ଭୁବନେଶ୍ୱର (ଶାସକ ପ୍ରଶାସକ) : ସାଂପ୍ରତିକ କୋଭିଡ୍ ମହାମାରୀ କାରଣରୁ ସାଧାରଣ ଜନତା ଡାକ୍ତରଖାନାମାନଙ୍କରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ବିଶେଷ ଭାବେ ଡାକ୍ତରଖାନାରେ ଉପଲବ୍ଧ ଥିବା ଶଯ୍ୟା, ଚିକିତ୍ସିତ ରୋଗୀମାନଙ୍କ ସଂପର୍କରେ ସୁଚନା ପାଇବାରେ ସମସ୍ୟା ସୃଷ୍ଟି ହୋଇଛି । କୋଭିଡ୍ ୱାର୍ଡରେ ସଂକ୍ରମଣର ଭୟାବହତା ପାଇଁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏହି ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ ଏମ୍ସ ଭୂବନେଶ୍ୱର ପ୍ରଶାସନ ତରଫରୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୪ଟି ଲୋକଙ୍କ ଉପଯୋଗୀ ସେବା ଆରମ୍ଭ କରାଯାଇଛି ବୋଲି ଏମ୍ସର ସୁପାରିନଟେଣ୍ଡେଣ୍ଟ ପ୍ରଫେସର ଡ଼ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି |
ଡ଼ ମହାନ୍ତିଙ୍କ ସୂଚନା ଅନୁଯାୟୀ ପ୍ରଥମତଃ ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ଶଯ୍ୟା ସଂଖ୍ୟା ସଂପର୍କରେ ସୁଚନା ପ୍ରଦାନ କରିବା ପାଇଁ ଏକ ହେଲ୍ପ ଲାଇନ (୦୬୭୪-୨୪୭୬୭୮୯) ସେବା ଆରମ୍ଭ ହୋଇଛି । ଏହା ନିରନ୍ତର ଭାବେ ୨୪X୭ କାର୍ଯ୍ୟ କରିବ ।
ଦ୍ବିତୀୟତଃ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ନିୟମିତ ଭାବେ ସୁଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କ ସଂପର୍କୀୟମାନେ ଏମ୍ସ, ଭୂବନେଶ୍ୱରର ୱେବ୍ସାଇଟରେ ରୋଗୀଙ୍କ ସିଆର୍ ନମ୍ବରକୁ ବ୍ୟବହାର କରି ନିୟମିତ ଭାବେ ସୁଚନା ପାଇପାରିବେ ।
ତୃତୀୟତଃ ରୋଗୀଙ୍କ ସଂପର୍କୀୟମାନେ ୭୬୫୫୦-୭୩୦୨୭ ନମ୍ବରକୁ କଲ୍ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ଓ ସେବା ସଂପର୍କରେ ସୁଚନା ପାଇବା ପାଇଁ ଟେଲିନର୍ସିଂ ସେବା ଏମ୍ସ, ଭୂବନେଶ୍ୱର କତୃପକ୍ଷଙ୍କ ତରଫରୁ ପ୍ରଦାନ କରାଯାଉଛି ।
ଚତୁର୍ଥତଃ, କୋଭିଡ୍ ସଂପର୍କରେ ନିରନ୍ତର ଭାବେ ୨୪X୭ ସହାୟତା ଯୋଗାଇ ଦେବା ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ସ୍ୱତନ୍ତ୍ର କୋଭିଡ୍ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି । ସାଧାରଣ ଜନତାମାନେ ୮୨୮୦୩-୪୬୬୮୪ ନମ୍ବରରେ କଲ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଫେସବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ ।
