ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସହିତ ରୋଗୀଙ୍କୁ ମିଳିଲା ମାଗଣା ଔଷଧ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ରଘୁନାଥ ସମବାୟ ମହାବିଦ୍ୟାୟ ପରିସରରେ ଆୟୋଜିତ ଆଜିର ବିଶାଳ ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା ସୁବିଧା ସହିତ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯାଇଛି । ଇଫକୋ ଆନୁକୁଲ୍ୟରେ ଜିଲ୍ଲା ଏବଂ ବ୍ଳକ ପ୍ରଶାସନ ସହିତ ରଘୁନାଥ ସମବାୟ ମହାବିଦ୍ୟାଳୟ ସହଯୋଗରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଆଜି ପ୍ରାୟ ୫ ହଜାର ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା ।
ଓଡ଼ଗାଁ ଅଂଚଳର କିଛି ସ୍ୱେଚ୍ଛାସେବିଙ୍କ ସହିତ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ସ୍କାଉଟ୍ ଗାଇଡ, ଜାତୀୟ ସେବା ଯୋଜନା, ରେଡକ୍ରସ ଓ କ୍ରିଡା ସଂସଦର ୨୫୦ ଜଣ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ଶିବିରରେ ଭାଗ ନେଇଥିବା ବେଳେ ଭିନ୍ନକ୍ଷମ ରୋଗୀ ମାନଙ୍କୁ ଷ୍ଟ୍ରେଚର ଓ ହୁଇଲ ଚେୟାର ମାଧ୍ୟମରେ ଡାକ୍ତରମାନଙ୍କ ନିକଟରେ ପହଁଚାଇ ଚିକିତ୍ସା ଯୋଗାଇ ଦେଇଥିଲେ । ସ୍ଥାନୀୟ ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ସେବାମନୋବୃତି ଡାକ୍ତରମାନଙ୍କୁ ପ୍ରଭାବିତ କରିଥିବା ବେଳେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ପ୍ରଶଂସା କରିଥିଲେ ।
ଶିବିରରେ ଭାଗ ନେଇଥିବା ୩୪ ଜଣ ଡାକ୍ତରଙ୍କ ସହିତ ୧୮୦ ଜଣ ପାରା ମେଡିକାଲ ଷ୍ଟାଫ ନିଷ୍ଠା ସହକାରେ ରୋଗୀ ମାନଙ୍କୁ ସେବା ଯୋଗାଇ ଦେଇଥିଲେ । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଡା. ପୋମାଟୁଡୁ ଶିବିର ପରିଦର୍ଶନ କରିବା ସହିତ ରୋଗୀଙ୍କ ପାଇଁ ପ୍ରେସକ୍ରିପସନ ଲେଖୁଥିବା ଦେଖିବାକୁ ମିଳିଥିଲା ।
ଆଜିର କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ପ୍ରକଲ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ବିଡିଓ ସ୍ୱାତିଲେଖା ଦାସ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶକ୍ତି ପ୍ରସାଦ ମିଶ୍ର ଓ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବଳରାମ ପ୍ରଧାନ ଚିକିତ୍ସା କାର୍ଯ୍ୟକ୍ରମ ତଦାରଖ କରିଥିଲେ ।
ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ଦିବାକର ନାୟକ, ବିଜନ ପାଇକରାୟଙ୍କ ଅକ୍ଲାନ୍ତ ପରିଶ୍ରମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡ଼ଗାଁ କଲେଜ ସମସ୍ତ କର୍ମଚାରୀ ମାନଙ୍କ ସହିତ ଅଧ୍ୟକ୍ଷ ଉମାର ମାଲ୍ଲିକଙ୍କ ଦ୍ୱାରା ସୁପରିଚାଳନା କରାଯାଇଥିଲା ।