ଲୋକଙ୍କ ମତ ଲୋଡାଯାଉ : ରାଜନୀତି ନହେଉ
"କାହିଁ କେଉଁ କାଳରୁ ପୁରୀ ବୋଲି ଏହା ସର୍ବଜନବିଦିତ । ପୁରୀବାସୀଙ୍କ ପାଇଁ "ପୁରୀ" ଭାବ ପ୍ରବଣତାର କଥା । ପୁରୀ ଭଳି ଐତିହ୍ୟ ଓ ଆଧ୍ୟାତ୍ମିକ ସହରର ନାମ ପରିବର୍ତ୍ତନ ହେବ ନହେବ ତା ଉପରେ ସରକାର ତଥା ହାତ ଗଣତି ନେତା ନିଷ୍ପତ୍ତି ନେବାର ଅଧିକାର ନାହିଁ । ଅତିକମରେ ପୁରୀ ବାସିନ୍ଦାଙ୍କ ମତ ନିଆଯାଉ । ଏତେ ତରବର କିଛି ନିଷ୍ପତ୍ତି ନନେଇ ଏକ ଜନମତ ନିଆଯାଉ । ଆଗକୁ ପୁରୀ ନଗର ପାଳିକା ନିର୍ବାଚନ । ଭୋଟିଂ ବେଳେ ବାଲାଟ ପେପର ସହିତ ପୁରୀର ନାଁ ବଦଳିବା ନବଦଳିବା ନେଇ ଏକ ଚିଠା ରଖାଯାଉ । ଲୋକ ତା ଉପରେ ହଁ ବା ନାହିଁ ବୋଲି ନିଜ ମତ ରଖନ୍ତୁ |"
ପୁରୀ: ପୁରୀର ନାମ ପରିବର୍ତ୍ତନକୁ ବିରୋଧ ହୋଇଛି । ନାମ ପରିବର୍ତ୍ତନର ଆବଶ୍ଯକତା ନାହିଁ ବୋଲି ଶୁକ୍ରବାର ଜଗଦଗୁରୁ ମତ ଦେଲା ପରେ ଏବେ ଶଙ୍କରାଚାର୍ଯ୍ୟଙ୍କ ମତକୁ ସମର୍ଥନ କରିଛନ୍ତି ପୁରୀବାସୀ । ପୁରୀର ନାମକୁ ବଦଳାଇ ଜଗନ୍ନାଥ ଧାମ ପୁରୀ ଅଥବା ଜଗନ୍ନାଥ ପୁରୀ ରଖିବାକୁ ବେସ କିଛି ଦିନ ହେଲା କିଛି ସଂଗଠନ ସକ୍ରିୟ ହୋଇଉଠିଛନ୍ତି । ଏପରିକି ଏ ଦାବିକୁ ଜିଲ୍ଲାପାଳଙ୍କ ପାଖରେ ମଧ୍ଯ ରଖା ଯାଇଥିଲା । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଆସି ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କଲେ ଭଲ ହେବ ଓ ଏ ପ୍ରସ୍ତାବକୁ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।
ଅନ୍ୟପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଜଗତଗୁରୁଙ୍କ ବିରୋଧ ପରେ ଏବେ ସାରା ସହରରେ ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁରୀ କହିଲେ ଆପେ ଆପେ ବିଶ୍ଵବାସୀଙ୍କ ମନରେ ଜଗନ୍ନାଥ ଭାବନା ଆସିଥାଏ । ଏଥିଯୋଗୁଁ ପୁରୀର ନାମ ସାରା ବିଶ୍ୱରେ ସ୍ଵତନ୍ତ୍ର । ତେଣୁ ଯେ କେହି ପୁରୀ କହିଲେ ଜଗନ୍ନାଥଙ୍କୁ ହିଁ ବୁଝାଉଥିବାରୁ ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ।
ଅନ୍ୟପଟେ ନାମ ପରିବର୍ତ୍ତନକୁ ନେଇ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ରଙ୍କ ସହ ନାମ ପରିବର୍ତ୍ତନକୁ ନେଇ ଏକ ବ୍ୟାନର ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଛି । ଯେଉଁଥିରେ ଜଗନ୍ନାଥ ବଦଳରେ ଜନ୍ନାଥ ଲେଖାଥିଲା । ଏ ପୋଷ୍ଟକୁ ଅନେକ ଜଗନ୍ନାଥ ପ୍ରେମି ସମାଲୋଚନା ମଧ୍ୟ କରିଥିଲେ ।
