ବଦଳିଲେ ବିଏମସି କମିଶନର : ପ୍ରେମଚନ୍ଦ୍ରଙ୍କ ବଦଳରେ ଆସିଲେ ସଞ୍ଜୟ ସିଂ
ଭୁବନେଶ୍ୱର : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି | ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର, ସ୍ୱନାମଧନ୍ୟ କବି ତଥା ବର୍ତ୍ତମାନର ରାଜସ୍ବ, ବିପର୍ଯ୍ୟୟ ପରିଚାଳନା ତଥା ଓଡ଼ିଆ ଭାଷା ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି | ସେହିପରି ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ବିଭାଗ ଓ ଇଡ୍କୋର ସିଏମଡି ଭାବେ ଦାୟିତ୍ୱ ତୁଳାଉଥିବା ୧୯୯୭ ବ୍ୟାଚର ଆଇଏଏସ ଅଫିସର ସଞ୍ଜୟ ସିଂହଙ୍କୁ ଭୁବନେଶ୍ୱର ମହାନଗର ନିଗମ କମିଶନର ଭାବେ ଅବସ୍ଥାପିତ କରାଯାଇଛି | ତାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | ସେହିପରି ଶିଳ୍ପ ସଚିବ ତଥା ଇପିକଲର ଅଧ୍ୟକ୍ଷ ୧୯୯୫ ବ୍ୟାଚର ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଭାବେ ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି | ବର୍ତ୍ତମାନ ପୂର୍ତ୍ତ ବିଭାଗ ଶାସନ ସଚିବ ଥିବା ୨୦୦୨ ବ୍ୟାଚର ଡ଼ କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ଇଡ୍କୋର ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି | ସେହିପରି ବିଏମ୍ସି କମିଶନର, ବିଡିଏ ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ସିଇଓ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍ଡି ଭାବେ ଅବସ୍ଥାପିତ କରାଯାଇଛି |