ହେଡଲାଇନସ୍:

ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆ କାର୍ଯ୍ୟକ୍ରମ ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ବି.ଏନ୍-ପ୍ୟାଲେସ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଇଭିଏମ୍ ଗୋଡାଉନ ଓ ଡ୍ରଗ ଅଫିସ ଛକ ଠାରୁ ଆରମ୍ଭ ହୋଇ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବି.ଏନ୍-ପ୍ୟାଲେସ ଠାରେ ସମାପନ ହୋଇଥିଲା ।
ଏହି ମଧ୍ୟରେ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ମାନଙ୍କ ସମେତ ସାଇବାବା ୟୁଥ କ୍ଲବ ଓ ଟ୍ରାନ୍ସଜେଣ୍ଡର ସଙ୍ଘର ସଭାପତି , ସମ୍ପାଦକ ଓ ସଦସ୍ୟ ମାନଙ୍କ ଦ୍ୱାରା ଇଭିଏମ ଗୋଡାଉନ ଛକ ଠାରୁ ବି.ଏନ୍-ପ୍ୟାଲେସ ପରିସର ପ୍ରାୟ ଦେଢ଼ କିମି: ଦୂରତା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ପଡିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଗୋଟାଇ ଜରିବସ୍ତାରେ ସଂଗ୍ରହ କରି ଗୋଟିଏ ପାଖରେ ରଖି ପୌର ପରିଷଦକୁ ହସ୍ତାନ୍ତର କରିଥିଲେ । ଏହା ୧୪ ଗୋଟି ବଡ଼ ଜରି- ବସ୍ତାରେ ୨୦ କେଜିରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କରାଯାଇଥିଲା।
ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତ ୧ ତାରିଖ ଠାରୁ ପାରଳାଖେମୁଣ୍ଡି ସମେତ ସମଗ୍ର ଜିଲ୍ଲାରେ ଆରମ୍ଭ କରାଯାଇଛି ଏବଂ ଏହା ଚଳିତ ମାସର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ପ୍ରତିଦିନ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଜାରି ରହିଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଏଣେତେଣେ ପଡିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ଗୋଟାଇ ସଫାକରିବା ସହ ଏକ ପ୍ଲାଷ୍ଟିକ-ମୁକ୍ତ ସମାଜ ଗଠନ କରିବା ଲକ୍ଷ । ଅନ୍ୟପକ୍ଷରେ , ଏଥିପୂର୍ବରୁ ମଧ୍ୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ଲାଷ୍ଟିକ-ମୁକ୍ତ ସମାଜ ଗଠନ ପାଇଁ ପ୍ରୟାସ କରାଯାଇଛି । ତେବେ ଏହା ଅନ୍ୟଏକ ପଦକ୍ଷେପ , ଯେମିତି କି , ପ୍ଲାଷ୍ଟିକକୁ ଲୋକେ କିଭଳି ଆଉ ବ୍ୟବହାର କରିବେ ନାହିଁ। ସେଥିପାଇଁ ଏହି ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆର ମହତ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମରେ କେବଳ ପ୍ଲାଷ୍ଟିକ-ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କରାଯାଉଛି । ଯେତେ ପ୍ଲାଷ୍ଟିକ- ବର୍ଯ୍ୟବସୁ ସବୁ ସଂଗ୍ରହ କରାଯାଉଛି , ସେ ସବୁକୁ ଏକ ସ୍ଥାନରେ ଗଦା କରି ରଖାଯାଉଛି । ପରେ ସେ ସବୁକୁ ଠିକଣା ଜାଗାରେ ଗଦା କରିବା ପାଇଁ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଉଛି ବୋଲି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ଭି.ଭବାନୀ ପ୍ରସାଦ ଓ ଏ.ମହେଶ୍ୱର ରାଓ , ଟ୍ରାନ୍ସଜେଣ୍ଡର ସଙ୍ଘର ସଭାପତି ମଧୁ ବରାଡ଼ ଓ ସମ୍ପାଦକ ଯସମୀନ ମୁଫତି ଏବଂ ସାଇବାବା ୟୁଥ କ୍ଲବର ସଭାନେତ୍ରୀ ମୋହିନୀ ପ୍ରଧାନ ଓ ସମ୍ପାଦିକା ଶିରିସା ପ୍ରଧାନଙ୍କ ସମେତ ପି.କ୍ରାନ୍ତି ଓ କେ. ଯୁବରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault