ଶନିବାରଠାରୁ  ମୟୂରଭଞ୍ଜ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟ୍-ଡ଼ାଉନ ଆରମ୍ଭ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିଦେ୍ର୍ଧଶ କ୍ରମେ ଶନିବାର ଓ ରବିବାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଲାଗୁ ହେଉଛି ସପ୍ତାହନ୍ତ ସଟ୍-ଡ଼ାଉନ । ଶୁକ୍ରବାର ରାତି ୯ରୁ ଆରମ୍ଭ ହୋଇଥିବା ନାଇଟ କର୍ଫୁ୍ୟ ଶନିବାର ଦିନ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ପରବର୍ତ୍ତି ସମୟରୁ  ସୋମବାର ସକାଳ ୫ ପର୍ଯ୍ୟନ୍ତ  ସଟ୍-ଡ଼ାଉନ ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ବାକି ଅନ୍ୟ ସବୁରେ କଟକଣା ଲାଗୁ ରହିବ । ହସପିଟାଲ, ଘରୋଇ ହସପିଟାଲ, କ୍ଟିନିକ, ନର୍ସିଂହୋମ, ମେଡ଼ିସିନ ଷ୍ଟୋର ଆଦି ଖୋଲା ରହିବ । ଆମ୍ବୁଲାନ୍ସ ସେବା, ପୁଲିସ ଓ ଫାୟାର ସର୍ଭିସକୁ ସଟ୍-ଡ଼ାଉନରୁ ବାଦ ଦିଆଯାଇଛି । ସେହିପରି ଜରୁରୀ ସେବା କ୍ଷେତ୍ରରେ ନିୟୋଜିତ ସରକାରୀ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପନ୍ପ, ରନ୍ଧନ ଗ୍ୟାସ ଯୋଗାଣ ବ୍ୟବସ୍ଥା , ଛପା ଓ ବୈଦ୍ୟୁତିକ  ଗଣମାଧ୍ୟମ, ଜଳ ଯୋଗାଣ, ସଫେଇ କାର୍ଯ୍ୟ, ବିଦ୍ୟୁତ  ସେବା ଯୋଗାଣ, ମାଲ ପରିବହନ, ଶିଳ୍ପାନୁଷ୍ଠାନଗୁଡ଼ିକରେ କାମକାର୍ଯ୍ୟ, ନିର୍ମାଣ କାର୍ଯ୍ୟ, କୃଷିଭିତ୍ତିକ କାର୍ଯ୍ୟ, ରେଳ ଚଳାଚଳ, ଜାତୀୟ ରାଜପଥରେ ଗମନାଗମନ ଆଦି ଉପରେ କୌଣସି କଟକଣା ଲଗାଯାଇ ନାହିଁ । ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଟ୍ୟାକ୍ସି ସେବା ଜାରି ରହିବ । ତେଜରାତି, ପନିପରିବା. ଆମିଷ, କ୍ଷୀର ଆଦି ଦୋକାନ ଖୋଲା ରହିବ । ରାସ୍ତା ପାଶ୍ୱର୍ରେ ଥିବା ଢ଼ାବା, ହୋଟେଲ ଆଦି ଖାଦ୍ୟ ସାମଗ୍ରୀ ପାର୍ସଲ ଦେଇ ପାରିବେ । ଖାଦ୍ୟର ହୋମ ଡେଲିଭରୀ ଜାରି ରହିବ । କଟକଣା ସମୟରେ ଜରୁରୀ ସେବାରେ ନିୟୋଜିତ ରହିଥିବା କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାଶର କୌଣସି ବ୍ୟବସ୍ଥା ନ ଥିବା ସମୟରେ ନିଜର ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ଶନିବାର ଓ ରବିବାର ସକାଳ ୫ରୁ ୬ ପର୍ଯ୍ୟନ୍ତ ଏକ ଘଣ୍ଟା ମର୍ଣ୍ଣିଂ ୱାକ୍, ସାଇକେଲ ଚାଳନା ଓ ଜଗିଂ ନିମନ୍ତେ କଟକଣାକୁ କୋହଳ କରାଯାଇଥିବା ସମୟରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ଼ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ସପ୍ତାହନ୍ତ ସଟ୍-ଡ଼ାଉନ ପାଳନକୁ ନେଇ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ ଲାଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ଏବଂ  କୌଣସି ବ୍ୟକ୍ତି ଉଲ୍ଲଙ୍ଘନ କଲେ ତାଙ୍କ  ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି ।

 

0
0
0
s2sdefault