ପାରଳା ପୌର କର୍ତ୍ତୃପକ୍ଷଙ୍କ ବେଆଇନ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ବିରୋଧ କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରାଞ୍ଚଳର ୧୪ ନମ୍ବର ୱାର୍ଡରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ଗୃହ ତଥା (ପୁରୁଣା ଡିଇଓ: ଅଫିସ)କୁ ପୌର କର୍ତ୍ତୃପକ୍ଷ ନିଜ ଅକ୍ତିଆରକୁ ନେଇ ସେଠାରେ ଟାଉନ ହଲ ବା ସେଭଳି କିଛି ନିର୍ମାଣ ଉଦ୍ୟମ କରୁଥୁବା ବିରୋଧରେ ବୁଧବାର ଦିନ ପାରଳାଖେମୁଣ୍ଡି ସହରର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ କେବଳ ପାରଳାଖେମୁଣ୍ଡିର ନୁହେଁ , ଏହା ସମଗ୍ର ଓଡ଼ିଶାର ଏକ ଐତିହ୍ୟ ସମ୍ପନ୍ନ ଉଚ୍ଚ ବିଦ୍ୟାଳୟ । ଏଠାରେ ଛାତ୍ର ସଂଖ୍ୟା ୧୮୦୦ ରୁ ୨୦୦୦ ପର୍ଯ୍ୟନ୍ତ ରହୁଥିଲେ। । ବର୍ତ୍ତମାନ ଏହା ୬୦୦କୁ କମି ଆସିଥିବା ପରିତାପର ବିଷୟ।
ଘରୋଇ ଶିକ୍ଷାନୁଷ୍ଠାନରେ ଅବସ୍ଥାବାନ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କୁ ନାମ ଲେଖାଇବା ଏବଂ ଗରିବ ଦଳିତ ଆଦିବାସୀ ଓ ହରିଜନ ଛାତ୍ରଙ୍କ ପାଇଁ ପର୍ଯ୍ୟାପ୍ତ ଛାତ୍ରାବାସ ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ଆମେ ଅନୁଭବ କରୁଛୁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଉକ୍ତ ଛାତ୍ରାବାସରେ ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଚଲାଇବା ଓ ତତ୍ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ରଖିବା କାରଣରୁ ତାହା ଛାତ୍ରାବାସ ଭାବେ ବ୍ୟବହୃତ ହୋଇ ପାରୁନାହିଁ।
କିନ୍ତୁ ଏହି ଗୃହଟି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରୁ ହାଇସ୍କୁଲର ଏକ ସଂଲଗ୍ନ ଗୃହ ହୋଇ , ଅନୁଷ୍ଠାନର ଛାତ୍ରାବାସ ଭାବେ ଦୀର୍ଘବର୍ଷ ଧରି ବ୍ୟବହୃତ ହୋଇ ଆସିଛି। ପରବର୍ତ୍ତୀ ସମୟରେ ଏହି ଗୃହଟି ଅନ୍ୟାନ୍ୟ ବାବଦରେ ବ୍ୟବହୃତ ହେବା ଫଳରେ ଛାତ୍ରଙ୍କ ରହଣୀ ନିମନ୍ତେ ଅସୁବିଧା ହେବାରୁ ଉଚ୍ଚ ବିଦ୍ୟାଳୟରେ ଅଧିକ ଛାତ୍ର ନାମ ଲେଖାଇବାକୁ ଆଗ୍ରହ ହେଉନଥିବା ଅନୁଭବ କରି ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଏଥି ପୂର୍ବରୁ ଜିଲ୍ଲାପାଳ ଓ ଶିକ୍ଷା ବିଭାଗକୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଫଳରେ ଉକ୍ତ ଛାତ୍ରାବାସ ଗୃହ ତ୍ୟାଗ କରିବାକୁ ଅନିଚ୍ଛୁକ ଥିବା ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ କୁମାର ସିଂ ଉକ୍ତ ଗୃହ ଖାଲି କରିବାର ବାଧ୍ୟ ହୋଇଥିଲେ।
ସେଠାରୁ କାର୍ଯ୍ୟାଳୟ ଉଠାଇନେଇ ୬ ମାସରୁ ଅଧିକ ସମୟ ଅତିବାହିତ ହୋଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସେଥିର ଚାର୍ଜ ଓ ଚାବି ଉଚ୍ଚ ବିଦ୍ୟାଳୟକୁ ହସ୍ତାନ୍ତର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟ ପକ୍ଷରେ ଘଟଣା ଏଭଳି ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ ପାରଳା ପୌର କର୍ତ୍ତୃପକ୍ଷ ଉକ୍ତ ଛାତ୍ରାବାସକୁ ନିଜ ଅକ୍ତିଆରକୁ ନେବାକୁ ଯୋଜନା କରିଥିବା ଶୁଣି ଆମେ ତାର ଘୋର ପ୍ରତିବାଦ କରିଛୁ। ଉକ୍ତ ଛାତ୍ରାବାସ ଗୃହଟି ପାରଳା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନିଜସ୍ଵ ଅଟେ ଓ ଏହା ଉକ୍ତ ଶିକ୍ଷାନୁଷ୍ଠାନର ସତ୍ତ୍ୱ।ଧିକାର ଓ ଦଖଲରେ ନିର୍ବିବାଦରେ ଶତାଧିକ ବର୍ଷ ହେଲା ରହିଆସିଛି । ପୌର କର୍ତ୍ତୃପକ୍ଷ ମଧ୍ୟ ଉକ୍ତ ଗୃହକୁ ଏକ ହୋଲଡିଂ ବୋଲି ସ୍ୱୀକାର କରି ହୋଲଡିଂ ଟିକସ ଓ ଅନ୍ୟାନ୍ୟ ଟିକସ ଦାବୀ କରୁଛନ୍ତି ଓ ତାହା ବିଦ୍ୟାଳୟ ଦ୍ଵାରା ପୈଠ ହେଉଛି।
ଏପରି ସ୍ଥିତିରେ ପାରଳା ପୌର ପରିଷଦ ଉକ୍ତ ଗୃହକୁ ଅକ୍ତିଆର କରିନେବା ଉଦ୍ୟମ ସମ୍ପୂର୍ଣ୍ଣ ଜନସ୍ୱାର୍ଥ ବିରୋଧୀ । ତେଣୁ ଆମେ ସଚେତନ ନାଗରିକ ତାର ଦୃଢ଼ ପ୍ରତିବାଦ କରି ଜଣାଇ ଦେବାକୁ ଚାହୁଁ ଯେ , ପୌର କର୍ତ୍ତୃପକ୍ଷ ଉକ୍ତ ଉଦ୍ୟମରୁ କ୍ଷାନ୍ତ ନ ହେଲେ ପାରଳାଖେମୁଣ୍ଡି ସଚେତନ ନାଗରିକ ମଞ୍ଚ ଉକ୍ତ ଜନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ମଞ୍ଚର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ପ୍ରଦୀପ ନାୟକ , ଶ୍ରୀ ବସନ୍ତ ଦାସ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ହରି ମୋହନ ପଟ୍ଟନାୟକ , ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର , ଶ୍ରୀ ରାଜେନ୍ଦ୍ର ବେହେରା , ଶ୍ରୀ ସଚ୍ଚିଦା ନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault