ସନ୍ଦେହରେ ପଞ୍ଚାୟତ ଅଧିକାରୀଙ୍କ ଭୂମିକା !!
ପଦ୍ମପୁର(ଶାସକପ୍ରଶାସକ)- ଖରାଦିନ ବାଟୋଇ ମାନେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ଛକରେ ପଞ୍ଚାୟତ ତରଫରୁ ପିଇବା ପାଣିର ବ୍ୟବସ୍ଥା ଜଳଛତ୍ରର ବ୍ୟବସ୍ଥା କରାଯାଇଥାଏ । ଜଳଛତ୍ର ରେ ପାଣି ଦେଉଥିବା ଲୋକଙ୍କୁ ତାଙ୍କ ପ୍ରାପ୍ୟ,ପାଣି ରଖିବା ପାଇଁ ମାଠିଆ, ପିଇବା ପାଇଁ ଗ୍ଳାସର ସମସ୍ତ ବ୍ୟବସ୍ଥା ପଞ୍ଚାୟତ ତରଫରୁ କରାଯାଇଥାଏ । ହେଲେ ଗତ ବର୍ଷ ଜଳଛତ୍ର ପାରିଶ୍ରମିକ ପଇଠ ଓ ଜଳଛତ୍ର ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ସମୟରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ଟଙ୍କା ପଇସା ଲେଣଦେଣ ଆକାଉଣ୍ଟ ମାଧ୍ୟମରେ କରୁବା ପାଇଁ ଆଦେଶ ଥିବା ବେଲେ ପଦ୍ମପୁର ବ୍ଳକର ବୁଡେନ,ବରିକେଲ,କଂସର,ପୂରେନା ଓ ମେଲଛାମୁଣ୍ଡା ପଞ୍ଚାୟତରେ ଜଳଛତ୍ରର ପ୍ରାପ୍ୟ ଆକାଉଣ୍ଟରେ ଦେବା ବଦଳରେ ହିତାଧିକାରୀଙ୍କୁ ହାତକୁ ହାତ ଦିଆଯାଇଥିବା ସୂଚନା ମିଳିଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ସରକାରଙ୍କ ନିୟମକୁ ଉଲଙ୍ଘନ କରି ହିତାଧିକାରୀଙ୍କୁ ହାତକୁ ହାତ ଟଙ୍କା ଦେବା ଦୁର୍ନୀତି ହୋଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ପଦ୍ମପୁର ବ୍ଳକ ଏକ ଦାଦନ ପ୍ରବଣ ଅଞ୍ଚଳ ତେଣୁ ଜଳଛତ୍ରର ପାରିଶ୍ରମିକ ମନରେଗା ଯୋଜନାର ପାରିଶ୍ରମିକ ଅନୁସାରେ ଦେବାର ନିୟମ ରହିଛି ହେଲେ ଜଳଛତ୍ରରେ ପାଣି ଦେଇଥିବା ବ୍ୟକ୍ତି କେତେ ଦିନର ଓ ଦିନକୁ କେତେଟଙ୍କା ଦିଆଯାଇଛି ସେ ବାବଦରେ ହିତାଧିକାରୀଙ୍କୁ ଜଣାନାହିଁ । କିଛି ହିତାଧିକାରୀ ନିଜେ ମାଠିଆ ଓ ଗ୍ଳାସ କିଣିଥିବା ବେଳେ ସେମାନଙ୍କୁ ମାଠିଆର ପ୍ରାପ୍ୟ ଦିଆଯାଇନଥିବା ଅଭିଯୋଗ କରିଛନ୍ତି । ଏହି ସବୁ କାମରୁ ଜଳଛତ୍ର ଟଙ୍କା ପ୍ରଦାନରେ ଅନିୟମିତତା ହୋଇଥିବା ସନ୍ଦେହ ସୄଷ୍ଟି କରୁଛି । ବିଭାଗୀୟ ଅଧିକାରୀ ଏ ବିଷୟରେ ତଦନ୍ତ କରି ହିତାଧିକାରୀଙ୍କୁ ତାଙ୍କର ଉଚିତ ପାରିଶ୍ରମିକ ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି ।