ଭୁବନେଶ୍ୱର (ଶାସକ ପ୍ରଶାସକ): ପ୍ରାକ୍ ମୌସୁମୀ ତଥା ଆଗାମୀ ମୌସୁମୀ ବର୍ଷା ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ବିଭିନ୍ନ ନଦୀବନ୍ଧର ସୁରକ୍ଷା ନେଇ ତଦାରଖ ଓ ବନ୍ୟା ପ୍ରସ୍ତୁତି ସଂପର୍କରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକ ରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ବନ୍ଧ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ଲିଙ୍ଗରାଜ ଗୌଡ଼ ଏବଂ ବିଭିନ୍ନ ନଦୀବନ୍ଧ ସୁରକ୍ଷା ଦାୟିତ୍ୱରେ ରହିଥିବା ମୁଖ୍ୟଯନ୍ତ୍ରୀ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ବନ୍ଧ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ଇଂ. ଗୌଡ଼ ବନ୍ଧ ସୁରକ୍ଷା ସର୍ବେକ୍ଷଣସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ପୂର୍ବରୁ ଚଳିତ ମେ ମାସ ୧୫ ତାରିଖ ସୁଦ୍ଧା ବିଭିନ୍ନ ଡ୍ୟାମ୍ଗୁଡିକର ସ୍ଥିତି, ଆବଶ୍ୟକୀୟ ମରାମତି ଓ ରହିଥିବା ଜଳ ନିସ୍କାସନ ବା ଜଳ ପରିଚାଳନା ଗେଟ୍ ଗୁଡିକର କାର୍ଯ୍ୟକ୍ଷମ ନେଇ ମକ୍ ଡ୍ରିଲ୍ କରାଯିବା ସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା । ଆଗାମୀ ଜୁନ୍ ମାସ ୧୫ ତାରିଖ ସୁଦ୍ଧା ମୌସୁମୀ ବର୍ଷା ସମ୍ଭାବନା ପରିପ୍ରେକ୍ଷୀରେ ବନ୍ଧ ସୁରକ୍ଷା ସଂପର୍କିତ କାର୍ଯ୍ୟ ଅଗ୍ରଗତି ନେଇ ପ୍ରମୁଖ ଶାସନ ସଚିବ ଅବଗତ ହେବା ସହିତ ଜୁନ୍ ୧୫ ପୁର୍ବରୁ ବାକି ରହିଥିବା ସମସ୍ତ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାରୁ ନିଦେ୍ର୍ଧଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ରାଜ୍ୟ ବନ୍ଧ ସୁରକ୍ଷା ସଂସ୍ଥା( ଷ୍ଟେଟ୍ ଡ୍ୟାମ୍ ସେଫ୍ଟି ଅରର୍ଗାନାଇଜେସନ) ରାଜ୍ୟରେ ଅଧିକ ଜଳଧାରଣ କ୍ଷମତା ରଖୁଥିବା ଚିହ୍ନଟକୃତ ୨୦୪ଟି ବୃହତ୍, ମଧ୍ୟମ ଓ କ୍ଷୁଦ୍ରନଦୀ ବନ୍ଧଗୁଡିକର ସୁରକ୍ଷା ସଂପର୍କିତ କାର୍ଯ୍ୟ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ଯ୍ୟ ହାତକୁ ନିଆଯାଇଥିବା ବନ୍ଧ ପୁନରୁଦ୍ଧାର ତଥା ଉନ୍ନତିକରଣ ପ୍ରକଳ୍ପ(ଡ୍ରିପ୍-୧ ଏବଂ ଡ୍ରିପ୍-୨) ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଡ୍ରିପ୍ -୧ ପ୍ରକଳ୍ପ ଅଧିନରେ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୨୬ଟି ଡ୍ୟାମ୍ର ଉନ୍ନତିକରଣ କରାଯାଇଥିବା ବେଳେ ଡ୍ରିପ୍-୨ ଅଧିନରେ ଅପ୍ରେଲ ୧ ତାରିଖରୁ ଆଉ ୨୬ଟି ଡ୍ୟାମ୍ର ଉନ୍ନତିକରଣ କାର୍ଯ୍ୟ କରାଯାଉଥିବା ବୈଠକରୁ ଜଣାଯାଇଛି ।