଧ୍ୟ ଅଟେ ।
ଗତ ତା.୨୩.୧୨.୨୦୨୧ରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁ ସଭାରେ କି ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ଉପରେ ବିଶଦ ଆଲୋଚନା କରାଯାଇ ଲଘୁ ଖଣିଜର ସୁରକ୍ଷା ଦିଗରେ ନିରାକରଣ ସ୍ୱରୂପ ନିମ୍ନ ଲିଖିତ ପ୍ରସ୍ତାବ ମାନ ଗୃହୀତ ହୋଇଥିଲା ।
ଖୋର୍ଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ପ୍ରଶାସନର ଦୃଷ୍ଟିକୁ ଆସିଲେ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନ ଅନୁସାରେ ଚୋରା ଚାଲାଣରେ ଜଡିତ ଥିବା ଯାନ,ବାହନ ଉପରେ ତହସିଲଦାର ଟାଙ୍ଗୀ ଓ ତହସିଲଦାର,ଖୋର୍ଦ୍ଧାଙ୍କ ନେତୃତ୍ଵରେ ଗଠିତ ହୋଇଥିବା ସ୍ଵତନ୍ତ୍ର ଦୁଇ ଗୋଟି ଟିମ ଦ୍ଵାରା ଚଢାଉ କରାଯାଇ ଉକ୍ତ ଯାନ,ବାହନ ଜବତ କରାଯିବା ସଙ୍ଗେ ସଙ୍ଗେ ଜବତ ହୋଇଥିବା ଯାନ,ବାହନର ମାଲିକଙ୍କ ଉପରେ ପ୍ରମୁଖ ଦଣ୍ଡ ବିଧାନ ସ୍ୱରୂପ ଉକ୍ତ ଯାନ ବାହନର ମାଲିକଙ୍କ ନାମରେ F.I.R. ଦରଜ କରାଯିବା ସଙ୍ଗେ ସଙ୍ଗେ ଛୋଟ ଯାନ(Light Vehicle) ଉପରେ ଅତି କମରେ ପଚାଶ ହଜାର ଟଙ୍କା ଜୋରିମାନା ଓ ବଡ ଯାନ(Heavy Vehicle) କ୍ଷେତ୍ରରେ ଅତି କମରେ ଏକ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇ ଜୋରିମାନା ଅର୍ଥ ଆଦାୟ କରାଯିବ ।ନିଷ୍ପତ୍ତି ଅନୁଯାୟୀ ଜବତ ଗାଡି ଗୁଡିକର ମାଲିକ ମାନଙ୍କର ସବିଶେଷ ତଥ୍ୟ ହାସଲ କରି ସେମାନଙ୍କ ବିରୁଦ୍ଧରେ ସରକାରୀ ସମ୍ପତ୍ତି ଚୋରୀ ଏବଂ ଲୁଟ କରିଥିବାରୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ତଥା ଗାଡି ଗୁଡିକର ରେଜିଷ୍ଟ୍ରେଶନ ବାତିଲ ଓ ବ୍ୟାଜ୍ୟାପ୍ତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।
OMMC Rule ଧାରା.୫୧ ଅନୁସାରେ ବେନିୟମ ଭାବେ ସରକାରୀ ଜମିରୁ ଉତ୍ତୋଳିତ ଲଘୁ ଖଣିଜର ପରିମାଣକୁ ମାପି ଉକ୍ତ ଖଣିଜ ସମ୍ପତ୍ତିର ଚୋରୀ ମୂଲ୍ୟ ବାବଦରେ ବେଆଇନ ଉତ୍ତୋଳନ କାରୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଆଦାୟ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୁଇ ବର୍ଷ ଜେଲ ଦଣ୍ଡ ଓ ପାଞ୍ଚ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ ।
ଅଧିକନ୍ତୁ ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାର ସମସ୍ତ କୃଷିଜିବୀଙ୍କ କୃଷି କ୍ଷେତ୍ର ଗସ୍ତ କରି ସେମାନେ ବ୍ୟବହାର କରୁଥିବା ପାୱାର ଟିଲ୍ଲର ମେସିନ ଗୁଡିକୁ ପ୍ରତ୍ୟକ୍ଷ ଯାଞ୍ଚ କରି ଏହା ଲଘୁ ଖଣିଜ ସମ୍ପତ୍ତି ଉତ୍ତୋଳନ ପାଇଁ ବ୍ୟବହୃତ କରାଯାଉଛି କି ନାହିଁ ମତାମତ ପ୍ରଦାନ କରିବେ ଯାହା ଅନୁସାରେ କି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନେଇ ଜିଲ୍ଲା କୃଷି ଅଧିକାରୀ ନିଜର ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାରେ ଗତ ତିନି ବର୍ଷ ମଧ୍ୟରେ ସର୍ବ ମୋଟ ୪୭୭ ପାୱାର ଟିଲ୍ଲର ପ୍ରଦାନ କରାଯାଇଅଛି ଯାହା ମଧ୍ୟରୁ କି ଜିଲ୍ଲା କୃଷି ଅଧିକାରୀ ଅଦ୍ୟାବଧି ୧୧୫ ଗୋଟି ପାୱାର ଟିଲ୍ଲର ଯାଞ୍ଚ କରିଛନ୍ତି । ଉକ୍ତ ଯାଞ୍ଚ ସମୟରେ କିଛି ପାୱାର ଟିଲ୍ଲର ଆବଶ୍ୟକୀୟ ଯାଞ୍ଚ ନିମନ୍ତେ ଉପଲବ୍ଧ କରାଯାଇ ନଥିବାରୁ ମାଲିକ ମାନଙ୍କୁ ଆବଶ୍ୟକୀୟ ନୋଟିସ ଦେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗୃହୀତ ପ୍ରସ୍ତାବ ଆଧାରରେ ବିଗତ ତା.୨୪.୧୨.୨୦୨୧ରିଖ ଠାରୁ ଅଦ୍ୟାବଧି ଉକ୍ତ ନିଷ୍ପତ୍ତି ଅନୁଯାୟୀ ତହସିଲଦାର ମାନଙ୍କ ଦ୍ଵାରା ୮୪ ଗୋଟି ଯାନ ଜବତ ହେବା ସହିତ ସର୍ବ ମୋଟ ଟ.୨୪,୪୧,୦୦୦/- ଅସୁଲ କରାଯାଇ ୪୫ ଜଣ ବ୍ୟକ୍ତିବିଶେଷଙ୍କ ଉପରେ F.I.R. ଦରଜ କରାଯାଇଅଛି । ସେହିପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣକୁ ରୋକିବାକୁ ଯାଇ ୭୩୭ ଥର ଚଢାଉ କରାଯାଇ ୪୫୫ ଗୋଟି ଯାନ ଜବତ କରାଯାଇଛି ଓ ସେ ବାବଦରେ ସର୍ବମୋଟ ଟ.୧,୭୦,୮୯,୨୪୬/- ଆଦାୟ କରାଯାଇ ଅଛି ।
ଆଗାମୀ ଦିନରେ ଜିଲ୍ଲାରେ ରାଜସ୍ୱ ବିଭାଗ, ପୋଲିସ, ଏବଂ ଜଙ୍ଗଲ ବିଭାଗ ଦ୍ଵାରା ମିଳିତ ତଥା ସମ୍ମିଳିତ ଭାବରେ ଚଢାଉ କରାଯାଇ ବେଆଇନ ଲଘୁ ଖଣିଜ ଉତ୍ତୋଳନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

0
0
0
s2sdefault