ଉତ୍କଳ ସମ୍ମିଳନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଓ ଥାନାରେ ଏତଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନବ ଉତ୍କଳର ନିର୍ମାତା , ଓଡ଼ିଶାର ସ୍ୱାଭିମାନ ବ୍ୟକ୍ତିତ୍ୱ ତଥା ପାରଳାର ପୂର୍ବତନ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅସମ୍ମାନ ଓ ଅପମାନ ଜନକ ମନ୍ତବ୍ୟ ଦେଇ ପୁସ୍ତକ ପ୍ରକାଶିତ କରିଥିବା ପ୍ରତି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହାର ଦୃଢ ନିନ୍ଦା ଓ ପ୍ରତିବାଦ କରାଯିବା ସହ ଏହା ବିରୁଦ୍ଧରେ ଅନଲାଇନ ମାଧ୍ୟମରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା କରାଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଗୁରୁବାର ଦିନ ଏଭଳି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରି ପୁସ୍ତକ ରଚନା ବିରୁଦ୍ଧରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ , ସମ୍ମିଳନୀର ରାଜ୍ୟ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ସମ୍ମିଳନୀ ପକ୍ଷରୁ , ଅଭିଯୋଗରେ କୁହାଯିବା ସହ ଥାନା ଏତଲାରେ ଦର୍ଶାଯାଇଛି ଯେ , ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନବ ଉତ୍କଳର ନିର୍ମାତା ସହ ସେ ଜଣେ ସୁପ୍ରତିଷ୍ଠିତ , ସୁନାମଧନ୍ୟ ଓ ମର୍ଯ୍ୟଦାବନ୍ତ ବ୍ୟକ୍ତିତ୍ୱ ସହ ମହାନ ତ୍ୟାଗବୀର ଥିଲେ ।
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ବିରୁଦ୍ଧରେ କୋରାପୁଟ ଜିଲ୍ଲା ଜୟପୁରର ୨ଜଣ ଲେଖକ:- ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ର ଓ ଶ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ଵାରା ପ୍ରଣୀତ " ଜୟପୁର ରାଜବଂଶାବଳୀ "ପୁସ୍ତକର ୩୩୨ ପୃଷ୍ଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବିରୁଦ୍ଧରେ ଅତ୍ୟନ୍ତ ଅସମ୍ମାନ ଓ ଅପମାନ ଜନକ ମନ୍ତବ୍ୟ ଯଥା:- ବ୍ରିଟିଶ ସରକାରଙ୍କ ଅତ୍ୟନ୍ତ ଚାଟୁକାର ଯାହାକି ଏହି ମହାରାଜାଙ୍କ କୂଟ-ଚକ୍ରାନ୍ତ ଯୋଗୁଁ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଅର୍ଦ୍ଧାଅଂଶ ମାଡ୍ରାସ ପ୍ରେସିଡେନ୍ସୀ ଅଧିନସ୍ତ ଆନ୍ଧ୍ର ଅଞ୍ଚଳରେ ମିଶାଇ ଦେଇଥିଲେ । ଏଥିସହିତ ଓଡ଼ିଆ ମାନଙ୍କୁ ଏହାଦ୍ୱାରା ଦୁଇଭାଗ କରିଦେଇ ସୀମାରେଖା ଟାଣି ଓଡ଼ିଶାର ଅଧେ ଆନ୍ଧ୍ରରେ ସାମିଲ କରିଦେଲେ ନିଜର ପୂରଣ ପାଇଁ । ଅନ୍ୟପକ୍ଷରେ ଏହି ମହାରାଜା ପୂଜ୍ୟପୂଜାର ଅଧିକାରୀ ଅଟନ୍ତି କି ? ଇତ୍ୟାଦି ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ବୋଲି କହିଛନ୍ତି ।
ଏଭଳି ଅବାଞ୍ଛିତ ଓ ଅସମ୍ମାନ ଜନକ ମନ୍ତବ୍ୟ ଦ୍ଵାରା ସର୍ବସାଧାରଣରେ ସେହି ଦିବଙ୍ଗତ ମହାପୁରୁଷଙ୍କ ପ୍ରତିଷ୍ଠା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବାସହ ଆମ ଅନୁଷ୍ଠାନ ଓ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ମାନସରେ ଏହା ଅସହ୍ୟ ଯନ୍ତ୍ରଣା ଜାତ କରିବା ସହ ଓଡିଶାବାସୀଙ୍କୁ ଲାଞ୍ଛିତ କରୁଅଛି ।
ତେଣୁକରି , ସେହି ୨ ଜଣ ସମ୍ପୃକ୍ତ ଲେଖକ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ପୁସ୍ତକର ବିକ୍ରୟ ଓ ବଣ୍ଟନକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦର୍ଶାଯାଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀର ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ଭାରତ ଭୂଷଣ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।