ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା : ପୂର୍ବଦଣ୍ଡାଦେଶ କାଏମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୯ ଜଣ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଦୌରାଜଜ

ରାୟଗଡ(ସରୋଜ କୁମାର ସାହୁ) :ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ଗ୍ରାମପଂଚାୟତ ଅନ୍ତର୍ଗତ କିତୁମ ଗ୍ରାମରେ ହୋଇଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୯ ଜଣ ଅଭିଯୁକ୍ତଙ୍କ ଦଣ୍ଡାଦେଶକୁ କାୟମ ରଖିଛନ୍ତି ଜିଲ୍ଲା ଓ ଦୌରାଜର୍ଜ ଅଦାଲତ । ସୂଚନା ଯେ, ଗୁଣିଗାରେଡି ସନେ୍ଦହରେ ପୁଟାସିଂ ପଂଚାୟତ ଅନ୍ତର୍ଗତ କିତୁମ ଗ୍ରାମର ଗୋଟିଏ ପରିବାରର ଆମ୍ବେୟା ଶବର (ବାପା), ଆଶାମନି ଶବର (ମା) ଓ ଆଶିନା ଶବର (ଝିଅ)କୁ ୯ ସେପ୍ଟେମ୍ବର ୨୦୧୬ ମସିହାରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲେ । ଗୁଣି ଗାରେଡି ସନେ୍ଦହରେ ଉକ୍ତ ଅଭିଯୁକ୍ତ ମାନେ ଏହି ତିନି ଜଣଙ୍କୁ ନିସ୍ତୁକ ମାଡ ମାରିବା ପରେ ଫସଲରେ ବ୍ୟବହୃତ କୀଟନାଶକ ଔଷଧକୁ ଇଂଜେକସନ ମାଧ୍ୟମରେ ଦେଇ ଅଚେତ କରିଥିଲେ ଏହା ପରେ ଅଚେତ ଅବସ୍ଥାରେ ହିଁ ସେମାନଙ୍କୁ ଗାତଖୋଳି ପୋତି ଦେଇଥିଲେ ଓ ଗିରଫ ହେବା ଭୟରେ ପୁଣିଥରେ ସେମାନଙ୍କୁ ଗାତରୁ ବାହାର କରି କିରୋସିନ ଢାଳି ପୋଡି ଦେଇଥିଲେ । ସେହି ସମୟରେ ଘଟଣାରେ ସଂପୃକ୍ତ ଥିବା ୯ ଜଣଙ୍କୁ ପୁଟାସିଂ ପୋଲିସ ଗିରଫ କରିବା ସହ ଜଣେ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା । ଏହି ମାମଲାର ବିଚାର କରି ଗୁଣପୁର ଅତିରିକ୍ତ ଦୌରାଜର୍ଜ ୧୩ ଏପ୍ରିଲ ୨୦୧୯ ରେ ୯ ଜଣ ଅଭିଯୁକ୍ତ ଡେଙ୍ଗୁନ ଶବର (୩୭), ଦାସୁନ୍ତ ଶବର (୨୭), ଅଜନ୍ତା ଶବର(୨୭), ପାଦୁନ୍ତ ଶବର (୩୪), ଦାଲସା ଶବର (୩୦), ମାଲୁକୁ ଶବର (୩୮), ବୁବୁନା ଶବର ( ୩୮), ଲାକିୟା ଶବର (୩୪) ଏବଂ ଇରୁ ଶବର(୨୪)କୁ ଫାସି ଦଣ୍ଡାଦେଶ ଶୁଣାଇଥିଲେ ଓ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନଙ୍କ ସାନ ଝିଅ । ପରବର୍ତି ସମୟରେ ଦଣ୍ଡାଦେଶ ପାଇଥିବା ୯ ଜଣ ଅଭିଯୁକ୍ତ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଉକ୍ତ ମାମଲାର ପୁନଃବିଚାର ପାଇଁ ଆବେଦନ କରିଥିଲେ । ଗୁଣପୁର ଅତିରିକ୍ତ ଦୌରାଜର୍ଜ ମାମଲାର ପୁନଃବିଚାର କରି ପୂର୍ବଦଣ୍ଡାଦେଶକୁ କାଏମ ରଖିଥିଲେ । ତେବେ ଆଜି ରାୟଗଡ ଜିଲ୍ଲା ଦୌରାଜର୍ଜ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ପୂର୍ବ ଦଣ୍ଡାଦେଶକୁ କାଏମ ରଖି ୯ ଜଣ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି । ସ୍ୱତନ୍ତ୍ର ସରକାରୀ ଓକିଲ ଶ୍ରୀ କୃଷ୍ନ ଚନ୍ଦ୍ର ସେନାପତି ଏହି ମାମଲାରେ ଲଢୁଥିବା ବେଳେ ଅଭିଯୁକ୍ତଙ୍କ ତରଫରୁ ଓକିଲ ବିଷ୍ନୁ ପ୍ରସାଦ ପଣ୍ଡା ଲଢୁଥିଲେ ।

 

0
0
0
s2sdefault