ଦେଶର ସର୍ବଶ୍ରେଷ୍ଠ ସ୍ଥପତିଙ୍କୁ ଆମେ ହରେଇଛୁ : ବିନୟ ସହସ୍ରବୁଦ୍ଧେ
ଭୁବନେଶ୍ୱର,: ନିଜ ନିଖୁଣ କାରୁକାର୍ଯ୍ୟ ଦ୍ୱାରା ପଥର ଦେହରେ ଜୀବନ ଆଣି ଦେଉଥିବା ପ୍ରଖ୍ୟାତ ସ୍ଥପତି ଶିଳ୍ପୀ ପଦ୍ମବିଭୁଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ନିଧନରେ ଦେଶ ଆଜି ସର୍ବଶ୍ରେଷ୍ଠ ସ୍ଥପତିଙ୍କୁ ହରାଇଛି ବୋଲି ରାଜ୍ୟସଭାରେ ତାଙ୍କ ସହଯୋଗୀ ଥିବା ସାଂସଦ ଡ.ବିନୟ ସହସ୍ରବୁଦେ୍ଧ ଶୋକ ବ୍ୟକ୍ତ କରି କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଶୋକ ସଭାରେ ଯୋଗ ଦେଇ ବିଜେପିର ବରିଷ୍ଠ ନେତା ତଥା ଆଇସିସିଆର ଅଧ୍ୟକ୍ଷ ସାଂସଦ ଡ.ସହସ୍ରବୁଦ୍ଧେ କହିଛନ୍ତି କି, ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ମହାପାତ୍ର ଏବଂ ତାଙ୍କ ୨ ପୁଅ ଏକା ସଙ୍ଗେ ଆମ ଗ୍ରହଣରୁ ଚାଲିଯିବା ଅତ୍ୟନ୍ତ ପୀଡାଦାୟକ । ନିଜ ସାଧନା ଓ ନିଷ୍ଠା ବଳରେ ସ୍ଥପତି କଳା କ୍ଷେତ୍ରରେ ଶୀର୍ଷ ସ୍ଥାନକୁ ଯାଇଥିବା ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ସମଗ୍ର କଳାଜଗତ ପାଇଁ ଅପୁରଣୀୟ କ୍ଷତି । ନିଜ ହାତ ଉପରେ ଦୃଢ ବିଶ୍ୱାସ ରଖିଥିବା କର୍ମଜୀବି ସ୍ୱର୍ଗତଃ ମହାପାତ୍ର ସ୍ଥପତି କଳା ପାଇଁ କେବେହେଲେ ଆଧୁନିକ ମେସିନର ବ୍ୟବହାର କରିନଥିଲେ । କଳା, ସଂସ୍କୃତି ଓ ସ୍ଥପତି କଳା କ୍ଷେତ୍ର ପାଇଁ ଜୀବନ୍ତ ଏନସାଇକ୍ଲୋପିଡିଆ ଥିଲେ । କଳା ତାଙ୍କ ପାଇଁ ଜୀବନଶୈଳୀ ଥିଲା । ତାଙ୍କ ଦ୍ୱାରା ନିର୍ମିତ ବହୁ ସ୍ଥପତି କଳା ଦେଶ ତଥା ଦେଶ ବାହାରେ ଶୋଭା ପାଉଛି । ଏହା ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ଗୈାରବର ବିଷୟ । ସ୍ୱର୍ଗତଃ ମହାପାତ୍ରଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ । ରାଜ୍ୟସଭା ଅଧିବେସନ କାଳରେ ତାଙ୍କ ସହ ଅନୁଭୁତିକୁ ସ୍ମୃତିଚାରଣ କରିଥିଲେ । ଏଥି ସହ କରୋନା କାଳରେ ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତାଙ୍କୁ ମଧ୍ୟ ଡ.ସହସ୍ରବୁଦ୍ଧେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ଶୋକସଭାରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖ ସ୍ୱର୍ଗତଃ ମହାପାତ୍ରଙ୍କ ସହ ଥିବା ତାଙ୍କ ସୁସଂପର୍କ ଏବଂ ଅନୁଭୁତି ସ୍ମୃତିଚାରଣ କରିଥିଲେ । ଶୋକ ସଭା ପ୍ରାରମ୍ଭରେ ସ୍ୱର୍ଗତଃ ମହାପାତ୍ର, ତାଙ୍କ ୨ ପୁତ୍ର ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ଅକାଳ ବିୟୋଗ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ସାଧରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ବରିଷ୍ଠ ନେତୃବୃନ୍ଦ, ସାଂସଦ ଓ ସାଂସଦ ପ୍ରାର୍ଥୀ, ବିଧାୟକ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତାମାନେ ଯୋଗଦାନ କରି ସ୍ୱର୍ଗତଃ ମହାପାତ୍ରଙ୍କ ସମେତ ପ୍ରାଣ ହରାଇଥିବା ସମସ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।