ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟି ବୈଠକରେ ମଞ୍ଜୁରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟି( ସ୍କି୍ରନିଂ କମିଟି ) ର ୨୨ ତମ ବୈଠକ ଆଜି ଅପରାହ୍ଣରେ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୯୧୧ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ(କ୍ଲିପ) ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ ଅନୁମୋଦନ କରାଯାଇଛି । ତନ୍ମଧ୍ୟରେ ୨,୦୨୨ଟି ରିଭର ଲିଫ୍ଟଟ ପ୍ରକଳ୍ପ (ନଦୀ-ଉଠାଜଳସେଚନ ପ୍ରଣାଳୀରେ ଜଳସେଚନ) ଓ ୬୨୭ ଟି ନଳକୂପ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିିଟିରେ ଅନୁମୋଦନ କରାଯାଇଛି । ବିକେବିୱାଇ ପ୍ରକଳ୍ପ କାର୍ଯକାରୀ ହେଉଥିବା ରାଜ୍ୟର କେବିକେ ଅଂଚଳର ୬ଟି ଜିଲ୍ଲା ଓ ଅଣ କେବିକେ ଜିଲ୍ଲାର ୨୧ଟି ଜିଲ୍ଲା ଏହିପରି ମୋଟ ୨୭ଟି ଜିଲ୍ଲାର ୨୨୧ଟି ବ୍ଲକରେ ୯୮,୧୯୫.୧୧ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପସବୁ କାର୍ଯ୍ୟକାରୀ ହେବା ଫଳରେ ନକ୍ସାଙ୍କନ କରାଯାଇଥିବା ୫୬ ହଜାର ୮୯୦ ହେକ୍ଟର ଆୟାକଟ ଅଂଚଳକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ନାବାର୍ଡର ରାଜ୍ୟ ଗ୍ରାମୀଣ ଭିତିଭୂମି ଉନ୍ନୟନ ସହାୟତା ପାଣ୍ଠି ଅର୍ଥରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏଥି ସହିତ ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ପୋଷଣୀୟ ଜଳସେଚନ ସୁବିଧା ନିମନ୍ତେ ଭୂତଳ ଜଳର ପୁନର୍ଭରଣ ପାଇଁ ୨୬୨ଟି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିବା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠାଜଳସେଚନ ନିମଗର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ନିଗମର କାର୍ଯ୍ୟନିର୍ବାହୀନିର୍ଦ୍ଦେଶକ ଇଂ ବାଲେଶ୍ୱର ନାଥ ସାହୁ, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁବ୍ରତ କୁମାର ପଣ୍ଡା ଓ ଶ୍ରୀ ବିଶ୍ୱଜିତ ବିଶ୍ୱାଳ, ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଓ ନକ୍ସାଙ୍କନ, ମୁଖ୍ୟ ଯନ୍ତ୍ରୀ( କ୍ଷୁଦ୍ର ଜଳସେଚନ), ମୁଖ୍ୟ ଯନ୍ତ୍ରୀ(ଭୂତଳ ଜଳ)ଙ୍କ ସମେତ ରାଜ୍ୟ ଯୋଜନା ଓ ସଂଯୋଜନ, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗର ପ୍ରତିନିଧିବୃନ୍ଦ ତଥା କମିଟିର ଅନ୍ୟ ସଦସ୍ୟ,ସଦସ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।