ହେଡଲାଇନସ୍:

ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାର ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ - ଧର୍ମେନ୍ଦ୍ର

ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଦେଉଛନ୍ତି ଗୁରୁତ୍ୱ : ବୈଷ୍ଣବ

ନୂଆଦିଲ୍ଲୀ/ଭୁବନେଶ୍ୱର – ପବିତ୍ର ଗଣେଶ ପୂଜା ଅବସରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।
ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ତଥା ରେଳ ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶା ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ସୁବିଧା ଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏହି ଅତ୍ୟାଧୁନିକ କୋଚ୍ ଦ୍ୱାରା ତିନୋଟି ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।
ଭୁବନେଶ୍ୱର-ଜଗଦଲପୁର-ହୀରାଖଣ୍ଡ ଏକ୍ସପ୍ରେସ ନୂଆ ଅତ୍ୟାଧୁନିକ ଏଲଏଚବି କୋଚ୍ ଗୁଡ଼ିକ ନିଶ୍ଚିତ ଭାବେ ଯାତ୍ରୀ ମାନଙ୍କୁ ଉତମଏବଂ ଆରାମଦାୟକ ସୁବିଧା ଯୋଗାଇବ ଏବଂ ଅଧିକ ଉର୍ଜା ସଂଚୟ ହୋଇପାରିବ । ମୋଦି ସରକାର ଯାହା କୁହନ୍ତି ତାହା କରନ୍ତି । ମୋଦି ସରକାରରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ବିପୁଳ ଅର୍ଥ ମିଳିଛି । ନୂଆ ରେଳ ଲାଇନ, ରେଳ ଲାଇନର ଦୋହରୀକରଣ, ବିଦ୍ୟୁତକରଣ, ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧାକୁ ମୋଦି ସରକାରରେ ସର୍ବାଧିକ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶା ପରି ରାଜ୍ୟର ସାଧାରଣ ଲୋକମାନେ ଉଡାନ୍ ଯୋଜନାରେ ବିମାନ ସେବାର ଲାଭ ପାଇପାରୁଛନ୍ତି । ଜନଜାତି ଅଧ୍ୟୁଷିତ ଅଂଚଳ ସୁଦୂର ରାୟଗଡ଼ା - କୋରାପୁଟ ଅଂଚଳର ଲୋକମାନେ ଟ୍ରେନରେ ଯାତ୍ରା କରିପାରିବାର ସ୍ୱପ୍ନ ମଧ୍ୟ ସାକାର ହୋଇପାରିଛି । ଏହା କଲ୍ୟାଣକାରୀ ମୋଦି ସରକାରଙ୍କ କାରଣରୁ ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ
ପ୍ରଧାନ କହିଛନ୍ତି ।
ଏହି ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି | ଭାରତୀୟ ରେଳବାଇକୁ କେବଳ ବର୍ଦ୍ଧିତ ପରିବର୍ତ୍ତନ ନକରି ଏହାକୁ ସୁଦୃଢ଼ ଭାବେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ ଅଟେ | ବର୍ତମାନ କେନ୍ଦ୍ର ସରକାର ଏହି ପ୍ରକଳ୍ପଗୁଡ଼ିକୁ ଏକ ଏକ୍ସପ୍ରେସ ମୋଡରେ ଅନୁସରଣ କରୁଛନ୍ତି | ପ୍ରତିବର୍ଷ ପ୍ରାୟ ଛଅ ହଜାରରୁ ସାତ ହଜାର କୋଟି ଟଙ୍କା ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ମଞ୍ଜୁର କରାଯାଉଛି | ଆମର ସମ୍ମାନିତ ଯାତ୍ରୀମାନଙ୍କୁ ଉନ୍ନତ ସଂଯୋଗ ଏବଂ ସୁବିଧା ଯୋଗାଇବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି |
ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ସହ ଯାତ୍ରା କରି ରେଳ ସେବା ବିଷୟରେ ସେମାନଙ୍କ ମତାମତ ନେଇଥିଲେ | ହୀରାଖଣ୍ଡ ଏକ୍ସପ୍ରେସରେ ନୂତନ ଆଧୁନିକ ଏଲଏଚବି ରେକ୍ ସଂଯୋଗ କରିବା ଦ୍ୱାରା ଯାତ୍ରୀମାନଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି | ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ ଜଗଦଲପୁର ପର୍ଯ୍ୟନ୍ତ 784 କିଲୋମିଟର ଯାତ୍ରା କରୁଥିବାବେଳେ ଏହା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର 21 ଟି ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରୁଛି | ଏହି ଟ୍ରେନର ଅନ୍-ବୋର୍ଡ ଯାତ୍ରୀମାନେ ବର୍ତ୍ତମାନ ଆଧୁନିକ ଏଲଏଚବି ରେକ୍ ରେ ଯାତ୍ରା ସମୟରେ ଟ୍ରେନ ଭିତରୁ ମାର୍ଗ ରେ ଥିବା ଉପତ୍ୟକା, ଟନେଲ୍, ପ୍ରାଣୀ ଏବଂ ଉଦ୍ଭିଦର ଅପ୍ରତିମ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ, ଯେଉଁଥିରେ ନୂତନ ଆଧୁନିକ ଏଲଏଚବି କୋଚ୍ ର ଆରାମଦାୟକ ଯାତ୍ରା ସହିତ ପ୍ରଶସ୍ତ ଝରକା ଏବଂ ମଡ୍ୟୁଲାର୍ ଆଭ୍ୟନ୍ତରୀଣ ସୁବିଧା ଗୁଡିକ ପ୍ରଦାନ କରାଯାଇଅଛି |
ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ହିରାଖଣ୍ଡ ଏକ୍ସପ୍ରେସରେ ଏଲଏଚବି କୋଚ ଯାତ୍ରୀମାନଙ୍କୁ ଉନ୍ନତ ଆରାମ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବ | ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପାରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି | ଏଲ.ଏଚ.ବି. କୋଚ୍ ର ଅନେକ ଗୁଡିଏ ବୈଶିଷ୍ଟତା ରହିଛି | ଏହା ଆଣ୍ଟି ଟେଲିସ୍କୋପିକ | ଦ୍ୱୈତ ବଫର ପ୍ରଣାଳୀ ପରିବର୍ତ୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ନିରାପତ୍ତା ଦୃଷ୍ଟିରୁ ଫଳପ୍ରଦ ଅଟେ | ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ | ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ କମ ଅଟେ | ଏହା ମଧ୍ୟ ପୂର୍ବ ପ୍ରଚଳିତ କୋଚ୍ ତୁଳନାରେ କମ ଖର୍ଚରେ ଉପଲବ୍ଧ ଅଟେ | ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ 12 କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଏଲଏଚବି କୋଚ ସହିତ ଚଳାଚଳ କରିବ |
ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲକା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରା ପ୍ରସାଦ ବାହିନୀପତି, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ, ଶ୍ରୀ ମକରନ୍ଦ ମୁଦୁଲି ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ ।

0
0
0
s2sdefault