ମଠ ରିତି ନୀତି ଅନୁସାରେ ଅନ୍ତିମ ସଂସ୍କାର
ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ସ୍ଥିତ ବରାହପଦର ମଠ ମଠାଧୀଶ ବାବାଜୀ ଶ୍ରୀ ଖେଳାକୃଷ୍ଣ ଦାସଙ୍କ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେବ ତାଙ୍କ ଶାରୀରିକ ରୋଗରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମରଶରୀର ବଡଖମାର ବରାହ ପଦର ମଠ ଅଣାଯାଇଥିଲା । ମଠ ରିତ ନିତି ଅନୁସାରେ ମଠ ଚାରିପଟେ ପରିକ୍ରମା କରି ଦ୍ବାଦଶ ତିଲକ କରି ଶବ ସଂସ୍କାର କରାଯାଇଥିଲା ।ଶିଷ୍ଯ ସଖୀ ଚରଣ ଦାସ ମୁଖାଗ୍ନି ଦେଇଥିବା ବେଳେ ଅଞ୍ଚଳର ଶତାଧିକ ଲୋକ, ସାଧୁ ସନ୍ଥ ଓ ଅନ୍ତେବାସୀମାନେ ଯୋଗଦେଇ ଥିଲେ ।ମହନ୍ତ କୁଞ୍ଜ କିଶୋର ମହାରାଜ ଙ୍କ ଦେହାନ୍ତ ପରେ ୨୦୦୯ ମସିହା ଠାରୁ ୧୨ ବର୍ଷ ଧରି ବାବାଜୀ ଖେଳା କୃଷ୍ଣ ଦାସ ମଠ ର କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିଆସୁଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।