ଜୁଲାଇ ୨୯ରେ ଜିଲ୍ଲାର ୩୮,୧୯୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଫଲାଇନ ୧୩,୭୦୮ ଓ ଅନଲାଇନ ୭,୩୨୮ ଛାତ୍ରଛାତ୍ରୀ କ୍ଲାସରେ ଯୋଗ ଦେଲେ
ବାରିପଦା(ଦିଲ୍ଲୀପ ମହାନ୍ତି)- ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୬୧୦ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗତ ଜୁଲାଇ ୨୬ରେ ଖୋଲିଥିବା ବେଳେ ପ୍ରଥମ ଦଫାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଜୁଲାଇ ୨୬ ସୋମବାରଠାରୁ ଜିଲ୍ଲାରେ ୬୧୦ଟି ସରକାରୀ ଓ ବେସରକାରୀ ଓଡ଼ିଆ , ଇଂରାଜୀ ମାଧ୍ୟମ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ୩୮,୧୯୩ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଫ୍ ଲାଇନରେ ୮,୩୬୮ ଓ ଅନ୍ ଲାଇନରେ ୧୦,୨୯୦ ଛାତ୍ରୀଛାତ୍ରୀ କ୍ଲାସରେ ଯୋଗ ଦେଇଥିବା ବେଳେ ଜୁଲାଇ ୨୯ରେ ଏହି ସଂଖ୍ୟା ହ୍ରାସ ପାଇଥିବାର ପରିଲକ୍ଷିତ ହୋଇଛି । ଆଜି ସରକାରୀ ବିଦ୍ୟାଳୟଗୁଡ଼ିକରେ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ୨୩,୪୧୦ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଫ୍ ଲାଇନରେ ୩୬.୭୮ ପ୍ରତିଶତ ହାରରେ ୮,୬୧୦ ଜଣ ଛାତ୍ରଛାତ୍ରୀ ଓ ଅନଲାଇନରେ ୧୭.୯୮ ପ୍ରତିଶତ ହାରରେ ୪,୨୧୦ ଜଣ ଛାତ୍ରଛାତ୍ରୀ ଏହିପରି ମୋଟ ୫୪.୭୬ ପ୍ରତିଶତ ହାରରେ ୧୨,୮୨୦ ଜଣ ଛାତ୍ରଛାତ୍ରୀ ଅଫ ଲାଇନ ଓ ଅନଲାଇନରେ କ୍ଲାସ କରିଥିବାର ଜଣାପଡ଼ିଛି । ସେହିପରି ସରକାରୀ ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ୧୦ମ ଶ୍ରେଣୀରେ ନାମ ଲେଖାଇଥିବା ୧୨,୭୭୭ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୨.୨୨ ପ୍ରତିଶତ ହାରରେ ୪,୧୧୭ ଜଣ ଛାତ୍ରଛାତ୍ରୀ ଅଫ୍ ଲାଇନରେ ଓ ୧୮.୫୨ ପ୍ରତିଶତ ହାରରେ ୨,୩୬୬ ଜଣ ଛାତ୍ରଛାତ୍ରୀ ଅନ ଲାଇନରେ ଏହିପରି ମୋଟ ୫୦.୭୪ ପ୍ରତିଶତ ହାରରେ ୬,୪୮୩ ଜଣ ଛାତ୍ରଛାତ୍ରୀ କ୍ଲାସରେ ଯୋଗ ଦେଇଥିଲେ । ଘରୋଇ ଓଡ଼ିଆ ମାଧ୍ୟମ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ୧୦ମ ଶ୍ରେଣୀରେ ନାମ ଲେଖାଇଥିବା ୧,୨୧୭ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଫ୍ ଲାଇନ ମାଧ୍ୟମରେ ୫୨.୧ ପ୍ରତିଶତ ହାରରେ ୬୩୪ ଜଣ ଓ ଅନ ଲାଇନରେ ୩୨.୪୬ ପ୍ରତିଶତ ହାରରେ ୩୯୫ ଜଣ ଏହିପରି ମୋଟ ୮୪.୫୫ ପ୍ରତିଶତ ହାରରେ ୧,୦୨୯ ଜଣ ଛାତ୍ରଛାତ୍ରୀ କ୍ଲାସରେ ଉପସ୍ଥିତ ରହିଥିଲେ । ପୁଣି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ୧୦ମ ଶ୍ରେଣୀରେ ନାମ ଲେଖାଇଥିବା ୭୮୯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪୩.୯୮ ପ୍ରତିଶତ ହାରରେ ୩୪୭ ଜଣ ଅଫ୍ ଲାଇନ ଓ ୪୫.୨୫ ପ୍ରତିଶତ ହାରରେ ୩୫୭ ଜଣ ଅନ ଲାଇନ ଏହିପରି ମୋଟ ୮୯.