ଭୁବନେଶ୍ୱର: କାହିଁକି ଓଡିଶା ବିଜେପି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି? ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚାରିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଏହା ଅତି ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏବଂ ଓଡିଶା ବିଜେପି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ବଦନାମ କରୁଛନ୍ତି, ଯେଉଁଠାରେ ବହୁ ସଂଖ୍ୟାରେ ଝିଅମାନେ ପାଠ ପଢୁଛନ୍ତି ।
ଏହି ଅନୁଷ୍ଠାନରେ ପଢୁଥିବା ଶହ ଶହ ଛାତ୍ରଛାତ୍ରୀ ଏବଂ ଗତ ଦଶ ବର୍ଷ ମଧ୍ୟରେ ଏଠାରୁ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓଡିଶା ବିଜେପି କାହିଁକି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ବଦନାମ କରୁଛି ? ଓଡିଶା ବିଜେପି ଦ୍ୱାରା କରାଯାଉଥିବା ବଦନାମକୁ ଏହି ଅନୁଷ୍ଠାନରେ ପଢୁଥିବା ପିଲାମାନଙ୍କର ପିତାମାତା କଦାପି ବରଦାସ୍ତ କରିବେ ନାହିଁ ଏବଂ ଏହାର ଠିକଣା ଉତ୍ତର ଦେବେ । ନିରୀହ ପିଲାମାନଙ୍କ ଜୀବନକୁ ନେଇ ଏଭଳି ଶସ୍ତା ରାଜନୀତି କରିଥିବାରୁ ଓଡ଼ିଶା ବିଜେପି ଲଜ୍ଜିତ ହେବା ଉଚିତ ।
ଏହି ଅନୁଷ୍ଠାନର ପରିଚାଳନା ବୋର୍ଡରେ ସ୍ଥାନୀୟ ସାଂସଦ ମଧ୍ୟ ପ୍ରତିନିଧି ଅଛନ୍ତି । ଓଡିଶା ବିଜେପି କ’ଣ କହିବ କି ଏହି ଅପରାଧରେ ସେ ମଧ୍ୟ ସମ୍ପୃକ୍ତ ରହିଛନ୍ତି? ଏହା ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଛି, ଅନୁଷ୍ଠାନ ସହିତ ଅନ୍ୟମାନେ କିପରି ଜଡିତ ହେବେ ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଓଡିଶା ବିଜେପି ମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ ବାରମ୍ବାର କହୁଛି । ଯଦି ଏହାର କୌଣସି ପ୍ରମାଣ ଅଛି, ତେବେ ତାକୁ କୋର୍ଟରେ ଦିଅନ୍ତୁ ବୋଲି ବିଜେଡି ପ୍ରବକ୍ତା କହିଛନ୍ତି ।
ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ଦୋମୁହାଁ ନୀତି ଆପଣେଇବାରେ ଧୂରନ୍ଧର । ସେମାନେ ଦାବି କରିଥିଲେ ଯେ ଶ୍ରୀ ଜୟରାମ ପାଙ୍ଗି ଟିକିରି ଶିକ୍ଷୟତ୍ରୀ ମୃତ୍ୟୁ ଘଟଣାରେ ଜଡିତ ଅଛନ୍ତି । କିନ୍ତୁ ୨୦୧୯ ରେ ଶ୍ରୀ ପାଙ୍ଗିଙ୍କୁ କୋରାପୁଟ ଲୋକସଭା ଆସନରୁ ଲଢିବାପାଇଁ ବିଜେପି ଟିକଟ ଦେଇଥିଲା । ଶସ୍ତା ରାଜନୀତି କରିବାରେ ଓଡିଶା ବିଜେପିର ଅଭ୍ୟାସ ସଂକ୍ରାନ୍ତରେ ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ଏବଂ ମହିଳାଙ୍କ ପ୍ରତି ଏପରି ସମ୍ବେଦନଶୀଳ ଅପରାଧକୁ ରାଜନୀତିକରଣ କରିଥିବାରୁ ସେମାନେ ବିଜେପିକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ସୁଶ୍ରୀ ସାହୁ କହିଛନ୍ତି ।
ରାଜ୍ୟ
ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି ବିଜେପି: ବିଜେଡି
- Hits: 1744