ହେଡଲାଇନସ୍:

ଆଦିବାସୀ ବହୁଳ ଗାଇବା ଗ୍ରାମସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୧ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ବ୍ୟକ୍ତିଙ୍କ ଶୃଙ୍ଖଳିତ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗ୍ରାମାଞ୍ଚଳ ତଥା ଆଦିବାସୀ ବହୁଳ  ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୧ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ବ୍ୟବସ୍ଥା ଶୃଙ୍ଖଳିତ ଓ ସୁରୁଖୁରୁରେ ଚାଲିଛି । 

ଜିଲ୍ଲାରେ କୋଭିଡ୍ ଟୀକାର ଅଭାବ ଯୋଗୁଁ କିଛିଦିନ ଧରି ଟିକାଦାନ ବ୍ୟବସ୍ଥା ବନ୍ଦ ଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ବୁଧବାର ଦିନ ଏହି କୋଭିଡ୍ ଟିକାଦାନ ବ୍ୟବସ୍ଥା ହୋଇଥିବା ଯୋଗୁଁ ଆଗ୍ରହ ସହକାରେ ବହୁ ସଂଖ୍ୟାରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ଆଜି ଟୀକା ନେଇଥିବା ଦେଖିବାକୁ ମିଳିଥିଲା । 

ଗତକାଲି ସୁଦ୍ଧା  ଜିଲ୍ଲାରେ ସମସ୍ତ ବର୍ଗର ମୋଟ  ୬୨ ହଜାର ୭୫୧ ଜଣ ପ୍ରଥମ ଡୋଜ୍ ଓ ୨୦ ହଜାର ୬୪୫ ଜଣ ଦ୍ଵିତୀୟ ଡୋଜ କୋଭିଡ୍ ଟୀକା ନେଇଛନ୍ତି । ସେଥିମଧ୍ୟରୁ  ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ୬୩୫୫ ଜଣ ପ୍ରଥମ ଡୋଜ୍ ଏବଂ ୫୩୩୯ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି । 

ସେହିଭଳି ଆଗ ଧାଡ଼ିର କରୋନା ଯୋଦ୍ଧା ୪୧୮୬ ଜଣ ପ୍ରଥମ ଡୋଜ୍ କରୋନା ଟୀକା ନେଥିବା ବେଳେ ୨୭୭୫ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି । ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ମୋଟ ୨୬ ହଜାର ୧୮୪ ଜଣ ପ୍ରଥମ ଡୋଜ୍ କରୋନା ଟୀକା ନେଇଥିବା ବେଳେ ୪୫୪୮ ଜଣ ଦ୍ଵିତୀୟ ଡୋଜ୍ ଟିକା ନେଇଛନ୍ତି । 

ସେହିଭଳି  ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ  ମୋଟ ୨୬ହଜାର ୦୨୬ ଜଣ ପ୍ରଥମ ଡୋଜ୍ କୋଭିଡ୍ ଟୀକା ନେଇଥିବା ବେଳେ ୭୯୮୩ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି । ଆଜି ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗାଇବା  ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ  ଜିଲ୍ଲାର ରା:ଉଦୟଗିରି , ମୋହନା , ଚନ୍ଦ୍ରଗିରି , ବି:ଖଜୁରିପଦା , ଗୁରାଣ୍ଡି , କାଶୀନାଗର , ନାରାୟଣପୁର ଏବଂ  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ସହରାଞ୍ଚଳ ଚିକିତ୍ସାଳୟ ଓ ଟାଉନ୍ ହାଲ୍ ଠାରେ ଏଭଳି ୭ ଗୋଟି କୋଭିଡ୍ ଟିକାଦାନ କେନ୍ଦ୍ରରେ ଏକ ହଜାରରୁ ଅଧିକ ଜଣଙ୍କୁ ଟୀକା ଦିଆଯିବା ବ୍ୟବସ୍ଥା କରାହୋଇଥିଲା । 

ମୁଖ୍ୟତଃ କେନ୍ଦ୍ର ସରକାରଙ୍କ  ପକ୍ଷରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ  ମାଗଣା କୋଭିଡ୍ ଟିକାଦେବା ବ୍ୟବସ୍ଥା କରିଥିବା ଯୋଗୁଁ  ଗ୍ରାମାଞ୍ଚଳରେ ଏଥିପ୍ରତି ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି । ଏଭଳି ଆଗ୍ରହ ବିଭିନ୍ନ ଗ୍ରାମାଞ୍ଚଳ ସମେତ ଗୁମ୍ମା ବ୍ଲକର  ଗାଇବା ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ।

 ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଭଳି ବୟସର ମହିଳା ଓ ପୁରୁଷ ସେମାନଙ୍କ ଆଧାର କାର୍ଡ ଆଣି ଏବଂ ନାମ ପଞ୍ଜିକରଣ କରାଇ କୋଭିଡ୍ ଟୀକା ନେଇଥିଲେ । 

ଏ ସମ୍ପର୍କରେ ଦାୟିତ୍ୱରେ ଥିବା  ଡାଃ:- ଅଭିରାମ ବେହେରା ଓ ଏ ଏନ୍ ଏମ୍ :- ବନ୍ଦନା କୁମାରୀ ଦାସ କହିଛନ୍ତି ଯେ , କେନ୍ଦ୍ର ସରକାରଙ୍କ ମାଗଣା କୋଭିଡ୍ ଟୀକା ନେବାପାଇଁ ଏହି ବୟସର ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି ।  ଟୀକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କକ୍ଷରେ ରଖାହେଉଛି । କାହାକୁ କୌଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି କହିଛନ୍ତି । 

ସେହିଭଳି କୋଭିଡ୍ ଟୀକା ନେବାପରେ ଗ୍ରାମର ଶ୍ରୀମତୀ ବିଜୟ ଲକ୍ଷ୍ମୀ ପାତ୍ର , ଅନୁପମ ବେବର୍ତ୍ତା ଓ ଶ୍ରୀ ଅରୁଣ କୁମାର ପୂଜାରୀ ପ୍ରମୁଖ  କହିଛନ୍ତି ଯେ , ସେମାନେ ମାଗଣା କୋଭିଡ୍ ଟୀକା ନେବାର ସୁଯୋଗ ପାଇଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ । ଟିକାନେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , କାହାକୁ ହେଲେ  କୌଣସି ପ୍ରକାର ଅସୁବିଧା ହୋଇନାହିଁ । ଏହି କୋଭିଡ୍ ଟୀକା ସମସ୍ତେ ନେଇ କରୋନା ମୁକ୍ତ ହୁଅନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ ।

 ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ କୋଭିଡ୍ ଟୀକାକରଣର ସମସ୍ଥ କାର୍ଯ୍ୟକ୍ରମ ଡାକ୍ତର ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଏ ଏନ୍ ଏମ୍ : ବନ୍ଦନା କୁମାର ଦାସ ଆସିଥିବା ସମସ୍ତଙ୍କୁ ଦ୍ଵିତୀୟ ଡୋଜ କୋଭିଡ୍ ଟିକା ଦେଇଥିଲେ । 

ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ଡିଇଓ: ଶ୍ରୀ ନିରଜ କୁମାର ଷଡଙ୍ଗୀ ଓ ଆଶାକର୍ମୀ ଦିବ୍ୟଜ୍ୟୋତି ପାଣି ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

0
0
0
s2sdefault