ଭୁବନେଶ୍ୱର: ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ୍ (ଆଇଆଇଏଲ୍) – ଏକ ଅଗ୍ରଣୀ ଟିକା ନିର୍ମାତା, ଦେଶରେ ଥିବା ଛେଳିମାନଙ୍କ ପାଇଁ ‘ଗୋଟ୍ ପକ୍ସ ଭାକ୍ସିନ୍ (ରକ୍ଷା ଗୋଟ୍ ପକ୍ସ)’ ର ଶୁଭାରମ୍ଭ କରିଛନ୍ତି । ରକ୍ଷା ଗୋଟ୍ ପକ୍ସ ଟିକା ସହାୟତାରେ ଆମର ଦେଶରେ ଗୋଟ୍ ପକ୍ସ ରୋଗର ନିୟନ୍ତ୍ରଣ କରାଯାଇପାରିବ । ଏହା ଦ୍ୱାରା ଆମ ଦେଶରେ ପଶୁସମ୍ପଦ ପାଳଣ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିମାନେ ଅର୍ଥନୈତିକ ଭାବରେ ଲାଭବାନ୍ ହୋଇପାରିବେ ।
ଭାରତରେ ପ୍ରାୟ ୧୫୦ ନିୟୁତ ଛେଳି ରହିଛନ୍ତି ଓ ଏହି ରୋଗ ଏସିଆ, ଆଫ୍ରିକା, ମିଡିଲ୍ ଇଷ୍ଟର କେତେକ ସ୍ଥାନରେ ଦେଖାଯାଇଥାଏ । ଗୋଟ୍ ପକ୍ସ ରୋଗ ବହୁ ମାତ୍ରାରେ ସଂକ୍ରାମକ ଓ ଏହା ଏରୋସୋଲ୍, ଯୋଗାଯୋଗ ଓ ବିଭିନ୍ନ ପ୍ରକାର ଭେକ୍ଟର ଯଥା ମାଛି ମାଧ୍ୟମରେ ବ୍ୟାପିଥାଏ । ସମସ୍ତ ବୟସର, ପ୍ରଜାତି ତଥା ଲିଙ୍ଗର ଛେଳିମାନେ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି କିନ୍ତୁ ଏହା ଛୁଆ, ବୁଢ଼ା ଓ ସ୍ତନ୍ୟପାନ କରାଉଥିବା ଛେଳିମାନଙ୍କୁ ଅଧିକ ଗୁରୁତର କରିଥାଏ । ଏହି ରୋଗ ହେଲେ ଉଚ୍ଚ ଜ୍ୱର ହୋଇଥାଏ, ତ୍ୱଚା ଉପରେ ନୋଡୁ୍ୟଲ୍ / ପାପୁ୍ୟଲ୍ସ ଦେଖାଯାଏ, ମୁଁହରେ ଲାଳ ଦେଖା ଯାଇଥାଏ । ଏହା ସହିତ କଞ୍ଜକ୍ଟିଭା, ନାଜାଲ୍ କ୍ୟାଭିଟି, ଗୁରୁତର ଆଭ୍ୟନ୍ତରୀଣ କ୍ଷତି (ଫୁସଫୁସ୍, ପ୍ରଜନନ ଓ ପାଚନ ତନ୍ତ୍ରରେ) ଦେଖା ଦେଇପାରେ ଓ ପରିଶେଷରେ ଅଧିକାଂଶ ସମୟରେ ମୃତୁ୍ୟ ହୋଇଥାଏ । ଏହି ଗୋଟ୍ ପକ୍ସର ତୀବ୍ରତା ସାଧାରଣତଃ ଆଗ୍ରୋକ୍ଲାଇମାଟିକ୍ ଜୋନ୍ ଉପରେ ନିର୍ଭର କରିଥାଏ ଓ ଅନୁଧ୍ୟାନ ଅନୁସାରେ କେତେକ ଅଂଶରେ ଏହା ୪୮% ପର୍ଯ୍ୟନ୍ତ ହୋଇଥାଏ । ଗୋଟ ପକ୍ସ ହେତୁ ରୋଗ ସମ୍ଭାବନା ୧୦୦% ପର୍ଯ୍ୟନ୍ତ ହୋଇପାରେ ଓ ୮୫% ପର୍ଯ୍ୟନ୍ତ ମୃତ୍ୟୁ ସମ୍ଭାବନା ଦେଖା ଦେଇପାରେ । ତେଣୁ ଏହାଦ୍ୱାରା କ୍ଷୁଦ୍ର ପଶୁ ବା ପଶୁସମ୍ପଦ ପାଳଣକାରୀମାନଙ୍କୁ ବହୁତ କ୍ଷତି ହୋଇଥାଏ ।