୨୩ ପ୍ରତିଶତ ହାରରେ ୭୦୪ ଜଣ ଛା୍ରଛାତ୍ରୀ କ୍ଲାସରେ ଉପସ୍ଥିତ ରହିଥିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ବାରିପଦା ସହରରେ ଥିବା ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ଦତ୍ତଙ୍କ କହିବା ଅନୁସାରେ, ବିଦ୍ୟାଳୟର ୧୦ମ ଶ୍ରେଣୀରେ ମୋଟ ୨୨୯ ଜଣ ଛାତ୍ରୀ ନାମ ଲେଖାଇଥିଲେ । ଏମାନଙ୍କ ମଧ୍ୟରୁ ଗତ ୨୬ ତାରିଖରେ ବିଦ୍ୟାଳୟ ଖୋଲିବା ଦିନରେ ୭୪ ଜଣ ଛାତ୍ରୀ କ୍ଲାସ କରିଥିବା ବେଳେ ୨୭ରେ ୧୦୫ ଜଣ, ୨୮ରେ ୯୪ ଜଣ ଓ ଆଜି ୭ ଜଣ ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ବର୍ତ୍ତମାନ ବର୍ଷା ଋତୁ ସହ କରୋନା ଭୟ ସାଙ୍ଗକୁ ଛାତ୍ରୀ ନିବାସଖୋଲା ଯାଇନଥିବାରୁ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଉପସ୍ଥାନ ହ୍ରାସ ପାଇଥିବାର ପ୍ରମୁଖ କାରଣ । ପୁଣି ବର୍ଷା ଋତୁରେ ଥଣ୍ଡା, ଛିଙ୍କ ଓ କାଶ ଧରିବା ସାଙ୍ଗକୁ ୧୮ ବର୍ଷରୁ ତଳ ପିଲାମାନଙ୍କୁ ଟୀକାକରଣ କରାଯ୍ଧବ ନ ଥିବାରୁ ଛାତ୍ରୀମାନେ ଭୟଭିତ ହୋଇପଡ଼ିଥିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଦତ୍ତ ପ୍ରକାଶ କରିଛନ୍ତି । ସେହିପରି ଶାମାଖୁଣ୍ଟା ବ୍ଲକ ଶିରିଶବଣିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷକ ରତିକାନ୍ତ ଜେନାଙ୍କ କହିବା ଅନୁସାରେ, ତାଙ୍କ ବିଦ୍ୟାଳୟର ଧସମ ଶ୍ରେଣୀରେ ୧୩୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସ୍କୁଲ ଖୋଲିବା ଦିନରେ ୭୫ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ୨୭ରେ ୭୩ ଜଣ, ୨୮ରେ ୫୫ ଜଣ ଏବଂ ଆଜି ୧୧ ଜଣ ଛାତ୍ରୀଛାତ୍ରୀ କ୍ଲାସ କରିଛନ୍ତି । ବର୍ତ୍ତମାନ ବର୍ଷା ଋତୁରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଛାତ୍ରମାନେ କୃଷି କାର୍ଯ୍ୟରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ସାଙ୍ଗକୁ କରୋନା ଭୟ କାରଣରୁ ବିଦ୍ୟାଳୟରେ ଉପସ୍ଥାନ ହ୍ରାସ ପାଇଛି ବୋଲି ପ୍ରକାଶ କରିଛନ୍ତି ।
ଅଫ୍ ଲାଇନରେ କ୍ଲାସକୁ ନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ସେହିପରି ବିଦ୍ୟାଳୟରେ କ୍ଲାସ ନନ୍ ଷ୍ଟପ ଭାବେ ୧୦ରୁ ଆରମ୍ଭ ହୋଇ ଦେଢ଼ଟା ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ସଠିକ୍ ଭାବେ ମାସ୍କ ପିନ୍ଧିବା, ୬ ଫୁଟ ସାମାଜିକ ଦୂରତା ରକ୍ଷା କରିବା, ବହି ହେଉ ଅଥବା ଖାତା ବା ପାଣି ବୋତଲ ଆଦି ଅନ୍ୟାନ୍ୟ ସାମଗ୍ରୀ ଅଦଳବଦଳକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୩,୭୩୬ ଜଣ ଶିକ୍ଷା କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ୨,୨୨୦ ଜଣ, ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ୩୧୬ ଜଣ ଏବଂ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ୨୯୨ ଜଣ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ଶିକ୍ଷାଦାନ କରିବା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।