ଭୁବନେଶ୍ୱରେ ନବନିର୍ମିତ କାର୍ଯ୍ୟାଳୟ ଠାରେ ସଭାପତି କଲେ ବୃକ୍ଷରୋପଣ
ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନର ଦ୍ୱିତୀୟ ଦିବସରେ ସାରା ଓଡିଶାରେ ଭାରତୀୟ ଜନତାପାର୍ଟିର କର୍ମକର୍ତାମାନେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ଆଜି ୩୭ ହଜାର ବୁଥରେ ବୃକ୍ଷରୋପଣ କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ସେବା ଓ ସମର୍ପଣ ଅଭିଯାନ ଆସନ୍ତା ୧୮ଦିନ ଧରି ଚାଲିବ । ଏହି ଉପଲକ୍ଷେ ଭୁବନେଶ୍ୱରେ ନବନିର୍ମିତ କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚା ନେତୃତ୍ୱରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସହିତ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନିତା ଶୁଭଦର୍ଶନୀ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, କୃଷକମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କାମାକ୍ଷା ପ୍ରଧାନ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଞ୍ଜିତ୍ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ ।
ପରିବେଶ ସଂରକ୍ଷଣ ଏବଂ ପୃଥିବୀକୁ ଜଳବାୟୁ ପରିବର୍ତନରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ଏବଂ ସେହି ଦିଗରେ ଦୃଢ ପଦକ୍ଷେପ ନେଇଛନ୍ତି । ବ୍ୟାପକ ବୃକ୍ଷରୋପଣ ସହ ଜଳ ଓ ଜଳାଶୟମାନଙ୍କର ସଂରକ୍ଷଣ, ବର୍ଷାଜଳ ଅମଳ ଓ ତାହାର ପୁନଃ ବ୍ୟବହାର, ବର୍ଜ୍ୟବସ୍ତୁର ସୁପରିଚାଳନା ଓ ପୁନଃ ବ୍ୟବହାର, ଆଫରେଷ୍ଟ୍ରେସନ , ମୃତିକା ସଂରକ୍ଷଣ ଏବଂ ଏଭଳି ଅନେକ ପଦକ୍ଷେପ ନେଇ ମୋଦି ସରକାର ପ୍ରକୃତିର ସୁରକ୍ଷା ପାଇଁ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି ।
ମୋଦିଜୀଙ୍କ ବିଶ୍ୱାସ କିଛି ଲୋକଙ୍କର ପ୍ରୟାସରେ କେବଳ ନୁହେଁ ବରଂ ସମଗ୍ର ୧୩୫କୋଟି ଦେଶବାସୀଙ୍କ ଭାଗିଦାରୀରେ ପ୍ରକୃତିର ସଂରକ୍ଷଣ ସମ୍ଭବ ହୋଇପାରିବ । ଏଣୁ ଭାରତୀୟ ଜନତାପାର୍ଟି ଏହି କାମକୁ ଉଚିତ୍ ମହତ୍ୱ ଦେଇ ଦେଶବ୍ୟାପୀ ବୃକ୍ଷରୋପଣ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ, ସ୍ୱଚ୍ଛଭାରତ, ନମାମୀ ଗଙ୍ଗେ ଟିମ୍ ନେତୃତ୍ୱରେ ବିଭିନ୍ନ ଜାଗାରେ ପାର୍ଟିର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ଯେତିକି ନଦୀ ଓଡିଶାରେ ଅଛି ସମସ୍ତ ନଦୀର ସଫେଇ କାର୍ଯ୍ୟକ୍ରମ ଓ ଜଳାଶୟର ସଫେଇ କାର୍ଯ୍ୟକ୍ରମ ଭାରତୀୟ ଜନତାପାର୍ଟି ହାତକୁ ନେଇଛି । ଏହି ସମସ୍ତ କଥାକୁ ଲୋକଙ୍କ ପାଖରେ ପହଂଚାଯିବା ସହ କାର୍ଯ୍ୟକ୍ରମ ଗୁଡିକୁ କୋଭିଡ୍ ନିୟମବଳୀ ମାନି ପାଳନ କରାଯାଉଛି । ରାଜ୍ୟରେ ଭାରତୀୟ ଜନତାପାର୍ଟିର ୩୬ଟି ସାଂଗଠନିକ ଜିଲ୍ଲା ଏବଂ ୧୦୦୪ ମଣ୍ଡଳ ଓ ସମସ୍ତ ବୁଥ୍ରେ ଏହି କାର୍ଯ୍ୟକ୍ରମ ପାଳନ ହେବ ଏବଂ ସବୁ କାର୍ଯ୍ୟକର୍ତା ଏଥିରେ ସାମିଲ୍ ରହିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନିତା ଶୁଭଦର୍ଶନୀ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, କୃଷକମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କାମାକ୍ଷା ପ୍ରଧାନ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଞ୍ଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।











