କନ୍ଧମାଳ(ଗଗନ କୁମାର ପ୍ରଧାନ) - ସେମାନଙ୍କ ପାଇଁ ଲଢେଇ କରୁଥିବା ଲୋକଟି ଯତେବେଳେ ନିରବ ନିଶ୍ଚଳ ହୋଇ ଶୋଇଛି, ଆଉ ସେ ନିଦରୁ ଉଠିବାର ସଂଭାବନା ହିଁ ଯେତେବେଳେ ନାହିଁ, ସେଭଳି ପରିସ୍ଥିତିରେ ଜଣେ ନିଜ ଲୋକ ହରାଇବାର ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ସେମାନେ `| ଆଦିବାସୀଙ୍କ ଅଧିକାର ହେଉ, ମଦ ବିରୋଧୀ ଆନ୍ଦୋଳନ ହେଉ, ମହିଳାଙ୍କ ଅଧିକାର ପାଇଁ ହେଉ ବା ମାନବାଧିକାର ପାଇଁ ବା ଆଦିବାସୀ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ହେଉ ଭିଡ ଭିତରେ ନେତୃତ୍ୱ ନେଉଥିବା ସେଇ ପରିଚିତ ଚେହେରା ଆଉ ଦେଖିବାକୁ ମିଳିବନି କି ଆଉ ହେମନ୍ତ ଭାଇଙ୍କ ସ୍ୱର ଶୁଣିବାକୁ ମିଳିବନି | ରାଜ୍ୟର ଜଣେ ଆଗଧାଡିର ସମାଜସେବୀ ତଥା କନ୍ଧମାଳ ଜିଲ୍ଲାର ଜଣେ ପରିଚିତ ଲଢୁଆ ବ୍ୟକ୍ତିତ୍ୱ ହେମନ୍ତ ନାୟକଙ୍କ ଶବାଧାରରେ ଚାଲି ଚାଲି ଗଲାବେଳେ ଏ କଥା ମାନେ ପକାଇ ଅନେକଙ୍କ ଆଖିପତା ଓଦା ହୋଇଯାଇଥିଲା | ଜି ଉଦୟଗିରିରୁ ନୁଆସାହି ତାଙ୍କ ବାସଭବନ ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀର ଯାଇଥିଲା ଏକ ବିରାଟ ଶୋଭାଯାତ୍ରାରେ | ସର୍ତାରେ ତାଙ୍କ ଶେଷ ଦର୍ଶନ କରିବାକୁ ଜିଲ୍ଲାର ଦଳ ମତ ନିର୍ବିଶେଷରେ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣଙ୍କ ସୁଅ ଛୁଟିଥିଲେ | ତାଙ୍କ ଶେଷ ଦର୍ଶନ ପାଇଁ ଆସିଥିଲେ ରେଭେରେଣ୍ଡ ସୁଶାନ୍ତ ନାୟକ, ନଳିନୀକାନ୍ତ ନାୟକ, ଚରଣବନ୍ଧୁ ନାୟକ, ସମାଜସେବୀ ପାଉଲ ପ୍ରଧାନ, କଂଗ୍ରେସ ବ୍ଲକ ସଭାପତି ତାର୍ଜ଼ନ ନାୟକ, ବିଜେଡି କାଉନସିଲର ଜଲୀନା ପ୍ରିୟଦର୍ଶିନୀଙ୍କ ସମେତ ବହୁ ସମାଜସେବୀ, ରାଜନେତା, ଆଡ଼ଭୋକେଟ, ବିଭିନ୍ନ ସମୁଦାୟର ନେତା ଯୋଗଦେଇ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଜଣେ ଲଢୁଆ ସେନାପତି ଭଗଲି ସେ ଯେଉଁ କାମ କରିଯାଇଛନ୍ତି ତାହାକୁ ଭୁଲି ହେବନାହିଁ ବୋଲି ମତବ୍ୟକ୍ତ କରିଥିଲେ
ସୂଚନା ଯୋଗ୍ୟ ଯେ ବୁଧବାର ଦିନ ପ୍ରାୟ ୧୦ ଟାବେଳେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମାଜସେବୀ ହେମନ୍ତ ନାୟକଙ୍କର ହୃଦଘାତରେ ଦେହାନ୍ତ ଘଟିଛି । ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ସୂଚନା ଅଧିକାର ଅଭିଯାନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭ ପୁର୍ବରୁ ସକାଳ ପ୍ରାୟ ୯.୩୦ ବେଳକୁ ସେ ସେଠାରେ ପହଂଚିଯାଇଥିଲେ | କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବାରୁ ସେ ବୁଦ୍ଧ ମନ୍ଦିରର କର୍ମଚାରୀ ମାନଙ୍କ ସହ ବାର୍ତାଳାପ କରୁଥିବାବେଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଭୁବନେଶ୍ୱର ୬ ନମ୍ବର ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ସ୍ୱର୍ଗତ ନାୟକ ତାଙ୍କ ଛାତ୍ର ଜୀବନରୁହିଁ ସମାଜ ସେବାରେ ମନଦେଇଥିଲେ । ବିଜେବି କଲେଜରେ ପାଠପଢୁଥିବାବେଳେ ମଧ୍ୟ ସେ ସାମାଜ ସେବା କାର୍ଯ୍ୟରେ ଲିପ୍ତ ରହୁଥିଲେ । ପରେ ସରକାରୀ ଚାକିରି ଛାଡି କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଆସି ସମାଜସେବା କାର୍ଯ୍ୟ ଆରମ୍ଭ କରି ଜି.ଉଦୟଗିରିରେ ଘୁମୁସର ମହିଳା ସଂଗଠନ(ଜି.ଏମ.ଏସ୍) ନାମକ ଏକ ସଂସ୍ଥା ଗଠନ କରି ସମାଜସେବା କାର୍ଯ୍ୟ କରିଆସୁଥିଲେ । ବିଶେଷକରି ଜିଲ୍ଲାରେ ଥିବା ଆଦିବାସୀ ହରିଜନ ଓ ମହିଳା ମାନଙ୍କ ପାଇଁ ସେ କାର୍ଯ୍ୟ କରୁଥିଲେ ପରେ ସେ ସିକଲସେଲ ଓ ଥାଲାସେମିଆ ରୋଗୀ ମାନଙ୍କ ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ ।