ହେଡଲାଇନସ୍:

ୟସ ଗଲା: ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ ଟାରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା ସୁଦ୍ଧା ବାତ୍ୟା ସଂପୂର୍ଣ୍ଣ ରୂପେ ସ୍ଥଳଭାଗ ସ୍ପର୍ଶ କରିଥିଲା । ଏହି ସମୟରେ ବାଲେଶ୍ୱର ସଦର, ରେମୁଣା, ନୀଳଗିରିରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୩୦-୧୪୦ କି.ମି. ରହିଥିଲା । ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଏହା ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କି.ମି. ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବାତ୍ୟା ସଂପର୍କରେ ଅବଗତ କରିବା ସମୟରେ ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକରେ ପ୍ରାୟ ୩୦୪ ମି.ମି., ଭଦ୍ରକର ଚାନ୍ଦବାଲି ବ୍ଲକରେ ୨୮୮ମି.ମି., କେନ୍ଦ୍ରାପଡାର ରାଜନଗର ବ୍ଲକରେ ୨୭୫ ମି.ମି., ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ୨୭୧ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି । ଆମ ରାଜ୍ୟର ୩୬ ଟି ସ୍ଥାନରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଛି । ଏହିପରି ୩୭ଟି ବ୍ଲକରେ ୫୦-୧୦୦ ମି.ମି. ବର୍ଷା ରେକର୍ଡ ହୋଇଛି । ଅଧିକ ବୃଷ୍ଟିପାତ ଓ ଉଚ୍ଚ ଜୁଆର ଯୋଗୁଁ ବିଶେଷ କରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛିିି । ଏହି ଗ୍ରାମ ଗୁଡିକରେ ଗ୍ରାମବାସୀମାନଙ୍କୁ ଆଶ୍ରୟସ୍ଥଳକୁ ପୂର୍ବରୁ ଅଣାଯାଇଥିବାରୁ ସେମାନଙ୍କୁ ସୁରକ୍ଷିତ ରଖାଯାଇ ପାରିଛି । ଆଜି ଅପରାହ୍ନ ଠାରୁ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି । ମୟୁରଭଞ୍ଜ ଶିମିଳିପାଳଠାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏଣୁ ଏ ସମସ୍ତ ନଦୀକୂଳିଆ ଅଂଚଳରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୧ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି । ୬ ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ବିପଦସଂକୁଳ ସ୍ଥାନରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ବାଲେଶ୍ୱର ଓ ଭଦ୍ରକ ଜଳମଗ୍ନ ଗ୍ରାମ ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଏତଦ୍ବ୍ୟତୀତ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଜଗତସିଂହପୁର ଜିଲ୍ଲାରେ ସରିଥିବାବେଳେ କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ କାମ ଚାଲୁରହିଛି । ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଜଳମଗ୍ନ ଅଂଚଳ ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ ଯୋଗାଣ ଶୀଘ୍ର କରାଯିବ । ଜୁଆର ପାଣି ଆସିବା ଫଳରେ ରେମୁଣା, ଧାମରାର ଅନେକ ଗ୍ରାମରେ ପାଣି ପଶୁଛି । ପ୍ରଶାସନ ଜନସାଧାରଣଙ୍କ ସହାୟତାରେ ଜଳନିଷ୍କାସନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେସୁଦ୍ଧା ପୂର୍ତ୍ତ ବିଭାଗର ୨୯୫ଟି ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୨୦୦ ରାସ୍ତା ସଫା କରାଯାଇ ଯୋଗାଯୋଗ ସୁବିଧା କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

0
0
0
s2sdefault