ଭୁବନେଶ୍ୱର : ଜାରିହେଲା ନୂଆ ଗାଇଡଲାଇନ୍, ପୁଣି ଲେଉଟିଲା ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତରରହିବ ବୋଲି ଆଜି ନୂଆ ଗାଇଡଲାଇନ୍ ବିଷୟରେ ସୂଚନା ଦେଇ କହିହଛନ୍ତି ବୋଲି ଉନ୍ନୟନ କମିଶନର ତଥାଏସଆରସି ପ୍ରଦୀପ ଜେନା । ସାରା ରାଜ୍ୟରେ ସ୍କୁଲ୍ କ୍ଲାସରୁମରେ ପାଠପଢା ବନ୍ଦ ହୋଇ ଅନଲାଇନରେ ପାଠ ପଢାଯିବ | ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ | ୧୦ମ ଓ ଦ୍ୱାଦଶ ଶ୍ରେଣୀର ଡାଉଟ କ୍ଲିୟରିଂ କ୍ଳାସ ସ୍କୁଲ ପକ୍ଷରୁ ଛୋଟ ଛୋଟ ଗ୍ରୁପରେ ଆୟୋଜନ କରାଯାଇପାରିବ | ନାଇଟ୍ କର୍ଫ୍ୟୁ ସମୟରେ କେବଳ ଜରୁରି ସେବାଜାରି ରଖିବା ପାଇଁ ଅନୁମତି ଦିଆଯିବ | ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ମଲରେ ଭିଡ ହେଲେ ୭ ଦିନ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ବେଳେ ୫୦ ପ୍ରତିଶତ ରେ ସବୁ ସରକାରୀ ଅଫିସ ଚାଲିବ | ଏହାସହିତ ହୋଟେଲ, ବାରରେ ୫୦ ପ୍ରତିଶତ କ୍ଷମତା ପାଇଁ ଅନୁମତି ଦିଆଯାଇଛି | ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା ।
ଶ୍ରୀ ଜେନା କହିଛନ୍ତି ଯେ ନୂଆ ଗାଇଡ୍ଲାଇନ ଅନୁଯାୟୀ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ। ତେବେ ଅନ୍ଲାଇନ୍ ମାଧ୍ୟମରେ ପାଠପଢା ଜାରି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ବାରଣ କରାଯାଇଛି। ହାଟ, ଦୋକାନ ବଜାର ଇତ୍ୟାଦିରେ କୋଭିଡ୍ ନିୟମର ପାଳନ ଦୋକାନ/ମଲ୍ ଇତ୍ୟାଦି ମାଲିକଙ୍କ ଉତ୍ତରଦାୟିତ୍ଵ ରହିବ। ନିୟମ ଉଲ୍ଲଂଘନ କଲେ ୭ଦିନ ପାଇଁ ସଂପୃକ୍ତ ପ୍ରତିଷ୍ଠାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିବେ। ରାଜ୍ୟର ଘରୋଇ ଅନୁଷ୍ଠାନ ଗୁଡିକ ସୀମିତ ସଂଖ୍ୟକ ଷ୍ଟାଫ୍ଙ୍କୁ ନେଇ କାମ କରିବା ସହିତ ୱର୍କ୍ ଫ୍ରମ୍ ହୋମ୍ ବିକଳ୍ପ କାର୍ଯ୍ଯକାରୀ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସରକାରୀ କାର୍ଯ୍ୟକ୍ରମ/ମିଟିଙ୍ଗରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ। ଏଥିସହିତ ଇଣ୍ଡୋର୍ କାର୍ଯ୍ୟକ୍ରମରେ ହଲ୍ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ। ପିକ୍ନିକ୍, ମେଳା, କ୍ଲବ୍, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ବନ୍ଦ ରହିବ। ରାଜନୈତିକ, କ୍ରୀଡା ତଥା ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ।