ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମରେ ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ପକ୍ଷରୁ ଏକ ନିଆରା ଢଙ୍ଗରେ କୋଭିଡ୍ ମାର୍ଗଦର୍ଶିକା ପ୍ରକାରେ ପବିତ୍ର ରକ୍ଷା-ବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଉତ୍ସବ କାର୍ଯ୍ୟକ୍ରମ ହୋଇଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ସହରରେ ରାକ୍ଷୀ ଦୋକାନ ମାନଙ୍କରେ ଯୁବତୀ-ମହିଳା ମାନଙ୍କ ଭିଡ଼ ଲାଗି ରହିଥିଲା ।
ପ୍ରତ୍ୟେକଙ୍କ ଘର ଘରେ ଏହି ରକ୍ଷା-ବନ୍ଧନ କାର୍ଯ୍ୟକ୍ରମରେ ଭଉଣୀ ମାନେ ଭାଇ ମାନଙ୍କୁ ବନ୍ଦାପନା କରି ମଥାରେ ଚିତା-ସିନ୍ଦୁର ଲଗାଇ ମିଠା ଖୁଆଇ ରଖି ବାନ୍ଧିଥିଲେ ।
ଏହି ଉତ୍ସବ ଅବସରରେ "ଆକାଂକ୍ଷା" ମହିଳା ସଂଗଠନ ପକ୍ଷରୁ ସଦସ୍ୟା ମାନେ ରାଣୀପେଣ୍ଠ ଗ୍ରାମ ନିକଟସ୍ଥ ଧାନବିଲ କ୍ଷେତକୁ ଯାଇ ନିଆରା ଢଙ୍ଗରେ ରକ୍ଷା-ବନ୍ଧନ ଉତ୍ସବ ପାଳନ କରିଥିଲେ । ସଂଗଠନର ମହିଳା ମାନେ ଧାନବିଲ କ୍ଷେତରେ ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଚାଷୀଭାଇ ମାନଙ୍କୁ ସେଠାରେ ମାସ୍କ ବଣ୍ଟନ କରିବା ସହ ହାତକୁ ସେନିଟାଇଜ କରିଥିଲେ । ପରେ ସେଠାରେ ହୁଳହୁଳି ଦେଇ ଚାଷୀଭାଇ ମାନଙ୍କୁ ବନ୍ଦାପଣା କରି ମଥାରେ ଚିତା-ସିନ୍ଦୁର ଲଗାଇ ରାକ୍ଷୀବାନ୍ଧି ମିଠା ଖୁଆଇଥିଲେ । ପରେ ସେମାନଙ୍କୁ ଉପଢୌକନ ଦେଇ ଚାଷୀ ମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।
ଦେଶପାଇଁ ଯେଉଁ କୃଷକ ଭାଇମାନେ ଖାଦ୍ୟଶସ୍ୟ ଯୋଗାଉଛନ୍ତି , ସେମାନେ ହେଉଛନ୍ତି ଏ ଦେଶର ସମସ୍ତଙ୍କ ଭାଇ ଓ ଖାଦ୍ୟଦାତା । ସେମାନଙ୍କୁ ଆଜିର ଏହି ପବିତ୍ର ଦିନରେ ଆମେ ମହିଳା ମାନେ ଚାଷୀଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ସମ୍ମାନିତ କରିଛୁ ।
ଚାଷୀଭାଇ ମାନେ ଖରାତରାରେ ଖଟି ଦେଶପାଇଁ ଖାଦ୍ୟଶସ୍ୟ ଯୋଗାଇ ଦେବାରେ ଯେଉଁ କଷ୍ଟକାର୍ଯ୍ୟ କରୁଛନ୍ତି , ତା ଅତ୍ୟନ୍ତ ହୃଦୟସ୍ପର୍ଶୀ ।
ମହିଳା ମାନେ ଚାଷ ବିଲରେ ଚାଷୀ ମାନଙ୍କ ସହ କିଛି ସମୟ କଟାଇ ଧାନବିଲରେ କିଛିଟା ଧାନତଳି ରୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସଂଗଠନର ଉପଦେଷ୍ଟା ଡ଼ଃ ଶ୍ରୀମତୀ କଲ୍ୟାଣୀ ମିଶ୍ର ଓ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀଙ୍କ ସମେତ ଉପସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର , ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ , ମମତା ପାଢ଼ୀ , ଶ୍ରୀମତୀ ଅଳକା ସାହୁ ଏବଂ ଶ୍ରୀମତୀ ଉଷାରାଣୀ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ ।








