ରକ୍ଷଣାବେକ୍ଷଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ
ବରଗଡ :- ରାଜ୍ୟ ସରକାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନେକ ପ୍ରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ଠିକ ଭାବରେ ସରକାରୀ ସେବା ଯୋଗାଇବା ପାଇଁ ଓ ପ୍ରଶାସନକୁ ଲୋକଙ୍କର ନିକଟତର କରିବା ପାଇଁ ସରକାରଙ୍କର ଉଦ୍ୟମ ସନ୍ତୋଷଜନକ । କିନ୍ତୁ କିଛି ବିଭାଗୀୟ ଅଧିକାରୀ ମାନଙ୍କର ଅପାରଗତା ଆଉ ଅବହେଳା କାରଣରୁ ସରକାରୀ କାର୍ଯ୍ୟ ରେ ଅନେକ ବାଧା ସୃଷ୍ଟି ହେବା ସହିତ ଲୋକମାନେ ଠିକ ସମୟରେ ଉଚିତ ଲାଭ ପାଇ ପାରୁନାହାନ୍ତି ଓ ଅକାରଣରେ ସରକାରୀ ରାଜକୋଷରୁ ଟଙ୍କା ବର୍ବାଦ ହେଉଛି । ଯାହାର ଏକ ଜ୍ୱଳନ୍ତ ପ୍ରମାଣ ପାଇକମାଲ ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସ । ଏହି ଅଫିସର ନିର୍ମାଣକୁ ପ୍ରାୟ ଦଶ ବର୍ଷ ବିତିଗଲାଣି । ହେଲେ ବାବୁ ମାନଙ୍କର ଖମଖିଆଲି ମନୋଭାବ ଓ ଅପାରଗତା କାରଣରୁ ଆଜି ପର୍ଯନ୍ତ ଉକ୍ତ ଅଫିସରେ କାର୍ୟ୍ଯ ଆରମ୍ଭ ହୋଇ ପାରି ନାହିଁ । ଇତି ମଧ୍ୟରେ ପ୍ରତେକ ବର୍ଷ ରକ୍ଷଣାବେକ୍ଷଣ ନାମରେ ବରାବର ବିଲ ତିଆରି ଚାଲିଥିବା ଅଭିଯୋଗ ହେଉଛି । ଏହି ଅଫିସ ପରିସରରେ ଅଧିକାରୀ ମାନେ ରହିବା ପାଇଁ ଘର ମଧ୍ୟ ତିଆରି କରାଯାଇଛି । ହେଲେ ବାବୁ ମାନେ ଏଠି ରହୁ ନାହାନ୍ତି । ପାଇକମାଲରେ ବିଭାଗର କାର୍ଯରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମାନ ଶଙ୍କର ରାଓ ସାର ଏହି ଅଫିସରେ ବସିବା କଥା କିନ୍ତୁ ସେ ପଦ୍ମପୁର ରେ ରୁହନ୍ତି । ଲୋକ ରହୁ ନଥିବା କାରଣରୁ ଅଫିସ ପରିସର ବର୍ତ୍ତମାନ ଅପରିଷ୍କାର ହୋଇ ପଡି ରହିଛି । ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ସମ୍ପୂର୍ଣ୍ଣ ନିରବ । ଅବଶ୍ୟ ଏହି ଅଫିସ କାର୍ଯକ୍ଷମ ହେଲେ କେତେ ଓ ନ ହେଲେ କେତେ । ବାବୁ ମାନଙ୍କର କିଛି ଯାଏ ଆସେ ନାହିଁ । ସରକାର ଙ୍କର କୋଟି କୋଟି ଟଙ୍କା ବର୍ବାଦ ହେଲ ବାବୁ ମାନଙ୍କର କଣ ଗଲା । କୁହନ୍ତି ନା ସରକାର କା ମାଲ ଦରିଆ ମେ ଡାଳ , ସେହି ନୀତିରେ ଚାଲିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ମହାଶୟ । ଯଦି ଏଠି ଅଫିସର ର ଆବଶ୍ୟକତା ନ ଥିଲା ତେବେ ଏତେ ଟଙ୍କା କାହିଁକି ବର୍ବାଦ କରାଗଲା , ଓ ଯଦି ଅଫିସ ହୋଇ ସାରିଛି ତେବେ ତୁରନ୍ତ ଏହାକୁ କାର୍ଯକ୍ଷମ କରାଯିବା ପାଇଁ ସଚେତନ ନାଗରିକ ମାନେ ଦାବି କରିଛନ୍ତି ।