ସେପଟେ ଜଗନ୍ନାଥ ନାମକୁ ଭୂଲ ଲେଖି ଜଗନ୍ନାଥପ୍ରେମୀଙ୍କ ରୋଷର ଶିକାର ହୋଇଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଗନ୍ନାଥଙ୍କୁ ଏପରି ଅପମାନକୁ ବିରୋଧ କରି ପୁରୀବାସୀଙ୍କ ସହ ବିଜେଡି ଆରମ୍ଭ କରିଛି ଜୋରଦାର ବିରୋଧ । କେବଳ ପୁରୀ ନୁହେଁ ଏହି ବିରୋଧ ଏବେ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିବା ସହ ପୁରୀ ତଥା ଭୂବନେଶ୍ବରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଜଳାଯାଇଛି ।
ସେପଟେ ଏବେ ପୁରୀ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୁରୀର ନାମ ପରିବର୍ତ୍ତନ ଏକ ପ୍ରହସନ ମାତ୍ର । ପୁରୀର ସର୍ବସ୍ବ ବୁଡିଗଲାଣି । ବିସ୍ଥାପିତଙ୍କୁ ଏପର୍ଯ୍ୟନ୍ତ ଥଇଥାନ ମିଳିନଥିବା ବେଳେ ସେମାନେ ରୋଜଗାର ହରାଇଲେଣି । ଏ ଦିଗଟି କୌଣସି ମନ୍ତ୍ରୀ କି ଏମଏଲଏଙ୍କୁ ଦେଖାଯାଉନି । ମନ୍ତ୍ରୀ ପ୍ରଥମେ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ମତାମତ ନିଅନ୍ତୁ , ଉପଯୁକ୍ତ କାରଣ ଦର୍ଶାନ୍ତୁ , ଏହା ଉପରେ ସାଧାରଣରେ ବିତର୍କର ବ୍ୟବସ୍ଥା କରଯାଉ । ଯଦି ସାହସ ନାହିଁ , ଏଭଳି ମୂର୍ଖାମୀ ବନ୍ଦ କରନ୍ତୁ ବୋଲି ଯୁବ ସେବାୟତ ନୂତନ ଦାସମହାପାତ୍ର କହିଛନ୍ତି ।
ପୁରୀର ବାସିନ୍ଦା ଗଣେଶ୍ଵର ଗୋଛିକାର କହନ୍ତି, ଆଗକୁ ନିର୍ବାଚନ ପାଖେଇ ଆସୁଛି । ପରିବର୍ତ୍ତନ ପାଇଁ ବିଜେପିକୁ ଯେଉଁ ସୁଯୋଗ ପୁରୀବାସୀ ଗଲା ନିର୍ବାଚନରେ ଦେଇଥିଲେ ତାହା ହୋଇପାରିନି । ତେଣୁ ଏପରି ଗୋଟେ ହୀନ ରାଜନୀତି ଚାଲ ଖେଳି ଭୋଟ ସାଉଁଟିବା ପ୍ରୟାସ କରୁଛି ବିଜେପି ।
ପୁରୀର ଅନେକ ମୌଳିକ ସମସ୍ୟା ରହିଛି ଯାହା ଏବେ ମଧ୍ୟ ସୁଧାର ଆସିନି । ଏ ପରିକ୍ଷେତ୍ରରେ ଜଗତଗୁରୁଙ୍କ କଥା ଯଥାର୍ଥ । ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ। ତେଣୁ ବିଧାୟକ ଜୟନ୍ତ ଷଡଙ୍ଗୀ ଏଥି ପ୍ରତି ଧ୍ୟାନ ଦେଲେ ପୁରୀବାସୀ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସଂଖ୍ୟାଧିକ ଲୋକଙ୍କ କହିବା କଥା ହେଉଛି ପୁରୀ ନା ନ ବଦଳୁ । କାହିଁ କେଉଁ କାଳରୁ ପୁରୀ ବୋଲି ଏହା ସର୍ବଜନବିଦିତ । ପୁରୀବାସୀଙ୍କ ପାଇଁ "ପୁରୀ" ଭାବ ପ୍ରବଣତାର କଥା । ପୁରୀ ଭଳି ଐତିହ୍ୟ ଓ ଆଧ୍ୟାତ୍ମିକ ସହରର ନାମ ପରିବର୍ତ୍ତନ ହେବ ନହେବ ତା ଉପରେ ସରକାର ତଥା ହାତ ଗଣତି ନେତା ନିଷ୍ପତ୍ତି ନେବାର ଅଧିକାର ନାହିଁ । ଅତିକମରେ ପୁରୀ ବାସିନ୍ଦାଙ୍କ ମତ ନିଆଯାଉ । ଏତେ ତରବର କିଛି ନିଷ୍ପତ୍ତି ନନେଇ ଏକ ଜନମତ ନିଆଯାଉ । ଆଗକୁ ପୁରୀ ନଗର ପାଳିକା ନିର୍ବାଚନ । ଭୋଟିଂ ବେଳେ ବାଲାଟ ପେପର ସହିତ ପୁରୀର ନାଁ ବଦଳିବା ନବଦଳିବା ନେଇ ଏକ ଚିଠା ରଖାଯାଉ । ଲୋକ ତା ଉପରେ ହଁ ବା ନାହିଁ ବୋଲି ନିଜ ମତ ରଖନ୍ତୁ ବୋଲି ସହରର ବହୁ ବରିଷ୍ଠ ବୁଦ୍ଧିଜୀବୀ , ସହର ବାସିନ୍ଦା ଓ ସେବାୟତ ମତ ଦେଇଛନ୍ତି |