ଆଇଆଇଏଲ୍ ର ରକ୍ଷା ଗୋଟ୍ ପକ୍ସ ଟିକା ହେଉଛି ଏକ ଲାଇଭ୍ ଆଟେନୁଏଟେଡ୍ ଟିକା ଆଇ.ପି. (ଉତରକାଶୀ stren ) ଯାହାକୁ ଭେରୋ ସେଲ୍ କଲ୍ଚର ଅନୁସାରେ ବିକଶିତ କରାଯାଇଛି । ପ୍ରାଥମିକ ଟିକାକରଣ ୩ ମାସ ବୟସ ମଧ୍ୟରେ କରାଯିବା ଆବଶ୍ୟକ ଓ ପ୍ରତି ବର୍ଷ ୧ ମିଲିର ପୁନଃଟିକାକରଣ କରାଯିବା ଉଚିତ୍ । ଟିକା ପ୍ରସ୍ତୁତି ଓ ଗୋଟ୍ ପକ୍ସ ଟିକାର ଟେଷ୍ଟିଂର ପ୍ରଯୁକ୍ତିକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚର ରିସର୍ଚ୍ଚ – ଇଣ୍ଡିଆନ ଭେଟେରିନାରି ରିସର୍ଚ୍ଚ ଇନଷ୍ଟିଚୁ୍ୟଟ (ଆଇସିଏଆର -ଆଇଭିଆରଆଇ), ଭାରତ ସରକାରଙ୍କ ଠାରୁ ଗ୍ରହଣ କରାଯାଇଛି ଓ ଏହାକୁ ବାଣିଜ୍ୟିକ ଉତ୍ପାଦନ ପାଇଁ ଆଇଭିଆରଆଇ ଦ୍ୱାରା ପ୍ରମାଣିତ କରାଯାଇଛି । ଆଇଭିଆରଆଇ ସହିତ ଟେକ୍ ଟ୍ରାନ୍ସଫର ବ୍ୟବସ୍ଥା ଅନ୍ତର୍ଗତ ପୂର୍ବରୁ ଆଇଆଇଏଲ୍ ଅନେକ ଅନ୍ୟାନ୍ୟ ଟିକା ଉତ୍ପାଦନ କରିଛନ୍ତି ଯଥା କ୍ଲାସିକାଲ୍ ସ୍ୱାଇନ୍ ଫିଭର ଟିକା, ପିପିଆର ଟିକା ଇତ୍ୟାଦି ।
ଯୋଧପୁର, ରାଜସ୍ଥାନ ଠାରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରି ଆଇଆଇଏଲ୍ ର ମ୍ୟାନେଜିଂ ଡାଇରେକ୍ଟର ଡା. କେ ଆନନ୍ଦ କୁମାର କହିଛନ୍ତି ଯେ, “ଦେଶର ସ୍ୱାର୍ଥ ପାଇଁ ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ଏପରି ଉତ୍ପାଦ ପ୍ରସ୍ତୁତି ପାଇଁ ପ୍ରତିଶ୍ରୁତିବଦ୍ଧ ଯାହା ସହାୟତାରେ ପଶୁସମ୍ପଦକୁୁ ବିଭିନ୍ନ ପ୍ରକାର ରୋଗରୁ ସୁରକ୍ଷା ଦିଆଯାଇପାରିବ ଓ ଯଦ୍ୱାରା ପଶୁସମ୍ପଦ ପାଳଣକାରୀମାନେ ମଧ୍ୟ ଲାଭବାନ୍ ହୋଇପାରିବେ ।” ଏହି ଗୋଟ୍ ପକ୍ସ ଟିକାର ଶୁଭାରମ୍ଭ ଅବସରରେ ଡା. ପ୍ରିୟବ୍ରତ ପଟ୍ଟନାୟକ, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଓ ଶ୍ରୀଯୁକ୍ତ ଶୋଭନ୍ ବାବୁ, ଭାଇସ-ପ୍ରେସିଡେଂଟ -ଆଇଆଇଏଲ୍ ର ଆନିମଲ୍ ହେଲ୍ଥ ଟ୍ରେଡ୍ ଉପସ୍ଥିତ ରହିଥିଲେ ।
ରାଜ୍ୟ
ଗୋଟ୍ ପକ୍ସ ଟିକାର ଶୁଭାରମ୍ଭ କଲା ଆଇଆଇଏଲ୍
- Hits: 572