ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ସ୍ୱାଧୀନତା ଆନ୍ଦୋଳନ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କୃତିତ୍ୱ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମମାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି ।
ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମା ଗାନ୍ଧୀ ବିଭିନ୍ନ ସମୟରେ ଓଡିଶାକୁ ଆଗମନ କରିଛନ୍ତି । ଓଡିଶାବାସୀଙ୍କ ପ୍ରତି ତାଙ୍କ ମନରେ ସ୍ୱତନ୍ତ୍ର ଦରଦ ଥିଲା । ଗୋପବନ୍ଧୁ ଓ ମଧୁସୂଦନଙ୍କ ଆମନ୍ତ୍ରଣ କ୍ରମେ ସେ ଓଡିଶାକୁ ଅନେକ ଥର ଆସି ରାଜ୍ୟ ଓ ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ନିଜର ସୁଚିନ୍ତିତ ମତାମତ ଦେଉଥିଲେ ଓ ନିଜର ସାମର୍ଥ୍ୟ ଅନୁସାରେ ଏହାର ସମାଧାନ ନିମନ୍ତେ ଚେଷ୍ଟା କରୁଥିଲେ । ଓଡିଶାକୁ ତାଙ୍କର ଆଗମନକୁ ସେ ନିଜେ ତୀର୍ଥ ଯାତ୍ରା ସଦୃଶ ବର୍ଣ୍ଣନା କରିଛନ୍ତି ।
ଅଧୁନା ଦେଶ ବ୍ୟାପୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉଥିବା ବେଳେ ଓଡିଶା ପ୍ରଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସାଂପ୍ରତିକ ବିଶ୍ୱରେ ଗାନ୍ଧୀ ବିଚାରଧାରାର ମହତ୍ୱ ଓ ପ୍ରାସଙ୍ଗିକତା ସଂପର୍କରେ ରାଜ୍ୟର ବର୍ତ୍ତମାନ ଓ ଆଗାମୀ ପିଢିଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ତଥା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କୃତି ଓ କୀର୍ତ୍ତିର ସ୍ମରଣ ନିମନ୍ତେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ମହତ୍ତର ଉଦ୍ୟମ ସ୍ୱରୂପ ଇଂରାଜୀରେ "ଗାନ୍ଧିଜୀ ଇନ ଓଡ଼ିଶା' (ଓଡ଼ିଶାରେ ଗାନ୍ଧିଜୀ) ଶୀର୍ଷକ ଏକ ଅନନ୍ୟ ସଂକଳନର ପୁନଃସଂସ୍କରଣ ପ୍ରକାଶିତ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଉକ୍ତ ପୁସ୍ତକଟିରେ ସ୍ଥାନିତ ଗାନ୍ଧିଜୀଙ୍କର ଓଡିଶା ଆଗମନ ଓ ବିଭିନ୍ନ ପ୍ରସଙ୍ଗ ସଂପର୍କରେ ବହୁମୂଲ୍ୟ ଆଲେଖ୍ୟ ପାଠକମାନଙ୍କ ଦ୍ୱାରା ନିଶ୍ଚିତ ଆଦୃତ ହେବ ।
ରାଜ୍ୟ
"ଗାନ୍ଧିଜୀ ଇନ ଓଡ଼ିଶା' ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
- Hits: 602