ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଦିନ ହଙ୍ଗର ପ୍ରୋଜେକ୍ଟ ଆନୁକୂଲ୍ୟରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ମହିଳା ବିକାଶ ପ୍ରତିଷ୍ଠାନ" ସହଯୋଗରେ ପଞ୍ଚାୟତରାଜ ମହିଳା ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
କର୍ମଶାଳା କାର୍ଯ୍ୟକ୍ରମରେ ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ନଟବର ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ ଓ ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ପ୍ରତିଷ୍ଠାନର ଶ୍ରୀମତୀ ନିର୍ମଳା ପଟ୍ଟନାୟକ ଯୋଗଦେଇ ଗଣମାଧ୍ୟମ ବ୍ୟକ୍ତିମାନଙ୍କ ମାଧ୍ୟମରେ ପଞ୍ଚାୟତର ମହିଳା ଜନପ୍ରତିନିଧି ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇବା ହିଁ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।
ମଞ୍ଚାସୀନ ଅତିଥିଭାବେ ପଞ୍ଚାୟତ ରାଜ ମହିଳା ପ୍ରତିନିଧି ତଥା ଅଲିଭା ମହାସଂଘ ସଭାପତି ଶ୍ରୀମତୀ ଅଭାବନି ମାଳି , ସମ୍ପାଦକ ତଥା ରା:ଉଦୟଗିରି ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପୂଜାରୀ , କୋଷାଧ୍ୟକ୍ଷ ତଥା ସରପଞ୍ଚ ଶ୍ରୀମତୀ ରୀନା ରାଇକା , ଅମ୍ବେଡା ସରପଞ୍ଚ ଶ୍ରୀମତୀ ସୁମଣି ଭୂୟାଁ , ଡମ୍ବାଲ ସରପଞ୍ଚ ଶ୍ରୀମତୀ କୌଶଲ୍ୟା ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆଲୋଚନା ବେଳେ ମଞ୍ଚାସୀନ ମହିଳା ଜଣ ପ୍ରତିନିଧିମାନେ ସେମାନଙ୍କ ଉପଲବ୍ଧ , ଅନୁଭୂତି , ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଓ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ମୁଖ୍ୟତଃ ସେମାନେ ପଞ୍ଚାୟତ ପାଇଁ କଣ କଣ ସବୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ଏବଂ ଲୋକଙ୍କ ସୁବିଧା ପାଇଁ କେତେ ପରିମାଣରେ ସେମାନେ ସହାୟକ ହୋଇ ପାରିଛନ୍ତି କହିଥିଲେ । ଅନ୍ୟପକ୍ଷରେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରୁଷ ପ୍ରତିନିଧି ମାନଙ୍କ ଭଳି ସମାନ ହୋଇ କିଭଳି କାର୍ଯ୍ୟ କରିବେ , ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ କିଭଳି ହୋଇପାରିବ , ମହିଳା ମାନଙ୍କ ଅଧିକାର , ବାଲ୍ୟ ବିବାହ କିଭଳି ରୋକାଯିବ , ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା ସମେତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଭତ୍ତା ବୃଦ୍ଧି କରିବା ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ ।
ଅନ୍ୟପକ୍ଷରେ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ଅଧିକ ଭାଗିଦାରୀ ହେଲେ ଅଞ୍ଚଳର ବିକାଶ ସମ୍ଭବ ହେବ , ତେଣୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି , ଏହା ହେଲେ ପଞ୍ଚାୟତ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ, ଯାହାକି ପଞ୍ଚାୟତ ଅଞ୍ଚଳର ର୍ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମହିଳା ଜନ ପ୍ରତିନିଧି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣମାଧ୍ୟମ ବ୍ୟକ୍ତି ମାନେ କହିଥିଲେ ।
ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ଶ୍ରୀମତୀ ମିନତୀ ପାଢ଼ୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ସରିତା ପାଣି ଓ ଶ୍ରୀମତୀ ରଶ୍ମିତା ଲୀମା।
ଏହି କର୍ମଶାଳା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରା:-ଉଦୟଗିରି ଓ ରାୟଗଡ ବ୍ଲକର ମହିଳା ସରପଞ୍ଚ , ସମିତିସଭ୍ୟା ଓ ୱାର୍ଡ ସଭ୍ୟା ମାନେ ବହୁ ସଂଖ୍ୟାରେ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
ପଞ୍ଚାୟତ ମହିଳା ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କିତ କର୍ମଶାଳା
- Hits: 365











