୨୧ ଗ୍ରାମ ବ୍ରାଉନ ସୁଗାର ଅଭିଯୁକ୍ତ ଗିରଫ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ପ୍ରଥମ ଥର ପାଇଁ ଓଡ଼ଗାଁ ଅଂଚଳରେ ଜାହିର ହୋଇଛି ଧଳା ଜହର ବେପାରର ଉପସ୍ଥିତି | ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା, ଏସ ଆଇ ସଞ୍ଜୟ ପରିଡ଼ା, ସ୍ନେହଲତା ପ୍ରଧାନ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ନୂଆ କୋର୍ଟ ବିଲଡିଙ୍ଗ ସାମ୍ନା ଅର୍ଣ୍ଣପୂର୍ଣ୍ଣା ଢ଼ାବାକୁ ଖାନତଲାସ କରିଥିଲେ । ଖାନତଲାସ ବେଳେ ଢ଼ାବା ମାଲିକ ପ୍ରକାଶ ପ୍ରଧାନଙ୍କ ଠାରୁ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଓଡି ୦୨ ଏ ଓ୍ବାଇ ୭୩୭୪ ବୁଲେଟ ଗାଡି ଜବତ କରିଥିଲେ । ବ୍ରାଉନ ସୁଗାର ବିକ୍ରିକରିବା ଅଭିଯୋଗରେ ପୋଲିସ ପ୍ରକାଶକୁ ଗିରଫ କରି ୫୬/୨୧ରେ ମାମଲା ରୁଜୁ କରିବା ସହିତ ଡାକ୍ତରୀ ପରୀକ୍ଷା କରି ନୟାଗଡ଼ ଜିଲ୍ଲା ସେସନ କୋର୍ଟକୁ ଚାଲାଣ କରିଥିଲେ । ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ପ୍ରକାଶ ଓଡ଼ଗାଁ ବ୍ଳକ ସାକେରୀ ପଞ୍ଚାୟତ ସାକେରୀ ଗ୍ରାମର ହୋଇଥିବା ବେଳେ ସେ ଅନେକ ଦିନ ଧରି ନିଜ ଢ଼ାବା ଅଞ୍ଚଳରେ ବ୍ୟବସାୟ କରିଆସୁଥିବା ପୋଲିସ ଅନୁମାନ କରୁଛି । ଫଳରେ ଓଡ଼ଗାଁ ଅଞ୍ଚଳର ଯୁବକ ମାନଙ୍କ ସହିତ ନିକଟରେ ଥିବା ୨ କଲେଜର ଷ୍ଟୁଡେଣ୍ଟ୍ ଏଥିରେ ପ୍ରଭାବିତ ହୋଇଥିବା ଅନୁମାନ କରାଯାଇ ପାରେ ।