ହେଡଲାଇନସ୍:

 ବାତ୍ୟା ପୂର୍ବରୁ ୮୭ ହଜାର ୪୨୨ ସ୍ଥାନାନ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୦ ଏନ୍ଡିଆରଫ୍, ୪ ଓଡ୍ରାଫ୍, ୧୧ ଅଗ୍ନିଶମ ଟିମ୍ ନିୟୋଜିତ

ଭଦ୍ରକ,/ ସତ୍ୟ ଭୂଷଣ ସ୍ୱାମୀ: ବାତ୍ୟା ‘ୟସ’ର ପ୍ରଭାବ ଭଦ୍ରକରେ ଅନୁଭୂତ ହେବାକୁ ଆରମ୍ଭ କରିଛି । ମଝିରେ ମଝିରେ ହାଲ୍କା ହାଲ୍କା ବର୍ଷା ସାଙ୍ଗକୁ ବେଳେ ପବନର ଝଟ୍କା ମଧ୍ୟ ଅନୁଭୂତ ହେଉଛି । ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ୧୦ଟି ଏନ୍ଡିଆର୍ଏଫ୍ ଟିମ, ୪ଟି ଓଡ୍ରାଫ୍ ଟିମ୍ ଓ ବାହାରୁ ଆସିଥିବା ୧୧ଟି ଫାୟାର ଟିମ୍ ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ଜିଲ୍ଲାର ୯ଟି ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକଟି ଦଳ ନିଜ ନିଜ ନିୟୋଜିତ ସ୍ଥାନରେ ରହି ଲୋକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ କରୁଛିନ୍ତ । ଇତି ମଧ୍ୟରେ ୮୭ ହଜାର ୪୨୨ ଲୋକଙ୍କୁ ୭୬୫ଟି ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜିଲ୍ଲାପାଳଙ୍କ ପରିଚାଳନାରେ କ୍ଷେତ୍ରୀୟ ଅଧିକାରୀ, ନୋଡାଲ ଅଫିସରଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଉଛି । ସ୍ଥାନାନ୍ତର ସମୟରେ ଆସନ୍ନ ପ୍ରସବା, ଦିବ୍ୟାଙ୍ଗ, ରୋଗାକ୍ରାନ୍ତ, ଗର୍ଭବତୀ, ପ୍ରସୂତୀ ମହିଳା, ବୟସ୍କ, ଶିଶୁ ଏମାନଙ୍କୁ ପ୍ରାଥମିକତା ଦିଆଯାଉଛି । ଥଇଥାନ ପରେ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଥଇଥାନ କେନ୍ଦ୍ର ବିଦ୍ୟୁତ , ପାନୀୟ ଜଳ, ଏବଂ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ  ହୋଇଛି । ଜିଲ୍ଳାକୁ ଆସିଥିବା ୧୦ଟି ଏନ୍ଡିଆର୍ଏଫ୍ ଟିମ୍କୁ ଧାମରା, ତିହିଡ଼ି, ଚାନ୍ଦବାଲିରେ ୨ଟି, ନାଇକାଣିଡିହି, ଭଣ୍ଡାରିପୋଖରୀ, ବାସୁଦେବପୁର, ଧାମନଗର ଓ ଭଦ୍ରକରେ ନିୟୋଜିତ କରାଯାଇଥିବା ବେଳେ ଓଡ୍ରାଫ୍ ଟିମ୍ ଗୁଡ଼ିକୁ ପୀରହାଟ, ବାସୁଦେବପୁର, ଓ ଭଦ୍ରକରେ ୨ଟି ସ୍ଥାନରେ ରଖା ଯାଇଛି । ଅଗ୍ନିଶମ ଟିମକୁ  ପୀରହାଟ, ଦୋଳସାହି, ଆରଡି, ଧାମରା୧, ଧାମରା୨, ତିହିଡ଼ି, ଧୁଷୁରୀ, ବନ୍ତ, ବାସୁଦେବପୁର, ଭଦ୍ରକ୧ ଓ ଭଦ୍ରକ ୨ରେ ରଖା ଯାଇଛି । ଏମାନଙ୍କ ପାଖରେ ଟାୱାର ଲାଇଟ, ଏମର୍ଜେନ୍ସି ଟର୍ଚ୍ଚ, କଟର, ପାୱାର ବୋଟ ତଥା ଉଦ୍ଧାର ଓ ରିଲିଫ ଯୋଗାଣ ନିମନ୍ତେ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ରହିଛି । ବାତ୍ୟାକୁ ପୂର୍ଣ୍ଣ ଭାବେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ଏବଂ ବାତ୍ୟା ପୂର୍ବରୁ ଯେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବା କଥା ତାହା ସୂଚାରୁ ଭାବରେ ସମ୍ପନ୍ନ କରାଯାଉଛି ବୋଲି ଜିଲ୍ଲାପାଳ ଡ. ଦାସ କହିଛନ୍ତି ।

0
0
0
s2sdefault