କମିଟି ଗଠନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ପୁରୀ/ ଅନିମେଷ ପଟ୍ଟନାୟକ : ଘରେ ପସୁଛନ୍ତି, ଯୋର ଜବରଦସ୍ତ କାର୍ଯ୍ୟକ୍ଷମ ଥିବା ମିଟରକୁ ବଦଳାଇ ଟାଟା ପାୱାରର ମିଟର ଲଗାଉଛନ୍ତି । ବିରୋଧ କଲେ ମିଛ କେସ ସହ ପୋଲିସର ନାଲି ଆଖି ଉପଭୋକ୍ତାଙ୍କୁ ବ୍ୟତିବ୍ୟସ୍ତ କରୁଛି । ଟାଟା ପାୱାରର ଏପରି ଦାଦାଗିରି ବିରୁଦ୍ଧରେ ସ୍ୱର ଉଠାଇଛି ପୁରୀ ଜିଲ୍ଲା କଂଗ୍ରେସ । ଅଭିଯୋଗ ନେଇ ଭେଟିଛି ଜିଲ୍ଲାପାଳଙ୍କୁ ।
ଟାଟା ପାୱାର ମିଟର ରିଡିଂରେ ଚଞ୍ଚକତା କରି ଅଧିକା ୟୁନିଟ ଦେଖାଇ ଅଧିକା ବିଲ କାଟୁଛି । ତାହାବି କେବେ ମାସ ନପୁରୁଣୁ ବିଲ କାଟୁଛି ତ କେବେ ଦୁଇ ମାସର ବିଲ ଏକାଠି କାଟୁଛି । ଫଳରେ ଗରିବ ତଥା ମଧ୍ଯବିତ ପରିବାରର ଉପଭୋକ୍ତା ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ସେମାନଙ୍କ ଠାରୁ ଜୋର ଜବରଦସ୍ତ ବିଲ ଆଦାୟ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏ ନେଇ କଂଗ୍ରେସ ଏକ ଟିମ ଶନିବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଅଭିଯୋଗ ଶୁଣିବାପରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁଙ୍କୁ ଡାକି ଆଲୋଚନା କରିଛନ୍ତି । ଯନ୍ତ୍ରୀଙ୍କୁ କମିଟି ଗଠନ କରି ଅଭିଯୋଗର ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଳ୍ଲାପାଳ । ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବାକୁ ସ୍ଥିର କରାଯାଇଛି । ଏହି କମିଟିରେ ଯନ୍ତ୍ରୀଙ୍କ ସହ ବିନାୟକ ଦାସମହାପାତ୍ର, ବିରେନ୍ଦ୍ର ହୋତା, ପୁଷ୍କର ମହାପାତ୍ର, ପ୍ରଦ୍ୟୁମ୍ନ ମିଶ୍ର , ମଧୁସୂଦନ ମିଶ୍ର, ରାଜେଶ ମିଶ୍ର, ବିଶ୍ଵନାଥ ଦାଶ, ଅମରେନ୍ଦ୍ର ପାଇକରା, ନିରଞ୍ଜନ ରଥ, ସୌରଭ ପଟନାୟକ, କାଳିପ୍ରସାଦ ନାୟକ ଛବିନ୍ଦ୍ର ପଢିଆରି ପ୍ରମୁଖ ସଦସ୍ୟ ରହିଥିବା ଜଣା ପଡିଛି ।
ସୂଚନା ଥାଉକି, ଅନେକ ଦିନ ହେଲା ସହର ତଥା ଜିଲ୍ଲାରେ ଟାଟା ପାୱାର ବିରୁଦ୍ଧରେ ଅନେକ ଅଭିଯୋଗ ଆସିଛି । ଏନେଇ ଉପଭୋକ୍ତା ମାନେ ଅଭିଯୋଗ କରିବା ପରେ ମଧ୍ୟ ସୁଫଳ ମିଳୁନାହିଁ । ଜବାବରେ ବିଭିନ୍ନ ସଂଗଠନ ଏହାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଥିବା ନଜର ଆସୁଛି ।











