ଅକ୍ଟୋବର ୨ ରୁ ଆରମ୍ଭ କରି ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜୀବନବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର(ଶାସକ ପ୍ରଶାସକ) : - ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ରୁ ଆରମ୍ଭ କରି ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୧ ମାସ ଧରି ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହି ସମାଜସେବା ଗୁଡ଼ିକ ମଧ୍ୟରେ ରକ୍ତଦାନ ଶିବିର ଆୟୋଜନ ପ୍ରମୁଖ। ତାଙ୍କର ଏହି ଆହ୍ୱାନକୁ ଅନୁପାଳନ କରି ଓଡ଼ିଶା-ମୋ ପରିବାର, ଏହାର ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବ । ଏହି କ୍ରମରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ଜୀବନବିନ୍ଦୁ ରକ୍ତଦାନଶିବିର ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି ।
ବିଗତ ଦିନମାନଙ୍କରେ ବୈଶ୍ୱିକ ମହାମାରୀ ପରିସ୍ଥିତିରେ ଯେଉଁ ଉତ୍କଟ ରକ୍ତାଭାବ ଦେଖା ଦେଇଥିଲା ତାହା ଓଡି଼ଶା-ମୋ ପରିବାରର ସ୍ୱତନ୍ତ୍ର ରକ୍ତଦାନ ଅଭିଯାନ ଫଳ ରେ ଅନେକାଂଶରେ ଦୂର ହୋଇଥିଲା । ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ସଂଗଠନ ମାନଙ୍କ ମଧ୍ୟରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ, ଓଡ଼ିଶା-ମୋ ପରିବାରର ଏହି ଅଭିଯାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଗତ ଅଗଷ୍ଟ ୯ ରୁ ଚଳିତ ଅଗଷ୍ଟ ୯ ପର୍ଯ୍ୟନ୍ତ ମୋଟ ୧,୩୦,୧୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ୩୦ ସେପ୍ଟେମ୍ବର ୨୦୨୧ ସୁଧା ସର୍ବମୋଟ ୧,୪୪,୬୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇସାରିଲାଣି । କୋଭିଡ୍ ଦ୍ୱିତିୟ ଲହର ଅନ୍ତ ଓ ତୃତୀୟ ଲହର ପ୍ରାରମ୍ଭ ସତ୍ତ୍ୱେ ଓଡ଼ିଶା-ମୋ ପରିବାର ନିରବଚ୍ଛିନ୍ନ ଭାବେ ଏହାର ଉଦ୍ୟମ ଜାରି ରଖିଛି । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ଯୁବ, ଛାତ୍ର ମାନଙ୍କୁ ସାମିଲ କରି ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଧାର୍ଯ୍ୟ ରଖାଯାଇଛି ।
ଏହା ବ୍ୟତୀତ ଅକ୍ଟୋବର ୨ ତାରିଖ ସକାଳ ୧୦ ଘଟିକାରେ ଜନତା ମୈଦାନ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମାଜସେବା ପାଇଁ ପ୍ରତିବଦ୍ଧତାର ଶପଥପାଠ ସମାରୋହ ଅନୁଷ୍ଠିତ ହେବ । ଏହାପରେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ରେ ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀ ସ୍ଥିତ ଲେପ୍ରସି କଲୋନୀରେ ଫଳ, ଔଷଧ ଇତ୍ୟାଦି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଓଡ଼ିଶା-ମୋ ପରିବାର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା-ମୋ ପରିବାର ତରଫରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ତଥା ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ସହ-ଆବାହକ ତଥା ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ତଥା ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ଶ୍ରୀ ସସ୍ମିତ ପାତ୍ର, ଓଡ଼ିଶା-ମୋ ପରିବାର ସଦସ୍ୟ ଶ୍ରୀ ଗୌରହରି ମିଶ୍ର, ସଦସ୍ୟା ଶ୍ରୀମତୀ ଭାରତୀ ସିଂହ, ସଂପାଦକ ଶ୍ରୀ ଦୁର୍ଗା ଚରଣ ସାମନ୍ତରାୟ, ଶ୍ରୀମତୀ ମୀରା ପରିଡ଼ା, ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସମୀର ପ୍ରଧାନ ଏବଂ ଓଡ଼ିଶା-ମୋ ପରିବାର ଖୋର୍ଦ୍ଧା ଜିଲ୍ଲା ଯୁଗ୍ମ ସଂଯୋଜକ ଶ୍ରୀ ଶ୍ରୀକୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।