-
ଆମ୍ବୁଲାନ୍ସ ଚଳାଇ ସଂକ୍ରମିତଙ୍କୁ ଡାକ୍ତରଖାନାକୁ ଆଣିଲେ
-
ରୋଗୀଙ୍କର ସୁବିଧା ପାଇଁ ପ୍ରଦାନକଲେ ଆହୁରି ଦୁଇ ଗୋଟି ଆମ୍ବୁଲାନ୍ସ
ବରଗଡ :- ଗତବର୍ଷ କୋଭିଡ଼ କଟକଣା ସମୟରେ ସାରା ରାଜ୍ୟ ଦେଖିଛି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କର ସେବା କାର୍ଯ୍ୟ । ଚଳିତ ଥର ମଧ୍ୟ ଅଂଚଳର ଲୋକଙ୍କର ସେବା କାର୍ଯରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ପ୍ରତକ୍ଷ ଭାବରେ ନିୟୋଜିତ କରିଛନ୍ତି ମନ୍ତ୍ରୀ । ଗତ ଦୁଇ ଦିନ ତଳେ ଜଣେ କୋରୋନା ସଂକ୍ରମିତ ଙ୍କୁ ନିଜେ ଆମ୍ବୁଲାନ୍ସ ରେ ଆଣି ଡାକ୍ତରଖାନାରେ ଭର୍ତି କରାଇଥିବା ଘଟଣା ଆଜି ଦେଶରେ ଚର୍ଚ୍ଚିତ ବିଷୟ ସାଜିଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ସମାନ ଘଟଣା । ଆଜି ମନ୍ତ୍ରୀ ସୋହେଲାରେ ଥିବା ସମୟରେ ଖବର ପାଇଲେ ଯେ ବାଉଁସେନମୁରା ଗ୍ରାମର ଚାରିଜଣ ଙ୍କୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଛି । ଖବର ପାଇବା ମାତ୍ରେ ସମୟ ଅପଚୟ ନ କରି ନିଜେ ମନ୍ତ୍ରୀ ଆମ୍ବୁଲାନ୍ସ ଚଳାଇ ବାହାରି ପଡ଼ିଥିଲେ ରୋଗୀ ମାନଙ୍କର ନିକଟକୁ । ଚାରି ଜଣଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଯାଞ୍ଚ କରେଇବାରୁ ଦୁଇ ଜଣ ସଂକ୍ରମିତ ଥିବା ଜଣାପଡିବା ପରେ ସୋହେଲା ଡାକ୍ତରଖାନାରେ ସେମାନଙ୍କୁ ଭର୍ତି କରାଇଛନ୍ତି ମନ୍ତ୍ରୀ ଶ୍ରୀ ସିଂ । ଲୋକଙ୍କ ଅସୁବିଧା ଶୁଣିବା ମାତ୍ରେ ତାହା ସମାଧାନ କରିବା ପାଇଁ ସବୁବେଳେ ପୁରା ଦମ ରେ ପ୍ରୟାସ କରିନ୍ତି ମନ୍ତ୍ରୀ । ଆଉ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରତ୍ୟକ୍ଷ ଭାବରେ ଲୋକଙ୍କର ସେବା କରି ନିଜର ଆଲୋଚକ ଓ ନିନ୍ଦୁକ ମାନଙ୍କର ମଧ୍ୟ ପ୍ରିୟ ହେବାରେ ଲାଗିଛନ୍ତି ।
ବରଗଡ ଜିଲ୍ଲାରେ ବର୍ତମାନ କୋଭିଡ ବଢି ଚାଲିଛି । କରୋନାର ଦ୍ଵିତୀୟ ଲହରରେ ସଂକ୍ରମିତ ରୋଗୀଙ୍କ ଅକ୍ସିଜେନ ଲେବେଲ କମି ଯାଉଛି । ଯାହାକି ରୋଗୀଙ୍କୁ ସଂକଟରେ ପକାଉଛି । ଏପରିକି ରୋଗୀମାନେ ଅକ୍ସିଜେନ ନ ପାଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ରୋଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ସବୁବେଳେ ଆମ୍ବୁଲାନ୍ସ ସେବା ମିଳି ପାରୁ ନାହିଁ । ଅନ୍ୟ ଗାଡିଗୁଡିକ କରୋନା ରୋଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ମଙ୍ଗୁ ନାହାନ୍ତି । ଏପରି ଏକ ସଙ୍କଟ ସମୟରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଆମ୍ବୁଲାନ୍ସ ଗାଡି ଓ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ପୂର୍ବରୁ ସେ ନିଜସ୍ୱ ଉଦ୍ୟମରେ ୧୫ ଗୋଟି ଅକ୍ସିଜେନ ସିଲିଣ୍ଡର ଓ ଗୋଟିଏ ଆମ୍ବୁଲାନ୍ସ ଗାଡି ସୋହେଲା ଅଂଚଳ ପାଇଁ ଯୋଗାଇ ଦେଇଥିଲେ । ଆଜି ପୁଣି ୨ ଗୋଟି ଆମ୍ବୁଲାନ୍ସ ଗାଡି ଯୋଗାଇ ଦେଇଛନ୍ତି । ଗୋଟିଏ ଗାଡି ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭୋନା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟଟି ସୋହେଲା ଅଂଚଳବାସୀଙ୍କ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଚିନ୍ତାଜନକ ଭାବରେ ବଢି ଚାଲିଥିବା କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ସଂଜୀବନୀ ତୂଲ୍ୟ କାମରେ ଆସିବ ।ସମ୍ପ୍ରତି କରୋନା ସଂକ୍ରମିତ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବାରେ ଆମ୍ବୁଲାନ୍ସ ଗାଡିଗୁଡିକ ବିଶେଷ ଭାବରେ ସହାୟକ ହେବ। ଏହି ମହତ କାର୍ଯ୍ୟ ପାଇଁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସବୁ ମହଲରେ ପ୍ରଶଂସିତ ହେଉଛନ୍ତି ।