ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦୀକା ଅମୃତ-ମହୋତ୍ସବର ଅଂଶ ସ୍ୱରୂପ ଦେଶ ଏବେ ପାଳନ କରୁଛି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି । ସେହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ବୃନ୍ଦାବନ ପ୍ୟାଲେସର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି-୨୦୨୧ ପ୍ରତିଯୋଗିତା କାର୍ଯ୍ୟକ୍ରମ ରାଜ୍ୟ ଲୋକକଳା ସଂଘ ଓ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ତପସ୍ୱିନୀ ହାଁସଦା , ବିଶିଷ୍ଠ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ , ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ସୁଶ୍ରୀ ଡି.ପ୍ରିୟଙ୍କା ଏବଂ ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର ସଙ୍ଗୀତ , ନୃତ୍ୟ , କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପାରଳାଖେମୁଣ୍ଡିର ରହିଥିବା ସ୍ୱାତନ୍ତ୍ର୍ୟତା ଓ ଅବଦାନର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ସେହିଭଳି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ତପସ୍ୱିନୀ ହାଁସଦା ଉପସ୍ଥିତ କଳାକାର ପ୍ରତିଯୋଗୀ ମାନଙ୍କୁ ପ୍ରତିଯୋଗିତାରେ ସେମାନଙ୍କ କଳା-ନୌପୁଣ୍ୟ ପରିବେଷଣ କରିବାର ନୀତି-ନିୟମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ କଳାକାର ଦଳମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ ।
ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ , ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳାକୁ ଲୋକ ଲୋଚନକୁ ଆଣି ବଞ୍ଚାଇ ରଖିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ଏହି ସବୁ ଲୋକକଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ ଆଣିବା ପାଇଁ କଳାକାର ମାନେ ଉଦ୍ୟମ ଜାରୀ ରଖିବାକୁ ଆହ୍ବାନ କରିଥିଲେ ।
ସେହିଭଳି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ତପସ୍ୱିନୀ ହାଁସଦା , ଜିଲ୍ଲାର ରହିଥିବା କଳା ଓ ସଂସ୍କୃତିକୁ ଅପଗ୍ରେଡ କରିବା ସହ ଯେଉଁ ସବୁ କଳା ଓ ସଂସ୍କୃତି ଧୀରେ ଧୀରେ ଲୁପ୍ତପ୍ରାୟ ହୋଇଯାଉଛି , ଯେମିତି କି , ଗଜପତି ଜିଲ୍ଲାରେ ଯେଉଁ ଆଦିବାସୀ ଲାଞ୍ଜିଆ ଶଉରା ନୃତ୍ୟସବୁ ରହିଛି , ତାହା ଦିନେ ବିଶ୍ୱ ଦରବାରରେରେ ପରିଚିତ ଥିଲା , କିନ୍ତୁ ଆଜି ପ୍ରଚାର ପ୍ରସାର ଅଭାବରୁ ତାହା ବିଲୁପ୍ତ ପ୍ରାୟ ହୋଇ ଗଲାଣି । ତେଣୁ ସେ ସବୁକୁ ଖୋଜିଆଣି ଏଭଳି ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ଲୋକ-କଳାକୁ ଲୋକ ଲୋଚନାକୁ ଆଣି ବଞ୍ଚାଇ ରଖିବା ହେଉଛି , ପ୍ରଶାସନର ମୂଳ ଲକ୍ଷ ଓ ଉଦ୍ଦେଶ ବୋଲି କହିଥିଲେ ।
ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜିଲ୍ଲାର ଜିଲ୍ଲାର ଗୋଷଣୀ ବ୍ଲକ ଭିନଳା ଗ୍ରାମର ଗୌରଭକ୍ତ ନାଟ୍ୟକାଳା ସଂସଦ , ଗୁମ୍ମା ବ୍ଲକ ରୁଙ୍ଗ ରୁଙ୍ଗତାଲ ଗ୍ରାମର ଲାଞ୍ଜିଆ ଶଉରା ନୃତ୍ୟଦଳ , କାଶୀନଗର ବ୍ଲକ ଖାରଡ଼ା ଗ୍ରାମର ଭୁତକେଳି ନୃତ୍ୟଦଳ , ନୂଆଗଡ ବ୍ଲକ ତିତିସିଂ ଗ୍ରାମର ଆଦିବାସୀ ନୃତ୍ୟଦଳ , ରାୟଗଡା ବ୍ଲକ ପେକଟ ଗ୍ରାମର ତୁମ୍ବେଶ୍ୱର ଆଦିବାସୀ ସାଂସ୍କୃତିକ କଳାକାର ଦଳ ଏବଂ ରା-ଉଦୟଗିରି ବ୍ଲକ ଲୁବୁରୀସିଂ ଗ୍ରାମର ନାରାୟଣୀ ନାଟ୍ୟ ସଂଘର ପ୍ରମୁଖ ଦଳ ଗୁଡିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତକର୍ଷକଭାବେ ସେମାନଙ୍କ କଳା-ନୈପୁଣ୍ୟ ପରିବେଷଣ କରିଥିଲେ ।
ଉକ୍ତ ପ୍ରତିଯୋଗିତାରେ ମୁଖ୍ୟତଃ ୩ଟି କଳାକାର ଦଳକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଉପସ୍ଥିତ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନୀତ କରା ଯାଇଥିଲା ।
ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ- ରା.ଉଦୟଗିରି ବ୍ଲକ ଲୁବୁରୀସିଂ ଗ୍ରାମର ଭାରତଲୀଳା ନୃତ୍ୟ-ନାଟକ ଦଳ , ଦ୍ୱତୀୟ - ଗୋଷଣୀ ବ୍ଲକର ଗୌରଭକ୍ତ ନାଟ୍ୟକଳା ସଂସଦ ଏବଂ ତୃତୀୟ ହୋଇଥିଲେ -ରାୟଗଡା ବ୍ଲକ ପେକଟ ଗ୍ରାମର ତୁମ୍ବେଶ୍ୱର ଆଦିବାସୀ ସାଂସ୍କୃତିକ କଳାକାର ଦଳ।
ଏହି ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ଭାବେ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ , ଗୁରୁଶ୍ରୀ ରଘୁନାଥ ପାତ୍ର , ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ , ନୃତ୍ୟଗୁରୁ ସୁଶ୍ରୀ ଡି. ପ୍ରିୟଙ୍କା ପ୍ରମୁଖ ଯୋଗ ଦେଇଥିଲେ।
ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତପସ୍ୱିନୀ ହାଁସଦା ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ଶିସା ପ୍ରମୁଖ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି -୨୦୨୧ ପ୍ରତିଯୋଗିତା
- Hits: 312