ରୋଗୀ ଏବଂ ତାଙ୍କ ସଂପର୍କୀମାନଙ୍କୁ ସୁଚନା ଓ ସହାୟତା ପ୍ରଦାନ ପାଇଁ ଡାକ୍ତରଖାନା ପରିସରରେ ୨୪x୭ ଘଂଟିଆ ଏକ ହେଲ୍ପ ଡେସ୍କ ଏବଂ କଂଟ୍ରୋଲ ରୁମ ଖୋଲାଯାଇ ନିରନ୍ତର ଭାବେ ସୁଚନା ପ୍ରଦାନ କରାଯାଉଛି ।
ଏହା ବ୍ୟତୀତ ଅଣ କୋଭିଡ୍ ରୋଗୀମାନଙ୍କ ପାଇଁ ‘ଟେଲିମେଡିସିନ ସ୍ୱାସ୍ଥ୍ୟ ଆପ୍’ ଏବଂ ‘ଟେଲିମେଡିସିନ ବର୍ହିବିଭାଗ (ଓପିଡି)’ ଜରିଆରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସଂପର୍କରେ ସୁଚନା ଓ ସେବା ପ୍ରଦାନ କରାଯାଉଛି ।
କୋଭିଡ୍ କଟକଣା ଓ ଗାଇଡ୍ଲାଇନକୁ ପାଳନ କରାଯାଇ ହସପିଟାଲ ତରଫରୁ ରୋଗୀଙ୍କ ସଂପର୍କୀୟ / ଆଟେଂଣ୍ଡାଂଟ ମାନଙ୍କୁ (ସେଲ୍ଫ କାଟେରିଙ୍ଗ ଜରିଆରେ) ନିଶୁଳ୍କ ଭୋଜନ ପ୍ରଦାନ କରାଯାଉଛି ।
କୋଭିଡ୍ ମହାମାରୀ ପ୍ରାରମ୍ଭରୁ ଅଦ୍ୟାବିଧି କୋଭିଡ୍ ୱାର୍ଡ / ଆସିୟୁ ୱାର୍ଡ / ସାରି ୱାର୍ଡରେ ୫୦୦୦ରୁ ଉଦ୍ଧ୍ୱର୍ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି । ଏହା ସହିତ କୋଭିଡ୍ ସ୍କ୍ରିନିଂ ସେଂଟରରେ ୫୦,୦୦୦ରୁ ଉର୍ଧ୍ଵ ପରିକ୍ଷଣ ସରିଥିବାବେଳେ ୧,୧୦,୦୦୦ରୁ ଉର୍ଧ୍ଵ ଆରଟିପିସିଆର ଟେଷ୍ଟ ହୋଇସାରିଛି । ୨୭,୦୦୦ ରୁ ଉର୍ଧ୍ଵ କୋଭିଡ୍ ଟୀକା ପ୍ରଦାନ କରାଯାଇସାରିଛି ।
‘କୋଭିଡ୍ ଆପ୍ରୋପ୍ରିଏଟ ବ୍ୟବହାର’ ଜରିଆରେ ୨ ଲକ୍ଷରୁ ଉର୍ଧ୍ଵ ଲୋକଙ୍କୁ କୋଭିଡ୍ ସଂପର୍କରେ ସଚେତନ କରାଯାଇଛି ।
ଏମ୍ସ, ଭୂବନେଶ୍ୱର କର୍ତ୍ତୃପକ୍ଷ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ବିଶେଷଜ୍ଞ, ବୁଦ୍ଧିଜୀବି, ସାମାଜିକ ଅନୁଷ୍ଠାନ ଏବଂ ସଂସ୍ଥାମାନଙ୍କର ସୁଚିନ୍ତିତ ମତାମତକୁ ସହୃଦୟ ସହିତ ଗ୍ରହଣ କରି ଜନସାଧାରଣ ଏବଂ ରୋଗୀଙ୍କ ହିତ ପାଇଁ କାର୍ଯ୍ୟ କରୁଛି ।
କୋଭିଡ୍ ମହାମାରିର ଏଭଳି ସଂକଟ ସମୟରେ ରୋଗୀମାନଙ୍କୁ ଉନ୍ନତ ଏବଂ ସର୍ବୋକ୍ରୃଷ୍ଟ ସେବା ପ୍ରଦାନ, ରୋଗୀମାନଙ୍କ ସଂପର୍କୀୟମାନଙ୍କୁ ସଠିକ୍ ଓ ନିୟମିତ ସୁଚନା ପ୍ରଦାନ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ କାର୍ଯ୍ୟରତ ।
କୋଭିଡ୍ କଟକଣା ଓ ଗାଇଡଲାନକୁ ସୁଚାରୁ ରୂପେ ପାଳନ କରି ନିୟମିତ ଭାବେ ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା ଓ ସାନିଟାଇଜ, ସାମାଜିକ ଦୂରତା ଅବଲମ୍ବନ କରିବା ସହ ଯଥାଶୀଘ୍ର କୋଭିଡ୍ ଟୀକା ନେବା ପାଇଁ ଏମ୍ସ, ଭୂବନେଶ୍ୱର କର୍ତ୍ତୃପକ୍ଷ ପୁଣି ଥରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।