ଭୁବନେଶ୍ୱର(ଶାସକ ପ୍ରଶାସକ ) : ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପରିଚାଳନାରେ ଓଡିଶାର ମହାନଦୀ ପ୍ରବାହିତ ସମ୍ବଲପୁର, କଟକ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀ ଉତ୍ସବ ଗତକାଲି ଡିସେମ୍ବର ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଭାରତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ‘ଦେଶ ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ସଙ୍ଗେ ସଙ୍ଗେ ଦେଶର ପ୍ରମୁଖ ନଦୀମାନଙ୍କୁ ଏହି ଉତ୍ସବ ସହିତ ଯୋଡି ବିଭିନ୍ନ ରାଜ୍ୟରେ ନଦୀ ଉତ୍ସବମାନ ଅନୁଷ୍ଠିତ ହେଉଛି । ଏଥିରେ ଆମ ରାଜ୍ୟର ମହାନଦୀ ସାମିଲ ହୋଇଛି । ମହାନଦୀ ଓଡିଶାର ଜୀବନ ରେଖା ଓ ଦେଶର ଷଷ୍ଠ ବୃହତମ ନଦୀ ଅବବାହିକା ତଥା ଏହା ଆମ ରାଜ୍ୟର ସାମାଜିକ, ସାଂସ୍କୃତିକ ଐତିହ୍ୟ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । ମହାନଦୀ ଉତ୍ସବ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ସୂଚନା ଓ ଲୋକ ସଂପର୍କ , ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ , ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ନେହେରୁ ଯୁବକେନ୍ଦ୍ର, ଜାତୀୟ ସେବା ସଂସ୍ଥାର କର୍ମକର୍ତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।
ଆମ ରାଜ୍ୟରେ ଉପରୋକ୍ତ ଜିଲ୍ଲାରେ ଅନୁଷ୍ଠିତହେଉଥିବା ମହାନଦୀ ଉତ୍ସବରେ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ନଦୀ ପରିସ୍କାର ରଖିବା ପାଇଁ ଜନସଚେତନତା, ପ୍ରକୃତି ପଥରେ ଯାତ୍ରା (ନେଚର ୱାକ), ଦସ୍ତଖତ ଅଭିଯାନ, ମାନବ ଶୃଙ୍ଖଳ, ଶୋଭାଯାତ୍ରା ଇତ୍ୟାତି । ସେହିପରି ଆହୁରି ମଧ୍ୟ ନଦୀ ଓ ନଦୀ ପରିସଂସ୍ଥା ଉପରେ ପର୍ଯ୍ୟବସିତ ବାଲୁକା କଳା ପ୍ରଦର୍ଶନୀ, ରଙ୍ଗୋଲୀ ପ୍ରତିଯୋଗିତା, ଗଳ୍ପ ଲିଖନ, ଦୀପ ଉତ୍ସବ, ଲୋକନୃତ୍ୟ ଓ ସଂଗୀତ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନଦୀ ତଟରେ ବୃକ୍ଷ ଚାରା ରୋପଣ. ଜୈବ ବିବିଧତା ଓ ସ୍ଥାନୀୟ ଫୁଲ ଓ ଫଳ ଓ ଜୀବଜନ୍ତୁ ପ୍ରଜାତି ଉପରେ ଆଲୋଚନା, ନୋଚାଳନା, ଯୋଗ ଓ ପ୍ରାଣାୟମ, ମିନି ମାରାଥନ, ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହିତ ସେହି ଅଂଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଜ୍ଞାନ ଅର୍ଜନ କରିବା ଆଦି କାର୍ଯ୍ୟକ୍ରମ ଏହି ମହାନଦୀ ମହୋତ୍ସବରେ ଅନୁଷ୍ଠିତ ହେଉଛି ।
ଏହି ମହୋତ୍ସବ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହେଉଛି । ଜଳ ସଂପଦ ବିଭାଗ ଏହି ଉତ୍ସବ ପାଳନ କରି ନଦୀ ପ୍ରତି ଲୋକମାନଙ୍କ ମଧ୍ୟରେ ନଦୀର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କର ନଦୀକୁ ଭଲ ପାଇବାକୁ ଅଧିକ ନିକଟତର କରିଛି ।