ହେଡଲାଇନସ୍:

 "ସାମୁଦ୍ରିକ ଝଡ଼ ‘ୟାସ୍’ର ମୁକାବିଲା ପାଇଁ ନିଆଯାଇଛି ବ୍ୟାପକ ସତର୍କତାମୂଳକ ଆଗୁଆ ପଦକ୍ଷେପ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୨୨ ତାରିଖରେ ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ତୀବ୍ର ଅବପାତ ରୂପ ନେଇ ଆଜି ସକାଳୁ ତାହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ବାତ୍ୟା ‘ୟାସ୍’ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ୨୬ ତାରିଖ ପୂର୍ବାହ୍ନରେ ପାରାଦ୍ୱୀପ ଓ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ  ବିଭିନ୍ନ ସତର୍କତାମୂଳକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । 

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗର ସଚିବ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବାତ୍ୟା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ୫ଜଣ ବରିଷ୍ଠ  ଅଧିକାରୀଙ୍କୁ ସ୍ଥାନାନ୍ତରଣ, ଉଦ୍ଧାର, ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଶ୍ରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଶ୍ରୀ ବିଶାଲ ଦେବଙ୍କୁ ବାଲେଶ୍ୱର, ଶ୍ରୀ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର, ଶ୍ରୀ ଭି.ଭି. ଯାଦବଙ୍କୁ ଭଦ୍ରକ ଏବଂ ଶ୍ରୀ ସୁରେଶ ବଶିଷ୍ଠଙ୍କୁ ମୟୁରଭଞ୍ଜ ଜିଲ୍ଲାକୁ ପଠାଯାଇଛି । ଏମାନେ ଜିଲ୍ଲାର ବିଭିନ୍ନ ସଂସ୍ଥା, ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ଗ୍ରହଣ କରିବେ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବେ । 

ଏବେ ସୁଦ୍ଧା ୨୨ ଟି ଏନ୍.ଡି.ଆର୍.ଏଫ୍ ଟିମ୍ ଏବଂ ୫୦ ରୁ ଉଦ୍ଧ୍ୱର୍ ଓଡ୍ରାଫ୍ ଟିମ୍ ଓ ୧୭୫ ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୩୫ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି । ଆଉ ଅଧିକ ୩୦ ଏନ୍.ଡି.ଆର୍.ଏଫ୍ ଟିମ୍ ପଠାଇବା ପାଇଁ ଅନୁରୋଧ କରାଯାଇଛି । ପୂର୍ତ୍ତ ବିଭାଗ ତରଫରୁ ୧୬୫ ଟି ସ୍ୱତନ୍ତ୍ର ଟିମ୍, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ ଟି, ଜଳ ସଂପଦ ବିଭାଗ ତରଫରୁ ଇଂଜିନିୟର ଟିମ୍ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଜେସିବି, ଟ୍ରାକ୍ଟର, ଏକ୍ସାଭେଟର, ପାୱାର ସ, ଗ୍ୟାସ କଟର ଇତ୍ୟାଦି ଯନ୍ତ୍ରପାତି ଏବଂ ଆବଶ୍ୟକୀୟ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି । ଏମାନେ ଜିଲ୍ଲାପ୍ରଶାସନକୁ ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ପାଇଁ, ବିଦୁ୍ୟତ ମରାମତି, ଟେଲିକମ୍ ପୁନରୁଦ୍ଧାର ଆଦି କାର୍ଯ୍ୟରେ ସାହାଯ୍ୟ କରିବେ ।  

ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ଓ ତାର ସୁରକ୍ଷା ପାଇଁ ଆମକୁ ପ୍ରୟାସ କରିବାକୁ ପଡିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତିି । ସେଥିପାଇଁ କଚ୍ଚା, ଖପର, ଆଜବେଷ୍ଟସ୍‍ ଓ ତଳୁଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ସ୍ଥାନାନ୍ତରଣ କରିବା ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଜୁଆର ଆସିବାର ସମ୍ଭାବନା ଥିବାରୁ ତଳୁଆ ଅଞ୍ଚଳଗୁଡିକରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଆଶା, ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି ଏବଂ ଜନସାଧରଣ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ କୁହାଯାଇଛି । ଯେତେଶୀଘ୍ର ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଆଶ୍ରୟସ୍ଥଳୀରେ ରହିବା ସମୟରେ ସମସ୍ତଙ୍କୁ ମାସ୍କ ବଂଟନ, ସାବୁନ, ସାନିଟାଇଜରର ବ୍ୟବସ୍ଥା ରହିବ । ସେଠାରେ ମାଗଣା ରନ୍ଧାଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ, ବିକଳ୍ପ ବିଦୁ୍ୟତ ବ୍ୟବସ୍ଥା ଯୋଗାଇ ଦିଆଯିବ । ଶିଶୁମାନଙ୍କ ପାଇଁ ଛତୁଆ, ବିସ୍କୁଟ ଆଦି ଯୋଗାଇ ଦିଆଯିବ । 

ବାତ୍ୟା ସମୟରେ ଆମ୍ବ, ନଡିଆ, ପଣସ ଆଦି ଗୋଟାଇବା ପାଇଁ ବାହାରକୁ ନଯିବାକୁ କୁହାଯାଇଛି । ବାତ୍ୟା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ରଖିବା ଦ୍ୱାରା ବାତ୍ୟା ବେଳେ ନଳକୂପ ବା କୂଅମୂଳକୁ ଯିବାକୁ ପଡିବ ନାହିଁ  । ପବନ ସମୟରେ ଏଣେତେଣେ ବୁଲିଲେ ହୋଡିଂ, ଗଛ, ଟାୱାର, ଗୃହ ଭଗ୍ନାଂଶ ଆଦି ଦ୍ୱାରା ଆଘାତ ହେବାର ସମ୍ଭାବନା ଥିବାରୁ  କେହି ଘରୁ ନ ବାହାରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଦୋକାନୀମାନେ ସେମାନଙ୍କର ହୋଡିଂ ବା ନେମପ୍ଲେଟ୍ ଖୋଲି ରଖିବା ପାଇଁ କୁହାଯାଇଥିବା ବେଳେ ବିଭିନ୍ନ ଷ୍ଟ୍ରିଟ୍ ଲାଇଟ୍ର ଫିଟିଂ ଓ ହାଇମାକ୍ସ ଲାଇଟର ଫିଟିଂକୁ ଖୋଲି ରଖାଯିବ ଯଦ୍ୱାରା ସେଗୁଡିକ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ବାତ୍ୟା ସମୟରେ ଆଘାତପ୍ରାପ୍ତ ହେବେ ନାହିଁ ବୋଲି କୁହାଯାଇଛି । ଶେଷରେ ବାତ୍ୟାର ସଫଳ ମୁକାବିଲା ପାଇଁ ସରକାର ସଜାଗ ରହିଛନ୍ତି ଏବଂ ଜନସାଧାରଣଙ୍କ ସହଯୋଗ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।

 

 

0
0
0
s2sdefault