-
ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ଥାନାନ୍ତରଣ ପ୍ରକ୍ରିୟା,ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ଜିଲ୍ଲାପାଳ
-
ଜିଲ୍ଲାରେ ସାମାନ୍ୟ ବର୍ଷା ସହିତ କାଉଁଳିଆ ପାଗ, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ
ବାରିପଦା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାରେ ସମ୍ବାବ୍ୟ ବାତ୍ୟା ୟାସର ମୁକାବିଲା ନେଇ ଆରମ୍ଭ ହେଇଯାଇଛି ପ୍ରଶାସନିକ ତତ୍ପରତା। ବରିଷ୍ଠ ଆଇଏଏସ ଅଧିକାରୀ ତଥା ୟାସ ମୁକାବିଲା ନିମନ୍ତେ ମୟୂରଭଞ୍ଜ ଦାୟିତ୍ୱରେ ଥିବା ସୁରେଶ କୁମାର ବଶିଷ୍ଠ ବାରିପଦାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବରୁ ଏଠାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବା ଶ୍ରୀ ବଶିଷ୍ଠ ପ୍ରଥମେ ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହିତ ଆଲୋଚନା ପରେ ବାରିପଦାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଦେଖିଥିଲେ। ଆଶ୍ରୟ ସ୍ଥଳଗୁଡିକରେ ଯେପରି ରହିବା ଏବଂ ଅନ୍ୟାନ୍ୟ ସମସ୍ତ ଵ୍ୟଵସ୍ଥା କୁ ନେଇ ସମୀକ୍ଷା କରିଥିଲେ। ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବାତ୍ୟା ୟାଶ ମୁକାବିଲା ନେଇ ଆଲୋଚନା କରିଥିଲେ। ଜିଲ୍ଲାରେ ଆସନ୍ତାକାଲି ଠାରୁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ଶ୍ରୀ ବଶିଷ୍ଠ ସୂଚନା ଦେଇଛନ୍ତି। ବାତ୍ୟା ୟାସର ଜିଲ୍ଲା ଉପରେ ପ୍ରଭାବକୁ ଦେଖି ଜିଲ୍ଲାରେ ପ୍ରାୟ ୪୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି। ଫନିରେ ଜିଲ୍ଲାରୁ ୭୦ ହଜାର ଏବଂ ଅମ୍ଫାନ ରେ ୨୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାରେ ବାତ୍ୟା ୟାସ ମୁକାବିଲା ନେଇ ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ବିନିଥ ଭରଦ୍ବାଜ। ଜିଲ୍ଲା ମୁଖ୍ୟାଳୟ ରେ ଦୁଇଟି ଓଡ୍ରାଫ ଏବଂ ଗୋଟିଏ ଏନଡିଆରଏଫ ଟିମ ମହଜୁଦ ଅଛନ୍ତି। ରାଜ୍ୟ ସ୍ତରରୁ ଆହୁରି ଏନଡିଆରଏଫ ଟିମ ଆସିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ବାତ୍ୟା ସମୟରେ କୋଭିଡ ଆକ୍ରାନ୍ତ ଙ୍କ ସୁରକ୍ଷା ନେଇ ମଧ୍ୟ ଜିଲ୍ଳା ପ୍ରଶାସନ ସତର୍କ ଅଛି। ଆଜି ଜିଲ୍ଲାରେ ବରିଷ୍ଠ ଆଇପିଏସ ଅଧିକାରୀ ଅନିରୁଦ୍ଧ ସିଂ ମଧ୍ୟ ଆଜି ବାରିପଦାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ନେଇ ସୂଚନା ମିଳିଛି। ଶ୍ରୀ ସିଂ ମଧ୍ୟ ପୂର୍ବରୁ ମୟୂରଭଞ୍ଜ ରେ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି। ଆଜି ଜିଲ୍ଲାରେ ମଧ୍ୟାହ୍ନ ପରେ ସାମାନ୍ୟ ବର୍ଷା ସହିତ ପବନ ବହିଥିଲା। ପାଗ କାଉଁଳିଆ ଥିଲା। ଜନସାଧାରଣଙ୍କୁ ନିରାପଦ ସ୍ଥାନାନ୍ତର ନିମନ୍ତେ ୧୦ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ୪୧୪ଟି ଅସ୍ଥାୟୀ ଆଶ୍ରୟ ସ୍ଥଳର ବନ୍ଦୋବସ୍ତ କରାଯାଇଛି। ସେହିପରି ଜିଲ୍ଲାରେ ଥିବା କାଳ, ସୋନ ଆଦି ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ସ୍ଥିତିରେ ଚିନ୍ତାଜନକ ନାହିଁ। ଜିଲ୍ଲାର କରଞ୍ଜିଆ, ଠାକୁରମୁଣ୍ଡା, ବେତନଟୀ , ବଡସାହି , ବାରିପଦା , ରାସଗୋବିନ୍ଦପୁର , ମୋରଡା , ଶୁଳିଆପଦା , କୁଳିଅଣା ,ଉଦଳା , ଖୁଣ୍ଟା , ଗୋପବନ୍ଧୁ ନଗର , କପ୍ତିପଦା ସହ ବାରିପଦା ସହରେ ବାତ୍ୟା "ୟସ୍" ବ୍ୟାପକ କ୍ଷତି ଘଟାଇବାର ସମ୍ଭାବନା ଥିବାରୁ ଏ ସମସ୍ତ ବ୍ଲକ ଗୁଡିକ ର ବିଡ଼ିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।