ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କାର୍ତିକ ପ୍ରସାଦ ତରିଆ ( ୭୧ )ସୋମବାର ବିଳମ୍ବିତ ରାତିରେ ପରୋଲକ ହୋଇଛି । ସେ ଦୀର୍ଘ ଦିନ ଧରି ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦରେ ରହି ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ବୁର୍ଲା ସ୍ଥିତ ତାଙ୍କ ଝିଅ ଘରକୁ ଫେରିଥିଲେ । ୧୯୮୫ ମସିହାରେ ଶ୍ରୀଯୁକ୍ତ ତରିଆ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେମାନନ୍ଦ ବିଶ୍ଵାଳ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୬ ମାସ ପାଇଁ କୃଷି ଓ ସମବାୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । କୋସଲ ରାଜ୍ୟ ସମନ୍ଵୟ ସମିତିର କେନ୍ଦ୍ରିୟ ସଭାପତି ଓ ବୀରମହାରାଜପୁର ଉପଖଣ୍ଡ ଓକିଲ ସଂଘର ସଭାପତି ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।