ନୟାଗଡ (ବିଶ୍ୱଜିତ ନାୟକ) : ପ୍ରସ୍ତାବିତ ନୟାଗଡ଼ ବାଇପାସ ରାସ୍ତା ସଂପର୍କରେ ଏକ ସମୀକ୍ଷା ବୈଠକ ନେଇଛନ୍ତି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ | ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବଡ଼ପଂଡୁସର ଠାରୁ ଆରମ୍ଭ ହୋଇ ନୟାଗଡ଼-ଓଡ଼ଗାଁ ରାସ୍ତା ଦେଇ ଲେଙ୍କୁଡ଼ିପଡ଼ା ଗ୍ରାମ ଦେଇ ମାହାଙ୍କପଲ୍ଲୀ ଠାରେ ବାହାରିବାକୁ ଥିବା ଏହି ବାଇପାସ ରାସ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା |
ସୂଚନା ଅନୁଯାୟୀ, ଉକ୍ତ ରାସ୍ତା ୨୧ ଗୋଟି ଗ୍ରାମ ମଧ୍ୟ ଅତିକ୍ରମ କରିବାକୁ ଥିବା ବେଳେ ଏହା ପ୍ରାୟ ୧୭.୦୨୧ କିଲୋମିଟର ଦୀର୍ଘ ବିଶିଷ୍ଟ । ସର୍ବପ୍ରଥମେ ନୟାଗଡ଼ ତହସିଲଦାରଙ୍କୁ କମି ଅଧିଗ୍ରହଣ କରିବା ଏବଂ ମୂଲ୍ୟ ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ମେ ୬ ତାରିଖ ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲା ସବରେଜିଷ୍ଟ୍ରାର ଉକ୍ତ ରାସ୍ତା ମଧ୍ୟରେ ପଡୁଥିବା ବେସରକାରୀ କମିଜମାର ସରକାରୀ ଦର ନିର୍ଧାରଣ କରିବା ସହିତ କ୍ରୟ ବିକ୍ରୟ ସ୍ଥଗିତ ରଖିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା। ବାଇପାସ ରାସ୍ତା ନିର୍ମାଣ ପାଇଁ ଚିହ୍ନିତ ଜମି ଉଭୟ ପାର୍ଶ୍ବରେ ଖମ୍ବ ପୋତାଯିବା ପାଇଁ ସ୍ଥିର କରାଯାଇଥିଲା । ସେହିପରି ଫଳନ୍ତି ଗଛି ଏବଂ ପରିବା ଚାଷ ହେଉଥିବା ଜମିଜମାର ଚିହ୍ନଟ ଓ ମୂଲ୍ୟାଙ୍କନ କରିବା ପାଇଁ ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉକ୍ତ ଅଂଚଳରେ ହେଉଥୁବା ଚାଷଜମିର ଚିହ୍ନଟ ସହିତ ଅମଳ
ହେଉଥିବା ଶସ୍ୟର ମୂଲ୍ୟାଙ୍କନ କରିବା ପାଇଁ କୁହାଯାଇଥିଲା । ଉକ୍ତ ଅଂଚଳରେ ଥିବା ସରକାରୀ ଓ ବେସରକାରୀ ଜମିରେ ଥିବା ବିଭିନ୍ନ ଗଛ ଓ ବନୀକରଣର ଚିହ୍ନଟ କରିବା ସହିତ ଏହାର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ନୟାଗଡ଼ ବନଖଣ୍ଡ ଅଧକାରୀ(ଟେରିଟୋରି)କୁ ପରାମର୍ଶ ଦିଆଯାଇଥିଲା । ସେହିଭଳି ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳଯୋଗାଣ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟ,ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ, DGM ( OPTCL), AGM ( TPCODL) ଆଦି ଲାଇନ ବିଭାଗ ଗୁଡ଼ିକ ନିଜ ନିଜର ବିଭାଗୀୟ କାର୍ଯ୍ୟre ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ନୟାଗଡ଼ ବାଇପାସ ପାଇଁ ଆନୁସଙ୍ଗିକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସମସ୍ତ ବିଭାଗର ଅଧିକାରୀମାନେ ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଡ଼ ସାହୁ ନିର୍ଦ୍ଦେଶ ଦେଇଥିଲେ ।