ନୂଆଦିଲ୍ଲୀ/ଭୁବନେଶ୍ୱର : ସୋମବାର ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମା ଶପଥ ଗ୍ରହଣ କରିଥିବା ବେଳେ ଏହି ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଶ୍ରୀଯୁକ୍ତ ବିଏଲ ସନ୍ତୋଷଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି। ଏଥିସହ ଶ୍ରୀଯୁକ୍ତ ପଣ୍ଡା ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଉତ୍ତର-ପୂର୍ବ ଭାରତର ବିକାଶ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପାର ଧ୍ୟାନ ରହିଥିବା ବେଳେ ଆସାମରେ ଏହି ଅଭିଯାନକୁ ହିମନ୍ତ ବିଶ୍ୱଶର୍ମାଙ୍କ କୁଶଳ ତଥା ଦକ୍ଷ ନେତୃତ୍ୱ ଆଗକୁ ନେଇଯିବ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ କହିଛନ୍ତି। ସେହିପରି ଶପଥ ଗ୍ରହଣ ସମାରୋହରେ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିବାରୁ ବିଶ୍ୱଶର୍ମା ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତି ଓ ତାଙ୍କ ଆଶୀର୍ବାଦ ମିଳିବା ଆନନ୍ଦ ଓ ଆଶ୍ୱସନାପୂର୍ଣ୍ଣ ଥିଲା। ଏଥିସହ ସମୃଦ୍ଧ ଆସାମ ଗଢିବାରେ ମାର୍ଗଦର୍ଶନ କରିବା ଜାରି ରଖିବାକୁ ଶ୍ରୀ ବିଶ୍ୱଶର୍ମା ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ।
ଗତକାଲି ଗୌହାଟୀଠାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ସିଂ ତୋମାର, ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ବିଜେପି ମହାମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସର୍ବସମ୍ମତିକ୍ରମେ ହିମନ୍ତଙ୍କୁ ବିଧାୟକ ଦଳ ମୁଖ୍ୟ ନେତା ନିର୍ବାଚିତ କରାଯାଇଥିଲା। ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍। ଏହା ପରେ ସେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ରାଜ୍ୟପାଳ ଶ୍ରୀଯୁକ୍ତ ଜଗଦୀଶ ମୁଖୀ ଶପଥ ପାଠ କରାଇଥିଲେ। ଆଜି ଏହି ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀ ଡ଼.ଜିତେନ୍ଦ୍ର ସିଂ, ଶ୍ରୀଯୁକ୍ତ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନେକ ରଜ୍ୟର ମୁଖ୍ୟମନ୍ତ୍ରୀ ତଥା ନେତା ପ୍ରମୁଖ ଉପସ୍ଥିତ ଥିଲେ।