ହେଡଲାଇନସ୍:

ଆମ୍ ଆଦମୀ ପାର୍ଟି,ଗଜପତି ପକ୍ଷରୁ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଆନ୍ଧ୍ରସରକାରଙ୍କ ଓଡ଼ିଶାର ଗଜପତି ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡିକରେ ବେଆଇନ ଅନୁପ୍ରବେଶ ଓ ଅତ୍ୟାଚାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
ଦୀର୍ଘ ବର୍ଷ ଧରି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଲାଗି ରହିଥିଲେ ମଧ୍ୟ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବାରମ୍ବାର ଓଡ଼ିଶା ସୀମାରେ ଥିବା ଗ୍ରାମ ଗୁଡିକରେ ଆନ୍ଧ୍ର ସରକାର ଜବରଦସ୍ତି ପ୍ରବେଶ କରି ବେଆଇନ ଭାବେ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି। ଓଡ଼ିଶାର ଗ୍ରାମଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ।
ଗତ ୯ ତାରିଖରେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ଼ଃ ଆପାଲା ରାଜୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗ୍ରାମରେ ନିଜ ଦଳୀୟ କର୍ମୀ ଓ ପୋଲିସ ସହ ପ୍ରବେଶ କରି ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଆନ୍ଧ୍ର ମନ୍ତ୍ରୀଙ୍କ ଏଭଳି ଆଚରଣ ଗଜପତି ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି ।
ଅନ୍ୟପକ୍ଷରେ ଓଡ଼ିଶା ସରକାର ହାତରେ ହାତ ଦେଇ ଚୁପ୍‌ ହୋଇ ବସି ରହିଛନ୍ତି । ମୁଖ୍ୟ ଶାସନ ସଚିବ ଗଜପତି ଗସ୍ତରେ ଆସିଥିଲେ ସୁଧା ମାଣିକପାଟଣା ଗସ୍ତ କରିନଥିଲେ କି ଜିଲ୍ଲା ପ୍ରଶାସନ ସହିତ କୈାଣସି ଆଲୋଚନା କରିନଥିଲେ । ଖାଲି ସେତିକି ନୁହେଁ ଶାସକ ଦଳର ସାଂସଦ ଚନ୍ଦ୍ରଶେଖର ସାହୁଙ୍କର ଏ ପର୍ଯ୍ୟନ୍ତ ଦେଖା ମିଳିନାହିଁ । ଏଥିରୁ ରାଜ୍ୟ ସରକାରଙ୍କର ଗଜପତି ଜିଲ୍ଲା ପ୍ରତି କୌଣସି ଆନ୍ତରିକତା ନଥିବା ଜଣାପଡ଼ୁଛି ।
ଆପ୍‌ ଗଜପତି ତରଫରୁ ୫ ଦଫାଦାବୀ ହେଲା , ସୀମା ବିବାଦର ତୁରନ୍ତ ସ୍ଥାୟୀ ସମାଧାନ କରିବା , ସୀମାବର୍ତ୍ତି ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା , ଶିକ୍ଷା , ସ୍ୱାସ୍ଥ୍ୟ , ବିଭିନ୍ନ ମୌଳିକ ସୁବିଧା ସମସ୍ତ ଗ୍ରାମକୁ ଗମନାଗମନ ପାଇଁ ରାସ୍ତା ନିର୍ମାଣ ଓ ସରକାରୀ ଯୋଜନା ଠିକ୍‌ ଭାବେ ପହଞ୍ଚାଇବା , ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗୁଡିକରେ ପେସା ଆଇନ୍‌ ( PESA , ACT-1996) କୁ କାର୍ଯ୍ୟକାରୀ କରିବା , ଓଡ଼ିଶାରେ ସାମାଜିକ ସୁରକ୍ଷା ଭତ୍ତା (ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା , ଅସହାୟ ମହିଳା) ୫୦୦ , ୭୦୦ ଟଙ୍କାରୁ ବୃଦ୍ଧି କରି ଯଥାକ୍ରମେ ୧୫୦୦ , ୨୦୦୦ ଟଙ୍କା କରିବା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବୀପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା , କିଶୋର ଚନ୍ଦ୍ର ଗୁରୁ , ଲୋକନାଥ ଭୁକ୍ତା , ଶେଖ ମୋଜିବ , ତ୍ରିନାଥ ପଟ୍ଟନାୟକ , ଲୋଗସ୍‌ ଦାସ ବର୍ଦ୍ଧନ , ପୋନ୍ଦୁରୁ କୁମାର,ଲୁସେନ୍ୟ ଗମାଙ୍ଗ, ଇଶ୍ୱର ରାଓ, ତିରୁପତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault